ଜାତୀୟଜିଲ୍ଲା

ଅକ୍ଟୋବର ୮ରେ ଭୁବନେଶ୍ୱର କବିତା ଉତ୍ସବ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ ମନ୍ଦିର ସହର ଭୁବନେଶ୍ୱରରେ ଆୟୋଜିତ ହେଉଛି ପୂର୍ବ ଭାରତର ସବୁଠୁ ବଡ଼ କବିତା ପର୍ବ। ପ୍ରଥମ ଭୁବନେଶ୍ୱର କବିତା ଉତ୍ସବ (ବିପିଏଫ୍ ୨୦୧୬) ଅକ୍ଟୋବର ୮ ତାରିଖ ଶନିବାର ଦିନ ଅନୁଷ୍ଠିତ ହେଉଛି।

ଦୁର୍ଗା ପୂଜାର ଓଡ଼ିଆ ସାହିତ୍ୟ ସହ ଏକ ସୁଦୀର୍ଘ ସମ୍ପର୍କ ରହିଛି। ଏହି ସମୟରେ ବହୁ ସାହିତ୍ୟ ପତ୍ରିକା ବଜାରକୁ ଆସେ ଏବଂ ଭୁବନେଶ୍ୱରରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ଲେଖକ ଏକାଠି ହୋଇଥାନ୍ତି।

ଏଇ ପାର୍ବଣ ଋତୁକୁ ଆଉ ଟିକେ ଉତ୍ସବମୁଖର କରିବା ଲକ୍ଷ୍ୟରେ ପେନ୍ ଇନ୍ ପ୍ରକାଶନ ଓ ଖବର ଅନୁଷ୍ଠାନ ଭୁବନେଶ୍ୱର କବିତା ଉତ୍ସବର ପରିକଳ୍ପନା କରିଛି, ଯେଉଁଠି ଉଭୟ ରାଜ୍ୟର ଦିଗ୍ଗଜ ଓ ଯୁବ କବିମାନଙ୍କୁ ଗୋଟିଏ ଛାତ ତଳେ ଏକାଠି କରିବାର ପ୍ରୟାସ ହେଉଛି।

bpf-2016

ଏହି ଦିବସବ୍ୟାପୀ କବିତା ଉତ୍ସବ ହାଟେଲ ମେଫେୟାର ଲଗୁନରେ ଅନୁଷ୍ଠିତ ହେବ ବୋଲି ଲେଖକ ତଥା ଉତ୍ସବ ନିଦେ୍ର୍ଦଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।

ଭୁବନେଶ୍ୱର କବିତା ଉତ୍ସବ ସଂପର୍କରେ ମତ ରଖି ପ୍ରସିଦ୍ଧ କବି, ଚିନ୍ତକ ତଥା ଏହି ଉତ୍ସବର ଉପଦେଷ୍ଟା ହରପ୍ରସାଦ ଦାସ କହନ୍ତି,

ଭୁବନେଶ୍ୱର କବିତା ଉତ୍ସବର ସଂରଚନା ଏଭଳି ଭାବରେ ହୋଇଛି ଯେ ଏହା କବିତାକୁ ନେଇ ଏକ ଲାଣ୍ଡମାର୍କ ଉତ୍ସବ ପାଲଟିବ। ବିଶ୍ୱ କବିତାର ବିଶାଳ ବୈଭବ, ଭାରତୀୟ କବିତାରେ ନୂଆ ସ୍ୱର ଓ ଓଡ଼ିଆ କବିତାର ସଦା-ପରିବର୍ତିତ ଧାରାକୁ ଏ ଉତ୍ସବ ଏକ ନୂଆ ଦିଶା ଦେଇପାରିବ। ତିନି ପିଢ଼ିର କବିଙ୍କୁ ଏ ଉତ୍ସବ ଏକାଠି କରିବା ସହ କବିତାର ଅକ୍ଷୟ ସ୍ରୋତକୁ ନୂଆ ପରିଭାଷା ଦେବ ବୋଲି ଆଶା। ପୃଥିବୀର ଯେକୌଣସି କୋଣରେ, ବିଶେଷ ଭାବେ ଓଡ଼ିଶାରେ, ଲେଖା ହେଉଥିବା ସମସାମୟିକ ନୂଆ କବିତାକୁ ଗୁରୁତ୍ୱ ଦେବା ଲାଗି ଏ ଉତ୍ସବ ଏକ କ୍ଷେତ୍ର ଭାବେ ଉଭା ହେବ।

ଉତ୍ସବରେ ୫୦ ବକ୍ତା ଓ ୫୦ ଅତିଥି କବି ଯୋଗ ଦେବେ ବୋଲି ଉତ୍ସବ ନିଦେ୍ର୍ଦଶକ ଶ୍ରୀ ପଣ୍ଡା କହିଛନ୍ତି। ସେ କହିଛନ୍ତି,

ଧୀରେଧୀରେ ଆମର ଐତିହ୍ୟ ସହର ଭୁବନେଶ୍ୱର ଦେଶର ସାଂସ୍କୃତିକ ପ୍ରାଣକେନ୍ଦ୍ରରେ ପରିଣତ ହେବାକୁ ଯାଉଛି। କଳା, ସାହିତ୍ୟ, ନୃତ୍ୟ, ସଂଗୀତ ଓ ବୌଦ୍ଧିକ ବମର୍ଶକୁ ନେଇ ପ୍ରତି ମାସରେ ଆମେ କିଛି ନା କିଛି ଉତ୍ସବ ଭୁବନେଶ୍ୱରରେ ଦେଖିବାକୁ ପାାଉଛେ। ଭୁବନେଶ୍ୱରରେ କେବଳ ୧୦ରୁ ଅଧିକ ଜାତୀୟ ସ୍ତରର ସାହିତ୍ୟ ଉତ୍ସବ ଅୟୋଜିତ ହେଉଛି। ୭ମ ଶତାବ୍ଦୀରୁ ଓଡ଼ିଆ ଭାଷାରେ କକବିତାର ଏକ ମହହାନ ପରମ୍ପରା ଏଯାବତ୍ ଚାଲିଆସିଛି। ଆମର ସାହିତ୍ୟ ପ୍ରତିବଦ୍ଧତା ଏବଂ ବିଶେଷ କରି କବିତାକୁ ଏକ ନୂଆ ଢ଼ଙ୍ଗରେ ପରସିବା ପାଇଁ ଆମେ ଭୁବନେଶ୍ୱର କବିତା ଉତ୍ସବ (ବିପିଏଫ୍ ୨୦୧୬) ଆୟୋଜନ କରୁଛୁ।

ଶୁଭ୍ରାଂଶୁ ପଣ୍ଡା ପୁନଶ୍ଚ କହିଛନ୍ତି,

ପୂର୍ବ ଭାରତରେ ଏଭଳି ଉତ୍ସବ ହେବାରେ ଭୁବନେଶ୍ୱର କବିତା ଉତ୍ସବ ହେଉଛି ପ୍ରଥମ ଉଦ୍ୟମ। କେବଳ କବିତା ପାଇଁ ଆୟୋଜିତ ଏ ଉତ୍ସବ ଭାରତୀୟ କାବ୍ୟ ପରମ୍ପରାର ପ୍ରଚାର-ପ୍ରସାର କରିବାକୁ ଲକ୍ଷ୍ୟ ରଖିଛି। ମୁଁ ଆଶା କରୁଛି, ମାତ୍ର କେତୋଟି ବର୍ଷ ମଧ୍ୟରେ ବିପିଏଫ୍ ଦେଶର ସବୁଠୁ ବଡ଼ କବିତା ଉତ୍ସବ ଭାବରେ ପରିଗଣିତ ହେବ।

ଉତ୍ସବ ସମ୍ପର୍କରେ ଅଧିକ ବିବରଣୀ, ଉତ୍ସବ ଆୟୋଜନର ଅଳ୍ପ କିଛି ଦିନ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦିଆଯିବ ବୋଲି ଶ୍ରୀ ପଣ୍ଡା ଜଣାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button