March 24, 2023

ଅଫିସର ଖାତିର ନକରିବା ପ୍ରସଙ୍ଗ ବିଧାନସଭାରେ ଉଠାଇଲେ ବିଜେପି ବିଧାୟକ ମୋହନ ଚରଣ ମାଝି

1 min read

ଆଓରି-ଭୁବନେଶ୍ଵର(୧୨/୦୭) : ଅଫିସର ଆମକୁ ଖାତିର କରୁ ନାହାନ୍ତି। ବସିବା ପାଇଁ ଚେୟାର ଖଣ୍ଡେ ଦେଉନାହାନ୍ତି। ଆମେ କିଛି ପଚାରିଲେ ସେମାନେ ସିଟ୍‌ରୁ ଉଠୁନାହାନ୍ତି। ମୁଁ ତିନିଥର ବିଧାୟକ ହେଲିଣି। ଭୁବନେଶ୍ୱରର ଅତିଥି ଭବନରେ ରହିବା ପାଇଁ ଗୃହ ବିଭାଗ ଅତିରିକ୍ତ ସଚିବଙ୍କୁ ଦେଖାକଲି। ସେ ମୋତେ ଖାତିର କଲେ ନାହିଁ। ଏଭଳି ଆବେଗ ଭରା କଣ୍ଠରେ ଶୁକ୍ରବାର ବିଧାନସଭାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିରୋଧୀ ଦଳ ସଚେତକ ମୋହନ ଚରଣ ମାଝି। ବିଧାୟକ ହେବା ପରେ ଭୁବନେଶ୍ୱରରେ ରହିବା ପାଇଁ ତାଙ୍କୁ ଏ ପର୍ଯ୍ୟନ୍ତ ସରକାରୀ କ୍ୱାର୍ଟର୍ସ ମିଳିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଲେ ଯେ, ସଚିବାଳୟ ଓ ବିଧାନସଭାର ଆଖପାଖ ଅଞ୍ଚଳକୁ ଭିଭିଆଇପି ଏରିଆ ବୋଲି କୁହାଯାଉଛି। ମାତ୍ର ଏଠାରେ ଦିନ ଦୁଇପ୍ରହରରେ ଚୋରି ଡକାୟତି ହେଉଛି। ମୁଁ ଯେତେବେଳେ ପ୍ରଥମକରି ବିଧାୟକ ହୋଇଥିଲି ସେତେବେଳେ ମୋ କ୍ୱାର୍ଟର୍ସରୁ ଦୈନିକ ଚୋରି ହୁଏ। ବିଧାନସଭା ଚାଲିଥିବାବେଳେ ମୋତେ ଘର କିମ୍ବା ଅତିଥିଭବନ ମିଳିନାହିଁ। ଆଜି ମୁଁ ଫୁଟ୍‌ପାଥରେ ରହୁଛି। ମୋ ବ୍ୟକ୍ତିଗତ ସଚିବଙ୍କଠାରୁ ମଧ୍ୟାହ୍ନ ୧୨ଟାରେ ଛୁରିମାରି ଦୁର୍ବୃତ୍ତମାନେ କାଗଜପତ୍ର ଛଡ଼ାଇ ନେଇଗଲେ ବୋଲି ମାଝି କହିଛନ୍ତି। ଘର ଖଣ୍ଡେ ପାଇଁ ସେ କିପରି ହୀନସ୍ତା ହେଉଛନ୍ତି ତାହା ବଖାଣିଥିଲେ। ମୋହନଙ୍କ ଏପରି ଅବସ୍ଥା ଦେଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, ଗୃହକାର୍ଯ୍ୟ ଶେଷ ହେବା ପରେ ମୋ ଚାମ୍ବରକୁ ଆସନ୍ତୁ। ଯାହା ସମସ୍ୟା ରହିଛି ସମାଧାନ କରିଦେବା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.