ଅପରାଧ

ଖାରବେଳ ସ୍ଵାଇଁଙ୍କୁ ମାଡ ମାରିଥିବା ଯୁବକର ବିଜେଡି ନେତାଙ୍କ ସହ ସମ୍ପର୍କ

ଆଓରି-ଭୁବନେଶ୍ଵର(୨୫/୧୧) : ଉତ୍କଳ ଭାରତ ସଭାପତି ଖାରବେଳ ସ୍ଵାଇଁଙ୍କୁ ରାୟଗଡ଼ା କାଶୀପୁରରେ ଆକ୍ରମଣ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି  । ମାଡ଼ ମାରିଥିବା ଅଭିଯୁକ୍ତ ସୁକାନ୍ତ ନାୟକ ବିଜେଡି କର୍ମୀ ବୋଲି ସୋସିଆଲ ମିଡ଼ିଆରେ ଚର୍ଚା ହେଉଥିବା ବେଳେ ବିଜେଡି ରାଜ୍ୟ ସଂପାଦକ ଜଗଦୀଶ ପାତ୍ରଙ୍କ ସହ ଥିବା ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି ।  ଅଭିଯୁକ୍ତ ସୁକାନ୍ତ ପୂର୍ବରୁ ଡ୍ରାଇଭର ଭାବେ ଜଗଦୀଶ ପାତ୍ରଙ୍କ ଗାଡି ଚଳାଉଥିବା ଜଣାପଡ଼ିଥିବା ବେଳେ ତାଙ୍କର ସଂପର୍କ ବିଜେଡି ସହିତ ରହିଛି । ସେପଟେ ଜଗଦୀଶ ପାତ୍ରଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଥିବାରୁ ଏହାକୁ ନେଇ ମଧ୍ୟ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି।

ଖାରବେଳ ସ୍ଵାଇଁଙ୍କୁ ଅତି କଦର୍ଯ୍ୟ ଭାଷାରେ ସୁକାନ୍ତ ଗାଳି କରୁଥିବା ଏବଂ  ବିଜେଡି ବିରୋଧରେ କହିଲେ ମାରିଦେବୁ ବୋଲି ଅଭିଯୁକ୍ତ କହୁଥିବା ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସୋସିଆଲ ମିଡ଼ିଆରେ ଏଭଳି ଗୁଣ୍ଡାରାଜକୁ ସମସ୍ତେ ନିନ୍ଦା କରୁଛନ୍ତି । ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ଆଳି, ଖଇରା ପରେ ପୁଣି ଶନିବାର  ଆକ୍ରମଣ ହୋଇଥିବାରୁ ପୋଲିସକୁ ମଧ୍ୟ ଅନେକ ଦୋଷ ଦେଉଛନ୍ତି ।

ଆଇନ ଶୃଙ୍ଖଳା ରକ୍ଷା କରିବାରେ ପୋଲିସ ତାର ଦାୟିତ୍ଵ ତୁଲାଉ ନଥିବା ଚର୍ଚା ହେଉଛି ।  ଯୁବକ ଜଣଙ୍କ  ନିଜେ ବିଜେଡି ଲୋକ ବୋଲି କହିଥିବା ଖାରବେଳ ଅଭିଯୋଗ କରିଛନ୍ତି । ହେଲେ ଏହି ଅଭିଯୋଗକୁ ବିଜେଡିର ନେତା ପ୍ରବକ୍ତା ଖଣ୍ଡନ କରିଛନ୍ତି।  ବିଜେଡି ମୁଖପାତ୍ର ସଂସ୍କିତ ପାତ୍ର,  ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ଏନ୍‌ ଭାସ୍କର ରାଓ ମଧ୍ୟ ବିରୋଧିଙ୍କ ଅଭିଯୋଗକୁ ମିଛ କହିଛନ୍ତି । ଆକ୍ରମଣକାରୀ ଯୁବକ ଜଣକ ତାଙ୍କ ଦଳର ନୁହେଁ ବୋଲି ବିଜେଡି ନେତାମାନେ ସଫେଇ ଦେଇଛନ୍ତି ।

କାଶୀପୁରରେ ଖାରବେଳଙ୍କ ପଥପ୍ରାନ୍ତ ସଭାକୁ ଯିବା ପୂର୍ବରୁ କାହିଁକି ପୋଲିସ ସୁରକ୍ଷା ଦେଇନଥିଲା ଓ କାହା ଇଙ୍ଗିତରେ ପୁଲିସ ସେଠାକୁ ଯାଇନଥିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।  ନିଜ ଭାଷଣକୁ ଫେସ୍‌ବୁକ୍‌ରେ ଲାଇଭ କରୁଥିଲେ ବେଳେ ଠିକ୍ ଏହି ସମୟରେ ସମ୍ପୃକ୍ତ ଯୁବକ ସୁମନ୍ତ ଖାରବେଳଙ୍କୁ ଗାଳି ଧମକ ଦେବା ସହ ମାଡ଼ ମାରୁଥବା  ଦୃଶ୍ୟ ଫେସବୁକରେ ଲାଇଭ ହୋଇଥିଲା । ବିଭିନ୍ନ ଗଣମାଧ୍ୟମରେ ଏହି ଦୃଶ୍ୟ ଖବର ସହ ପରିବେଷଣ କରାଯାଇଥିବା ବେଳେ ଖାରବେଳଙ୍କ ସହଯୋଗୀ ମଧ୍ୟ ଥାନାକୁ ଯାଇ ଜଣାଇଥିଲେ । ତଥାପି ଥାନାରୁ ପୁଲିସ ଆସି ତାଙ୍କୁ ସୁରକ୍ଷା ଦେଇନଥିଲା ।  ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button