ବ୍ୟକ୍ତିତ୍ଵ

ପଶ୍ଚିମ ଓଡ଼ିଶାର ବଳସିଂହା ଗାଁରୁ ଜର୍ମାନୀର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ

ଆ.ଓ.ରି(ତା୩୧|୫)-ସାଧାରଣ ପରିବାରରୁ ଆସିଥିବା ଶେଷା କିଶାନ୍ ନାମକ ଜଣେ ଯୁବକ ଆଜି ଜର୍ମାନୀର ଗଟିନ୍‌ଜେନ୍‌ ସ୍ଥିତ ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଆସୋସିଏଟ୍। ତାଙ୍କର ଅସାଧାରଣ ପ୍ରତିଭା, ଦୃଢ଼ ମନୋବଳ ଓ ସାଧନା ଯୋଗୁ ଏକ ଚାଟଶାଳୀରୁ ପାଠପଢ଼ି ଆଜି ସେ ଜର୍ମାନୀର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ୍ ଭାବେ ଯୋଗଦାନ କରିପାରିଛନ୍ତି।

ବାଲ୍ୟକାଳରୁ ବାପା-ମାଆଙ୍କୁ ହରାଇଥିବା ଶେଷା କିଶାନ୍ ନାମକ ଜଣେ ୨୪ ବର୍ଷୀୟ ଯୁବକଙ୍କ ସାଧନା ହିଁ ତାଙ୍କୁ ଆଣି ଦେଇଛି ସଫଳତା। ତାଙ୍କର ଏହି ଅସାଧାରଣ କୃତିତ୍ୱରେ ମୁଗ୍ଧ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରି  ଓଡ଼ିଶା ଖଣି ନିଗମ ପକ୍ଷରୁ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି।

ସଚିବାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶେଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷା ଜଣେ ରିସର୍ଚ୍ଚ ଆସୋସିଏଟ୍ ଭାବେ ମାସକୁ ୨ ଲକ୍ଷ ଟଙ୍କା ପାଇବେ।

ରାଜ୍ୟ ଓ ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ସେ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଛନ୍ତି।

୨୪ ବର୍ଷୀୟ ଶେଷା ଗାଁର ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିଥିଲେ। ବାପା ଗରିବ ଥିବାରୁ ସ୍କୁଲର ମଧ୍ୟାହ୍ନ ଭୋଜନ ଥିଲା ତାଙ୍କ ପାଇଁ ସ୍କୁଲକୁ ଯିବାପାଇଁ ଏକମାତ୍ର ଆଗ୍ରହ। ଧିରେ ଧିରେ ସେ ଶିକ୍ଷା ଲାଭ ପ୍ରତି ଆତ୍କୃଷ୍ଟ ହେଲେ ଏବଂ କ୍ରମାଗତଭାବେ ୫ ବର୍ଷ ଧରି ବଳସିଂହା ସେବାଶ୍ରମ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ଶ୍ରେଷ୍ଠ ଛାତ୍ର ପୁରସ୍କାର ପାଇଥିଲେ। ଦ୍ୱାଦଶ ଶ୍ରେଣୀରେ ସେ ନେଷ୍ଟ୍‌ ପରୀକ୍ଷାରେ ସଫଳ ହୋଇଥିଲେ ମଧ୍ୟ ପିତାଙ୍କ ଦେହାନ୍ତ ଯୋଗୁ ସେ ଗାଁକୁ ଯାଇଥିବାରୁ ନିଜର ସଫଳତା ବିଷୟରେ ଜାଣିପାରିଲେ ନାହିଁ କିମ୍ବା ନାଇଜରରେ ନାମ ଲେଖାଇ ପାରିଲେ ନାହିଁ।

ଏହାପରେ ସେ ଭୁବନେଶ୍ୱରର ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଏଜୁକେସନ୍‌ରେ ନାମ ଲେଖାଇ ପାଠ ପଢ଼ିଲେ। ତା ପର ବର୍ଷ ମଧ୍ୟ ସେ ନେଷ୍ଟ୍‌ ପରୀକ୍ଷାରେ କୃତୀତ୍ୱ ହାସଲ କରି ନାଇଜରରେ ନାମ ଲେଖାଇଥିଲେ। ଏହାପରେ ଆମେରିକାର ବିଭିନ୍ନ ଜର୍ଣ୍ଣାଲରେ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶିତ ହେଲା। ପରେ ସେ ଜର୍ମାନୀର ଗଟିନ୍‌ଜେନ୍ ସ୍ଥିତ ଅଗଷ୍ଟ ବିଶ୍ୱବିଦ୍ୟାଳୟରେ ଜଣେ ରିସର୍ଚ୍ଚ ଆସୋସିଏଟ୍‌ ଭାବେ ଯୋଗଦାନ କରିବାପାଇଁ ମନୋନୀତ ହୋଇଛନ୍ତି। ଏଠାରେ ସେ ମାସକୁ ୨୧୫୮ ୟୁରୋ ବୃତ୍ତି ଆକାରରେ ପାଇବେ। ଯାହାର ଭାରତୀୟ ମୁଦ୍ରାରେ ମାସିକ ୨ ଲକ୍ଷା ଟଙ୍କା ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button