ସହିଦନଗର ଥାନାରେ ପଶି ଅଭିଯୁକ୍ତଙ୍କୁ ଆକ୍ରମଣ; ଅଟକାଇବାକୁ ଯାଇ ପୁଲିସ କର୍ମଚାରୀ ଆହତ
1 min read
ଆଓରି-ଭୁବନେଶ୍ଵର(୦୪/୦୩) : ଭୁବନେଶ୍ଵର ସହିଦ ନଗର ଥାନାରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କେତେଜଣ ଦୁର୍ବୃତ୍ତ ଥାନାରେ ପଶି ଅଭିଯୁକ୍ତଙ୍କୁ ଆକ୍ରମଣ କରିଛନ୍ତି। ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରି ଆକ୍ରମଣର ଶିକାର ହୋଇଛି। ଦୁର୍ବୃତ୍ତଙ୍କ ମାଡ଼ରେ ଥାନା ଅଧିକାରୀଙ୍କ ସମେତ ୪ ପୁଲିସ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି। ଏପରି କି ଦୁର୍ବୃତ୍ତମାନେ ଥାନାରେ ଚୌକି, ଟେବୁଲ, ଫୁଲକୁଣ୍ଡ, ସିସିଟିଭି କ୍ୟାମେରା ଆଦି ଭଙ୍ଗାରୁଜା କରିଛନ୍ତି।
ସୂଚନା ମୁତାବକ, ରବିବାର ରାତି ପ୍ରାୟ ୯ଟାରେ ଭିଏସଏସ ନଗରର ଜିଏଲ କଲୋନୀରେ ଦୁଇଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ଗାଡ଼ିର ଚାଳକଙ୍କ ମଧ୍ୟରେ ବଚସା ଚାଲିଥିବା ବେଳେ ସ୍ଥାନୀୟ ଜଣେ ଯୁବନେତା ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଉଭୟ ଚାଳକ ତାଙ୍କୁ ଆକ୍ରମଣ କରିଥିଲେ। ସେ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରୁ ୩ ଜଣଙ୍କୁ ଥାନାକୁ ଆଣିଥିଲା। କିଛି ସମୟ ପରେ ୮ରୁ ୧୦ ଯୁବକ ଥାନାକୁ ପଶି ସମ୍ପୃକ୍ତ ୩ ଜଣଙ୍କୁ ଭିଡ଼ି ଆଣି ନିସ୍ତୁକ ମାଡ଼ ମାରିଥିଲେ। ଥାନାରେ ଉପସ୍ଥିତ ଥିବା ଏଏସଆଇ ଏମ.ସି.ଏଚ. ମୁର୍ମୁ ଅଟକାଇଥିଲେ। କିନ୍ତୁ ସେମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପରେ ଥାନାରେ ଉପସ୍ଥିତ ଅନ୍ୟ ୨ ପୁଲିସ କର୍ମଚାରୀ ଏବଂ ଆଇଆଇସି ଆସି ସମ୍ପୃକ୍ତ ଯୁବକମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ କାହାକୁ ଛାଡ଼ି ନ ଥିଲେ। ପୁଲିସ, ଅଭିଯୁକ୍ତ ସମସ୍ତଙ୍କୁ ମାଡ଼ ମାରିଥିଲେ। ଜଣେ ପୁଲିସ କର୍ମଚାରୀଙ୍କର ମୁଣ୍ଡ ଫାଟିଯାଇଥିଲା। ପରେ ସେମାନେ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ଅନ୍ୟ ପୁଲିସ କର୍ମଚାରୀମାନେ ସେମାନଙ୍କୁ କାବୁ କରିଥିଲେ।
ଅନ୍ୟପଟେ ଏହି ଘଟଣା ପରେ କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠିଛି। ଯେଉଁଠି ଦୁର୍ବୃତ୍ତମାନେ ଥାନାରେ ପଶି ଅଭିଯୁକ୍ତ ଏବଂ ପୁଲିସକୁ ଆକ୍ରମଣ କରିପାରୁଛନ୍ତି ସେଠାରେ ଜନସାଧାରଣ କେତେ ସୁରକ୍ଷିତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।