May 19, 2024

ମହାରଥୀଙ୍କ ବହିଷ୍କାର ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା

1 min read
BJP-Mahila-Morcha-Aajira-Odisha

ଆଓରି-ଭୁବନେଶ୍ଵର(୨୭/୧୨) : ବିବାଦୀୟ ମନ୍ତବ୍ୟ ଦେଇ ଏବେ ହରଡ଼ଘଣାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ । ଗଣଦୁଷ୍କର୍ମରେ ଶିକାର ହେବା ଏବଂ ନ୍ୟାୟ ନପାଇ ପରବର୍ତ୍ତୀ ସମୟରେ ମୃତ୍ୟୁବରଣ କରିଥିବା ବେବିନାଙ୍କୁ ନେଇ ପ୍ରଦୀପଙ୍କ ମନ୍ତବ୍ୟ ସହଜରେ ହଜମ କରିପାରୁ ନାହାନ୍ତି ଓଡ଼ିଶାବାସୀ । ବେବିନା ବେହେରାଙ୍କ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଅନ୍ୟପଟେ ଏହା ବେବିନାଙ୍କୁ ନ୍ୟାୟ ବୋଲି କହି ଓଡ଼ିଶାବାସୀଙ୍କ ଭାବନା ସହ  ପ୍ରଦୀପ ମହାରଥୀ ଖେଳିଛନ୍ତି ବୋଲି ଅଭିଯୋଗ ହୋଇଛି ।

ତେବେ ମହାରଥୀଙ୍କ ବିବାଦୀୟ ବୟାନ ପରେ ଆକ୍ସନ ମୁଡରେ ଆସିଛନ୍ତି ମହିଳା କଂଗ୍ରେସ ଏବଂ ବିଜେପି ମହିଳା ମୋର୍ଚ୍ଚା । ଆଜି (ଗୁରୁବାର) ମହିଳା କଂଗ୍ରେସ ମହାରଥୀଙ୍କ ବାସଭବନ ଘେରାଉ କରିବା ସହ ଅଣ୍ଡା-ବିଲାତି ମାଡ଼ କରିଛି । ଅନ୍ୟପଟେ ବିଜପି ମହିଳା ମୋର୍ଚ୍ଚା ମହାରଥିଙ୍କ ବିରୋଧରେ ହମଲା ପାଇଁ ଆହ୍ୱାନ ପିପିଲି ବିଧାୟକଙ୍କ ପାଇଁ ଅଡ଼ୁଆ ବଢାଇଛି ।

ମହାରଥୀଙ୍କୁ କଡ଼ା ଭାଷାରେ ନିନ୍ଦା କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ର କରି ଦୋଷୀକୁ ଖଲାସ କରିବାରେ ସାହାଯ୍ୟ କଲା ବୋଲି ଅଭିଯୋଗ କରିଛି ମହିଳା ମୋର୍ଚ୍ଚା । ଘଟଣାର ସିବିଆଇ ତଦନ୍ତ ଦାବି ସହ କୃଷିମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି ଦଳ । ନହେଲେ ଏହାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ, ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯିବ ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ଓ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମାତ୍ର ୨୫ କିଲୋମିଟର ଦୂରରେ ଘଟିଥିବା ଏହି ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ରାଜ୍ୟ ସରକାର  ଯୋଜନାବଦ୍ଧ ଭାବରେ ତଥ୍ୟ ପ୍ରମାଣ ଉପସ୍ଥାପନ ନ କରି ଖସାଇ ଦେଇଛନ୍ତି । ବିଧାନସଭା ଓ ରାଜ୍ୟସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ବେବିନା ୩୩ ପ୍ରତିଶତ ମହିଳାଙ୍କ ଭିତରେ ଆସୁଥିଲେ କି ନାହିଁ ପ୍ରଶ୍ନ କରିଛି ବିଜେପି ମହିଳା ମୋର୍ଚ୍ଚା । ଜଣେ ମନ୍ତ୍ରୀ ଯେପରି ଭାବେ ମନ୍ତବ୍ୟ ଦେଇଛନ୍ତି ଏହା ସମ୍ପୂର୍ଣ ଭାବେ ସମ୍ବେଦନହୀନ ।

ବେବିନା ମାମଲାରେ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବାହାର କରିଥିଲେ । ସ୍ଥାନୀୟ ଥାନା ଅଧିକାରୀ ତଦନ୍ତରେ ଅବହେଳା ପାଇଁ ନିଲମ୍ବିତ ହୋଇଥିଲେ । ଏବେବି ସାକ୍ଷ୍ୟ ପ୍ରମାଣ ନ ଦେଇ ଦୋଷୀକୁ ଖଲାସ କରିବାରେ ସରକାର ସହଯୋଗ କରିଥିବା କଥା ପୀଡିତାର ପରିବାର ଅଭିଯୋଗ କରୁଛନ୍ତି । ଏପରି ସ୍ଥିତିରେ ମନ୍ତ୍ରୀ ଯେପରି ମନ୍ତବ୍ୟ ଦେଇଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.