ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ଗେଟ୍ ଆଧାର ସପକ୍ଷରେ ଯୁକ୍ତିବାଢ଼ିଛନ୍ତି
1 min read
ଆଓରି(ତା୪|୫)-ଭାରତରେ ଆଧାର ତଥ୍ୟ ସୁରକ୍ଷାକୁ ନେଇ ବର୍ତ୍ତମାନ ବାଦବିବାଦ ଚାଲିଛି। ଇପିଏଫ୍ଓ ସଦସ୍ୟଙ୍କର ଆଧାର ତଥ୍ୟ ଚୋରି ହୋଇଛି ବୋଲି ନିକଟରେ ଖବର ଆସିଥିବାବେଳେ ଆଧାର କାରଣରୁ ହିଁ ବ୍ୟାଙ୍କରୁ ଟଙ୍କା ଚୋରି ହୋଇଥିବା ଖବର ମଧ୍ୟ ପୂର୍ବରୁ ସାମ୍ନାକୁ ଆସିଛି। ବିରୋଧୀଦଳ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଗଣ ଆଧାରକୁ ଏକ ଅଯଥା ପ୍ରହସନ କହି ସମାଲୋଚନା କରୁଛନ୍ତି। ଏଭଳି ସ୍ଥଳେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ଗେଟ୍ ଆଧାର ସପକ୍ଷରେ ଯୁକ୍ତିବାଢ଼ିଛନ୍ତି। ସେ କହିଛନ୍ତି, ଭାରତର ଆଧାର ବ୍ୟବସ୍ଥାରେ ବ୍ୟକ୍ତିର ଗୋପନୀୟତା ଅଧିକାର କ୍ଷୁଣ୍ଣ ହେବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହା ଏକ ଉତ୍ତମ ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏହାକୁ ଗ୍ରହଣ କରିବା ଉଚିତ। ଭାରତର ଆଧାର ବ୍ୟବସ୍ଥାକୁ ଅନ୍ୟଦେଶଗୁଡିକରେ ଗ୍ରହଣ କରିବା ପାଇଁ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ୍ ଫାଉଣ୍ଡେଶନ ଓ୍ବାର୍ଲଡ୍ ବ୍ୟାଙ୍କକୁ ପ୍ରସ୍ତାବ ଦେଇଛି। ଏଥିପାଇଁ ପାଣ୍ଠି ମଧ୍ୟ ପ୍ରଦାନ କରିଛି। ସେ କହିଛନ୍ତି, ଅନ୍ୟ ଦେଶଗୁଡିକ ଏହାକୁ ଗ୍ରହଣ କରିବା ଉଚିତ। ଆଧାର ବ୍ୟବସ୍ଥା ଦ୍ୱାରା ହିଁ ଭାରତର ଅର୍ଥନୀତି ବର୍ତ୍ତମାନ ସୁଦୃଢ଼ ହେଉଛି। ଆଧାର ବାୟୋମେଟ୍ରିକ୍ ବ୍ୟବସ୍ଥାରେ ଏଭଳି କୌଣସି ତଥ୍ୟ ନାହିଁ ଯାହାକି ବ୍ୟକ୍ତିର ଗୋପନୀୟତାକୁ ନଷ୍ଟ କରିବ ବୋଲି ବିଲ୍ ଗେଟ୍ସ ପ୍ରକାଶ କରିଛନ୍ତି।