ଜିଲ୍ଲାରାଜନୀତି

ବିଜେଡିର ଆୟ : ତିନି ବର୍ଷରେ ୩୮ କୋଟି

ଅ‍ାଜିର ଓଡ଼ିଶା ବ୍ୟୁରୋ, ଭୁବନେଶ୍ୱର:


୨୦୧୨ରୁ ୨୦୧୫ ମସିହା ମଧ୍ୟରେ ଶାସକ ବିଜୁ ଜନତା ଦଳ ୩୮.୫ କୋଟି ଟଙ୍କା ଆୟ କରିଛି। ଅନ୍ୟ ଦୁଇ ବର୍ଷ ତୁଳନାରେ ନିର୍ବାଚନୀ ବର୍ଷ ଦଳ ସର୍ବାଧିକ ଅର୍ଥ ପାଇଛି। ୨୦୧୨-୧୩ରେ ୬୬ ଲକ୍ଷ ପାଇଥିଲା ବେଳେ ୨୦୧୩-୧୪ରେ ୧୫.୫୮ କୋଟି ଟଙ୍କା ପାଇଥିଲା। ୨୦୧୪-୧୫ରେ ଏହି ପରିମାଣ ବେଶ୍‌ ବଢ଼ିଯାଇ ୨୨.୨୬ କୋଟିରେ ପହଞ୍ଚିଥିଲା। ଦଳର ଆୟକର ଦାଖଲରୁ ଏହି ତଥ୍ୟ ମିଳିଥିବା ଓଡ଼ିଶା ଇଲେକ୍ସଚ୍‌ ଓ୍ଵାଚ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଏହି ତିନି ବର୍ଷରେ ବିଜେଡି ମୋଟ୍‌ ୨୨.୩୭ କୋଟି ଟଙ୍କା ଖର୍ଚ୍ଚ କରିଛି।
ରିପୋର୍ଟ ଅନୁଯାୟୀ, ବିଜେପି ଦେଶରେ ସବୁଠାରୁ ବଡ଼ ଆୟକାରୀ ଦଳ ଭାବେ ଉଭା ହୋଇଛି। ୨୦୧୨-୧୩ରୁ ୨୦୧୪-୧୫ ମଧ୍ୟରେ ବିଜେପି ୧୯୬୮ କୋଟି ୪୧ ଲକ୍ଷ ଟଙ୍କା ପାଇଛି। ବିଜେପି ନିର୍ବାଚନୀ ବର୍ଷରେ ସର୍ବାଧିକ ୯୭୦ କୋଟି ୪୩ ଲକ୍ଷ ଟଙ୍କା ଆୟ କରିଛି। ୨୦୧୨-୧୩ରେ ୩୨୪ କୋଟି ୧୬ ଲକ୍ଷ ଏବଂ ୨୦୧୩-୧୪ରେ ୬୭୩ କୋଟି ୮୨ ଲକ୍ଷ ଆୟ କରିଛି।
ସେହିପରି କଂଗ୍ରେସ ତିନି ବର୍ଷରେ ୧୬୧୭ କୋଟି ୬ ଲକ୍ଷ ଟଙ୍କା ଆୟ କରିଛି। ହେଲେ ନିର୍ବାଚନୀ ବର୍ଷରେ ପୂର୍ବ ବର୍ଷ ଆୟ ତୁଳନାରେ ପଛରେ ପଡ଼ିଛି। ୨୦୧୨-୧୩ରେ ୪୨୫ କୋଟି ୬୯ ଲକ୍ଷ, ୨୦୧୩-୧୪ରେ ୬୭୩ କୋଟି ୮୨ ଲକ୍ଷ ଏବଂ ୨୦୧୪-୧୫ରେ ୫୯୩ କୋଟି ୩୧ ଲକ୍ଷ ଟଙ୍କା ଆୟ କରିଥିବା ଜଣାପଡ଼ିଛି। ତିନି ବର୍ଷରେ ସିପିଏମ୍‌ ୩୭୧ କୋଟି ୮୮ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ୨୬୬ କୋଟି ୫ ଲକ୍ଷ, ନ୍ୟାସନାଲ କଂଗ୍ରେସ ପାର୍ଟି (ଏନ୍‌ସିପି) ୧୪୯.୬୫ କୋଟି, ସିପିଆଇ ୫.୩୫ କୋଟି ଟଙ୍କା ଆୟ କରିଛନ୍ତି।
ରିପୋର୍ଟରେ ଆହୁରି କୁହାଯାଇଛି, କଂଗ୍ରେସ ଓଡ଼ିଶାରେ ୨୦୧୨-୧୩ରେ ଜଣଙ୍କ ଠାରୁ ୪୮ ହଜାର ଟଙ୍କା ପାଇଥିବା ବେଳେ ୨୦୧୩-୧୪ରେ ଦୁଇ ଜଣଙ୍କ ଠାରୁ ୫ ଲକ୍ଷ ୨୧ ହଜାର ଟଙ୍କା ପାଇଛି। ୨୦୧୪-୧୫ରେ ଦଳକୁ ଟଙ୍କାଟିଏ ବି ମିଳି ନାହିଁ। ସେହିପରି ବିଜେପି ୨୦୧୨-୧୩ ଏବଂ  ୨୦୧୩-୧୪ରେ ଟଙ୍କାଟିଏ ବି ଚାନ୍ଦା ପାଇନି। ନିର୍ବାଚନୀ ବର୍ଷ ୨୦୧୪-୧୫ରେ ଦୁଇ ଜଣ ବ୍ୟକ୍ତି ୬୪.୯୯ ଲକ୍ଷ ଟଙ୍କା ବିଜେପିକୁ ଦାନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button