ଖେଳ

୬ ୱିକେଟରେ ବିଜୟୀ ହେଲା ବାଙ୍ଗାଲୋର

ଆଓରି(ତା୨୨|୪)- ଆଇପିଏଲ୍‍-୧୧ରେ ଶନିବାର ୨ୟ ମ୍ୟାଚ୍‍ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି)। ଏବି ଡି’ଭିଲିଅର୍ସଙ୍କ ବିଧ୍ୱଂସୀ ଇନିଂସ ବଳରେ ଦିଲ୍ଲୀ ଡେୟାରଡେଭିଲ୍‍ସକୁ ୬ ୱିକେଟ ବ୍ୟବଧାନରେ ବାଙ୍ଗାଲୋର ପରାସ୍ତ କରିଛି। ଋଷଭ ପନ୍ତ୍‍ ଓ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ୫ ୱିକେଟରେ ୧୭୪ ରନ୍‍ କରିଥିଲା। ପରେ ଏବି ଡି’ଭିଲିଅର୍ସଙ୍କ ବିସ୍ଫୋରକ ଅପରାଜିତ ୯୦ ରନ୍‍ର ଇନିଂସ ବଳରେ ୧୮ ଓଭରରେ ୪ ୱିକେଟ ହରାଇ ଆର୍‍ସିବି ଜିତିଥିଲା। ୫ମ ମ୍ୟାଚ୍‍ରେ ଏହା ବାଙ୍ଗାଲୋରର ୨ ବିଜୟ ହୋଇଥିବା ବେଳେ ସମାନ ସଂଖ୍ୟକ ମ୍ୟାଚ୍‍ ଖେଳି ଦିଲ୍ଲୀ ୪ର୍ଥ ପରାଜୟ ଭୋଗିଛି।
ଦିଲ୍ଲୀ ପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରାରମ୍ଭିକ ବ୍ୟାଟିଂ ମଧ୍ୟ ନୈରାଶ୍ୟଜନକ ଥିଲା। ୫ମ ଓଭରରେ ୨୯ ରନ୍‍ ସ୍କୋର୍‍ରେ ଆର୍‍ସିବି ୨ ଓପ୍‍ନରଙ୍କୁ ହରାଇଥିଲା। ମନନ ବୋହ୍‍ରା ୨ ଓ କ୍ୱିଣ୍ଟନ୍‍ ଡି କକ୍‍ ୧୬ ବଲ୍‍ରୁ ୧୮ ରନ୍‍କରି ଆଉଟ୍‍ ହୋଇ ଯାଇଥିଲେ। ପରେ ବିରାଟ କୋହଲି କଳାତ୍ମକ ବ୍ୟାଟିଂ କରିଥିବା ବେଳେ ଏବି ଡି’ଭିଲିଅର୍ସ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୩ୟ ୱିକେଟ ପାଇଁ ଦୁଇ ସୁପରଷ୍ଟାର କୋହଲି-ଡି’ଭିଲିଅର୍ସ ୩୯ ବଲ୍‍ରୁ ୬୩ ରନ୍‍ ଯୋଡ଼ିଥିଲେ। ଟ୍ରେଣ୍ଟ ବୋଲ୍‍ଟଙ୍କ ଦର୍ଶନୀୟ କ୍ୟାଚ୍‍ରେ ଆଉଟହେବା ପୂର୍ବରୁ କୋହଲି ୨୬ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୦ ରନ୍‍ କରିଥିଲେ। ୪ର୍ଥ ୱିକେଟ ପାଇଁ ଡି’ଭିଲିଅର୍ସଙ୍କ ସହ କୋରି ଆଣ୍ଡରସନ୍‍ ୨୯ ବଲ୍‍ରୁ ୫୬ ରନ୍‍ ଯୋଡ଼ିଥିଲେ। ବାମହାତି ଆଣ୍ଡରସନ୍‍ ୧୩ ବଲ୍‍ରୁ ୧୫ ରନ୍‍ କରିଥିଲେ। ଅନ୍ୟପଟେ ଡି’ଭିଲିଅର୍ସଙ୍କ ବାଉଣ୍ଡରୀ ବର୍ଷା ଜାରି ରହିଥିଲା। ଡି’ଭିଲିଅର୍ସ ମାତ୍ର ୩୯ ବଲ୍‍ରୁ ୫ଟି ଛକା ଓ ୧୦ଟି ଚୌକା ସହ ୯୦ ରନ୍‍କରି ଅପରାଜିତ ଥିଲେ। ମନଦୀପ ସିଂହ ୯ ବଲ୍‍ରୁ ୧୭ ରନ୍‍କରି ଅପରାଜିତ ଥିଲେ। ଡି’ଭିଲିଅର୍ସ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ଘୋଷିତ ହୋଇଥିଲେ।
ଟସ୍‍ ଜିତି ଘରୋଇ ଆର୍‍ସିବି ଫିଲ୍‍ଡିଂ ନେବା ପରେ ୬ଷ୍ଠ ଓଭରରେ ମାତ୍ର ୨୩ ରନ୍‍ ସ୍କୋର୍‍ରେ ଦିଲ୍ଲୀ ଡେୟାରଡେଭିଲ୍‍ସ ୨ଟି ୱିକେଟ ହରାଇଥିଲା। ଜେସନ୍‍ ରୟ ୧୬ ବଲ୍‍ରୁ ୫ ଓ ଅଧିନାୟକ ଗୌତମ ଗମ୍ଭୀର ୧୦ ବଲ୍‍ରୁ ୩ ରନ୍‍କରି ଆଉଟ ହୋଇଥିଲେ। ପରବର୍ତ୍ତୀ ୪୯ ବଲ୍‍ରୁ ୭୫ ରନ୍‍ ହୋଇଥିଲା। ଦୁଇ ଯୁବ ବ୍ୟାଟ୍‍ସମ୍ୟାନ୍‍ ଶେୟାସ ଆୟର ଓ ଋଷଭ ପନ୍ତ୍‍ ୩ୟ ୱିକେଟ ପାଇଁ ୭୫ ରନ୍‍ ଯୋଡ଼ିଥିଲେ। ଆୟର ଆକର୍ଷଣୀୟ ଇନିଂସ ଖେଳି ୩୧ ବଲ୍‍ରୁ ୩ଟି ଛକା ଓ ୪ଟି ଚୌକା ସହ ୫୨ ରନ୍‍ କରିଥିଲେ। ଗ୍ଲେନ୍‍ ମ୍ୟାକ୍ସୱେଲ ପୁଣି ବିଫଳ ହୋଇ ୪ ରନ୍‍କରି ବିଦାୟ ନେଇଥିଲେ। ପରେ ବାମହାତି ପନ୍ତ୍‍ ପ୍ରହାର ଆରମ୍ଭ କରିଥିଲେ। ଫଳରେ ଶେଷ ୫ ଓଭରରୁ ଦିଲ୍ଲୀ ୭୧ ରନ୍‍ ସ୍କୋର୍‍ କରି ପାରିଥିଲା। ରଷଭ ପନ୍ତ୍‍ଙ୍କ ଇନିଂସ ଯୋଗୁଁ ଦିଲ୍ଲୀ ୧୭୪ ରନ୍‍ରେ ପହଞ୍ଚି ପାରିଥିଲା। ପନ୍ତ୍‍ ୪୮ ବଲ୍‍ରୁ ୭ଟି ଛକା ଓ ୬ଟି ଚୌକା ସହ ୮୫ ରନ୍‍ କରିଥିଲେ। ରାହୁଲ ତିୱାତିଆ ୧୩ ରନ୍‍କରି ଅପରାଜିତ ଥିଲେ। ୟୁଜୁବେନ୍ଦ୍ର ଚହଲ ୨ଟି ୱିକେଟ ପାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button