ରାଜ୍ୟ

ପ୍ରଧାନମନ୍ତ୍ରୀଙ୍କ ହସ୍ତାକ୍ଷର , ରିତାଙ୍କ ଜୀବନରେ ଆଣିଲା ନୂଆ ମୋଡ

ଆଓରି-ବ୍ୟୁରୋ(୨୭/୭) : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦି ଅଗଣିତ ହସ୍ତାକ୍ଷର ଦେଇଥିବେ। କିନ୍ତୁ ତାଙ୍କ ହସ୍ତାକ୍ଷର ଯେ ଜଣେ ଗରିବ ଯୁବତୀଙ୍କ ପାଇଁ ବିବାହ ପ୍ରସ୍ତାବ ଆଣିଦେବ ତାହା ଅବିଶ୍ୱସନୀୟ। ଏଭଳି ବାସ୍ତବ ଘଟଣା ଘଟିଛି ପଶ୍ଚିମବଙ୍ଗର ସାଲଗେରା ଗ୍ରାମରେ। ପ୍ରଧାନମନ୍ତ୍ରୀଙ୍କ ଅଟୋଗ୍ରାଫ୍‍ ଯୁବତୀଙ୍କୁ ରାତାରାତି ସେଲିବ୍ରିଟି କରି ଦେଇଛି।
କୋଲକତାର ମିଦନାପୁରଠାରେ ପ୍ରଧାନମନ୍ତ୍ରୀ କୃଷକଙ୍କୁ ସମ୍ବୋଧିତ କରୁଥିବା ଶୁଣିବା ପରେ ତାଙ୍କ ଭାଷଣ ଶୁଣିବାକୁ ଗତ ୧୬ ତାରିଖ ଦିନ ବାଙ୍କୁରା ଜିଲାର ସାଲଗେରା ଗ୍ରାମରେ ରହୁଥିବା ୧୯ ବର୍ଷୀୟ ରିତା ମୁଡି ତାଙ୍କ ମା’ ଓ ଭଉଣୀଙ୍କ ସହିତ ଯାଇଥିଲେ। ସଭା ବେଳେ ଟେଣ୍ଟ ଭୁଶୁଡ଼ିବା ଯୋଗୁଁ ଯେଉଁମାନେ ଆହତ ହୋଇଥିଲେ ସେମାନଙ୍କ ମଧ୍ୟରେ ରିତାଙ୍କ ପରିବାର ମଧ୍ୟ ଥିଲେ। ହସ୍ପିଟାଲ୍‍ରେ ଆହତଙ୍କୁ ଦେଖିବାକୁ ପ୍ରଧାନମନ୍ତ୍ରୀ ଆସିଥିବା ବେଳେ ରିତା ତାଙ୍କୁ ଅଟୋଗ୍ରାଫ୍‍ ଦେବା ପାଇଁ ଅନୁରୋଧ କରିଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ଅରାଜି ହୋଇଥିଲେ ମଧ୍ୟ ପରେ ସ୍ମିତହସ ସହିତ ଅଟୋଗ୍ରାଫ୍‍ ଦେଇଥିଲେ। ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଠାରୁ କାଗଜ ଆଣି ମୋଦି ତା ଉପରେ ଲେଖିଥିଲେ ‘ରିତା ମୁଡି ତୁମେ ସୁଖୀ ରୁହ’। ବାସ୍‍ ଏହି ଧାଡ଼ିଟି ହିଁ ରିତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା।
ରିତାଙ୍କ ମା’ଙ୍କ କହିବା ଅନୁଯାୟୀ ଡାକ୍ତରଖାନାରେ ଥିବା ବେଳେ ସେମାନଙ୍କୁ କେହି ପଚାରୁ ନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଅଟୋଗ୍ରାଫ୍‍ ପରେ ସେମାନଙ୍କ ପାଖକୁ ଲୋକଙ୍କ ସୁଅ ଛୁଟିଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ମାନ୍ୟଗଣ୍ୟ ବ୍ୟକ୍ତି ନେତା ମଧ୍ୟ ଆସିଥିଲେ। ଏପରିକି ମାତ୍ର ଦୁଇ ଦିନ ମଧ୍ୟରେ ରିତାଙ୍କ ପାଇଁ ଦୁଇଟି ବିବାହ ପ୍ରସ୍ତାବ ଆସିଥିଲା। ଏହାପୂର୍ବରୁ ବର ପାତ୍ର ପକ୍ଷରୁ ୧ ଲକ୍ଷ ଟଙ୍କା ଯୌତୁକ ଦାବି ହେବାରୁ ବିବାହ ହୋଇପାରି ନ ଥିଲା।
ଝାଡ଼ଖଣ୍ଡର ଟାଟାନଗରର ଜଣେ ବ୍ୟବସାୟୀ ରିତାଙ୍କୁ ବିନା ଯୌତୁକରେ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏପରିକି ତାଙ୍କ ଘର ବୁଲି ଦେଖିବା ପରେ ହିଁ ବିବାହ ପ୍ରସ୍ତାବ ବିଷୟରେ ଚିନ୍ତା କରିବା ପାଇଁ ବ୍ୟବସାୟୀ ବରପାତ୍ର ରିତାଙ୍କ ପରିବାରକୁ ଅନୁରୋଧ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button