March 16, 2023

ଭାଜପା ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ ; ଦାମ କହିଲେ ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ହୋଇଗଲା

1 min read

ଆଓରି-ଭୁବନେଶ୍ଵର(୨୨/୦୬) : ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭାଜପା ପକ୍ଷରୁ ରାଜ୍ୟ ସଭା ପ୍ରାର୍ଥୀ କରାଯିବା ଏବଂ ବିଜେଡି ତାଙ୍କୁ ସମର୍ଥନ କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବରିଷ୍ଠ ଭାଜପା ନେତା ଡାକ୍ତର ଦାମୋଦର ରାଉତ ଶନିବାର ପରୋକ୍ଷରେ ବିଜେଡିକୁ ସମାଲୋଚନା କରିଛନ୍ତି। ଦାମ କହିଛନ୍ତି, ଭାଜପା ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ହେଉ ବୋଲି ଚାହୁଁଥିଲା। ହେଲେ ଭୋଟ ବେଳେ ତାହା ପ୍ରତିଫଳିତ ହୋଇ ନ ଥିଲା। ମାତ୍ର ନିର୍ବାଚନ ପରେ ଡବଲ୍‌ ଇଞ୍ଜିନ୍‌ ହୋଇଗଲା ବୋଲି ସେ କହିଛନ୍ତି। ସେହିଭଳି ଅଶ୍ୱିନୀ ଜଣେ ଭଲ ଦକ୍ଷତାସମ୍ପନ୍ନ ବ୍ୟକ୍ତି। ଦିଲ୍ଲୀରେ ତାଙ୍କର ଭଲ ଲବି ରହିଛି। ଏଥିପାଇଁ ଭାଜପା ତାଙ୍କୁ ପ୍ରାର୍ଥୀ କରିଛି। ବିଜେଡି ସହ ତାଙ୍କର ଭଲ ସମ୍ପର୍କ ମଧ୍ୟ ରହିଛି। ଉଭୟ ଦଳ ନିଜର ଫାଇଦା ପାଇଁ ଅଶ୍ୱିନୀଙ୍କୁ ସମର୍ଥନ ଦେଇଛନ୍ତି ବୋଲି ଦାମ ମତ ରଖିଛନ୍ତି।

ଦାମ ଆହୁରି କହିଛନ୍ତି, ଭାଜପା ସହ ବିଜେଡି ଭଲ ସମ୍ପର୍କ ରଖିଲେ ମୁଁ ବେଶ୍‌ ଖୁସି ହେବି। ଏଥିସହ କେନ୍ଦ୍ର ଓ ରାଜ୍ୟରେ ଭାଜପାର ପତିଆରା ଦେଖି ବିଜେଡି ଭଲ ସମ୍ପର୍କ ସ୍ଥାପନ କରୁଛି। ଦିନକୁ ଦିନ ରାଜନୀତିରେ ବରିଷ୍ଠ ନେତା ଗୌଣ ହେବାକୁ ଲାଗିଛନ୍ତି। ଏଣୁ ପ୍ରତିଶ୍ରୁତି ନ ରଖିବା କିଛି ନୂଆ କଥା ନୁହେଁ ବୋଲି ଦାମ ମନ୍ତବ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ ଖାଲି ପଡ଼ିଥିବା ୩ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ସନ୍ଧ୍ୟାରେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ୍‌ ପାତ୍ର ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯାଇଥିଲା। ଏହାର କିଛି ସମୟ ପରେ ଅଶ୍ୱିନୀ ଭାଜପାର ପ୍ରାର୍ଥୀ ଏବଂ ବିଜେଡି ପକ୍ଷରୁ ତାଙ୍କୁ ସମର୍ଥନ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ। ଏହା ପରଠାରୁ ନବୀନଙ୍କ ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହୋଇଆସୁଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.