ଖେଳ

୧୨୫ କୋଟି ଭାରତୀୟଙ୍କୁ ରୁପା ଉପହାର ଦେଲେ  ଦୌଡ଼ରାଣୀ ଦୂତି ଚାନ୍ଦ

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୨୭/୮) : ଦୌଡ଼ରାଣୀ ଦୂତି ଚାନ୍ଦ ପୁଣିଥରେ କମାଲ କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ୧୨୫ କୋଟି ଭାରତୀୟଙ୍କୁ ରୁପା ଉପହାର ଦେଇଛନ୍ତି। ନିଜ ରାଜ୍ୟ ଓଡ଼ିଶା ପାଇଁ ବି ଗୌରବ ଆଣିଛନ୍ତି। ଏଥିସହିତ, ଏସିଆଡ଼୍‌ରେ ନୂଆ ଇତିହାସ ରଚିଛନ୍ତି। ଇଣ୍ଡୋନେସିଆର ଜାକର୍ତାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ର ଫାଇନାଲ୍‌ ଖେଳ ଚାଲିଥିବା ସମୟରେ ଆଜି ଦୂତିଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ଦୂତି ଶନିବାରର ଯୋଗ୍ୟତା ପର୍ଯ୍ୟାୟରେ ନିଜ ହିଟ୍‌ର ପ୍ରଥମ ସ୍ଥାନ (୧୧.୩୮ ସେକେଣ୍ଡ)ରେ ରହି ସେମିଫାଇନାଲରେ ପ୍ରବେଶ କରିଥିଲେ। ରବିବାର ଅପରାହ୍ନ ୫ଟାରେ ଆୟୋଜିତ ସେମିଫାଇନାଲରେ ୧୧.୪୩ ସେକେଣ୍ଡ ସମୟ ସହ ପଞ୍ଚମ ସ୍ଥାନରେ ରହି ଫାଇନାଲ୍‌ ଟିକେଟ ହାସଲ କରିନେଇଥିଲେ।

ଫାଇନାଲ ପାଇଁ ସେ ଯେମିତି ନିଜର ଶ୍ରେଷ୍ଠ ପ୍ରଦର୍ଶନ ସାଇତି ରଖିଥିଲେ। ୮ ଜଣିଆ ଫାଇନାଲର ୭ ନମ୍ବର ଲେନ୍‌ରେ ଧମାକାଦାର ଆରମ୍ଭ କରିଥିଲେ ସେ। ଏପରିକି ଅଧାରୁ ଅଧିକ ଦୂରତା ପର୍ଯ୍ୟନ୍ତ ଆଗୁଆ ରହିଥିଲେ। ନିଜଠାରୁ ଢେର ଉଚ୍ଚତା ବିଶିଷ୍ଟ ଅନେକ ପ୍ରତିଯୋଗୀଙ୍କୁ ଦୂତି ନିଜ ଗତି ଜରିଆରେ ଇତିମଧ୍ୟରେ ଧୂଳି ଚଟାଇ ଦେଇଥିଲେ। ଶେଷ ୨୦ ମିଟରରେ ବାହାରିନର ଏଦିଦିଅଙ୍ଗ ଓଦିଓଙ୍ଗ ବାଜି ମାରି ନେଇଥିଲେ। ନିଜ ଉଚ୍ଚତାର ଉପଯୋଗ କରି ୧୧.୩୦ ସେକେଣ୍ଡ ସମୟ ସହ ଫଟୋ ଫିନିସ୍‌ରେ ଆଗୁଆ ରହି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଦୂତି ତାଙ୍କଠାରୁ ମାତ୍ର ୦.୦୨ ସେକେଣ୍ଡ ସମୟ ଅଧିକ ନେଇ ରୌପ୍ୟ ପାଇଥିଲେ। ଫାଇନାଲ୍‌ ଫଳାଫଳ ପୂର୍ବରୁ କିଛିଟା ଦ୍ୱନ୍ଦ୍ୱ ଉତ୍ପନ୍ନ ହୋଇଥିଲା। ଏପରିକି ସ୍ୱର୍ଣ୍ଣ ଜିତିଛନ୍ତି ନା ରୌପ୍ୟ ଦୂତି ତାହା ଜାଣି ପାରି ନଥିଲେ। ପରେ ଆୟୋଜକମାନେ ଓଦିଓଙ୍ଗ ସ୍ୱର୍ଣ୍ଣ ଜିତିଥିବା ସ୍ପଷ୍ଟ କରିଥିଲେ। ଦୂତିଙ୍କ ରୌପ୍ୟ ଭାରତ ପାଇଁ ଥିଲା ରବିବାରର ସପ୍ତମ ଓ ଶେଷ ପଦକ । ୪୦୦ ମିଟର ବାଧାଦୌଡ଼ରେ ଓଡ଼ିଆ ଝିଅ ଜଉନା ମୁର୍ମୁ ଫାଇନାଲରେ ପ୍ରବେଶ କରିଛନ୍ତି। ସେଥିମଧ୍ୟ ଦୌଡ଼କୁଦରୁ ଓଡ଼ିଶାକୁ ଆଉ ଏକ ପଦକ ଆସିବାର ଆଶା ଉଜ୍ଜୀବୀତ ହୋଇଛି।

ଦୂତିଙ୍କ ପୂର୍ବରୁ ରଚିତା ମିସ୍ତ୍ରୀ (ପଣ୍ଡା) ୧୯୯୮ ବ୍ୟାଙ୍କକ୍‌ ଏସିଆଡ଼୍‍ରେ ୧୦୦ ମିଟର କାଂସ୍ୟ (୧୧.୪୧ ସେକେଣ୍ଡ) ଏବଂ ପ୍ରଣତି ମିଶ୍ର (୧୯୯୦) ବେଜିଂ ଏସିଆଡ଼୍‌ରେ ୪ ଗୁଣା ୪୦୦ ରିଲେ ରୌପ୍ୟ ଜିତିଥିଲେ। ଏସିଆଡ଼୍‌ର ଦୌଡ଼କୁଦରେ ବ୍ୟକ୍ତିଗତ ରୌପ୍ୟ ଜିତିବାରେ କିନ୍ତୁ ଦୂତି ପ୍ରଥମ ଓଡ଼ିଆ ହେବାର ଗୌରବ ଅର୍ଜନ କରିଛନ୍ତି। ରଚିତା କାଂସ୍ୟ ଜିତିବାର ଦୀର୍ଘ ୨୦ ବର୍ଷ ପରେ ସେ ମଧ୍ୟ ଦୌଡ଼କୁଦରୁ ଓଡ଼ିଶା ପାଇଁ ପ୍ରଥମ ଏସିଆଡ଼୍‍ ପଦକ ଜିତିଛନ୍ତି। ଏହା ମଧ୍ୟ ମହିଳା ୧୦୦ ମିଟରରେ ଦୁଇ ଦଶନ୍ଧିର ବ୍ୟବଧାନ ପରେ ଭାରତର ପ୍ରଥମ ପଦକ। ଦୂତି ମଧ୍ୟ ଆଜି ପୟୋଲି ଏକ୍ସପ୍ରେସ୍‌ ପିଟି ଉଷାଙ୍କ ବ୍ୟକ୍ତିଗତ କୀର୍ତ୍ତିମାନ ଭାଙ୍ଗିଛନ୍ତି। ୧୯୮୫ ଜାକର୍ତା ଏସୀୟ ଚାମ୍ପିଅନସିପ୍‌ରେ ଉଷା ୧୧.୩୯ ସେକେଣ୍ଡର ନିଜ ଶ୍ରେଷ୍ଠ ସମୟର ପ୍ରଦର୍ଶନ କରିଥିଲେ। ଦୂତି ତାଙ୍କଠାରୁ ୦.୦୭ ସେକେଣ୍ଡ କମ୍‌ ନେଇ ରେସ୍‌ ଶେଷ କରିଥିଲେ।

ଏହି ସଫଳତା ହାସଲ କରିବାରେ ଏବଂ ନିଜ ପାଇଁ ସଫଳତାର ଫର୍ଦ୍ଦ ଯୋଡ଼ିବାରେ ଦୂତି ହେଉଛନ୍ତି ୨୦ତମ ଓଡ଼ିଆ। ୨୨ ବର୍ଷୀୟା ଦୂତି ଗତବର୍ଷ ଭୁବନେଶ୍ୱରରେ ଆୟୋଜିତ ଏସୀୟ ଦୌଡ଼କୁଦର ୧୦୦ ମିଟର ଏବଂ ୪ ଗୁଣା ୧୦୦ ରିଲେରେ ଦୁଇଟି କାଂସ୍ୟ ଜିତିଥିଲେ। ୫ ବର୍ଷ ତଳେ ପୁନେ ଏସିଆନ୍‌ର ୨୦୦ ମିଟରରେ କାଂସ୍ୟ ଜିତିଥିଲେ। ଯାହା ତାଙ୍କର ପ୍ରଥମ ବରିଷ୍ଠ ବର୍ଗ ପଦକ ଥିଲା। ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଦୂତି। ହେଲେ ହାଇପରଆଣ୍ଡ୍ରୋଜେନ୍‌ ଷଡ଼ଯନ୍ତ୍ରର ଶିକାର ହୋଇ ଏଥିରୁ ବଞ୍ଚିତ ହୋଇଥିଲେ। କୌଣସି ପରିସ୍ଥିତିରେ ହାର ମାନୁ ନଥିବା ଦୂତି ଦୀର୍ଘ ଆଇନଗତ ଲଢ଼େଇରେ ବିଜୟିନୀ ହେବା ସହ ୪ ବର୍ଷ ପରେ ନିଜ ଏସିଆଡ଼୍‍ ପଦକ ଜିତିବା ସ୍ୱପ୍ନ ପୂରଣ କରିଛନ୍ତି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଶୁଭେଚ୍ଛା ଓ ଶୁଭକାମନା ନେଇ ଇଣ୍ଡୋନେସିଆ ଯାଇଥିଲେ ଦୂତି। ତା’ର ସମ୍ମାନ ରଖିବାରେ ସଫଳ ହୋଇଛନ୍ତି ଏହି ଯାଜପୁର ମାଟିର ସୁନା ଝିଅ ଦୂତି ଚାନ୍ଦ।

Related Articles

Leave a Reply

Your email address will not be published. Required fields are marked *

Back to top button