ଆଜି ହେବ ଶୁଣାଣି ଆଶାରାମଙ୍କ
1 min read
ଆଓରି(ତା୨୪|୪)-ଆଶାରାମ ଦୁଷ୍କର୍ମ ମାମଲାରେ ଆଜି ହେବ ଶୁଣାଣି। ରାଜସ୍ଥାନର ଯୋଧପୁର ଟ୍ରାୟାଲ କୋର୍ଟରେ ଏହି ମାମଲାର ଶୁଣାଣି ହେବ। ଆଶାରାମଙ୍କ ବିରୋଧରେ ଉତ୍ତରପ୍ରଦେଶ ଶାହାଜାହାନପୁରର ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲା ରହିଛି।
ଆଶାରାମଙ୍କ ହଜାର ହଜାର ସଂଖ୍ୟାରେ ଅନୁଗାମୀ ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଛି। ଏଥିଲାଗି ଯୋଧପୁର କେନ୍ଦ୍ରୀୟ କାରାଗାରରେ ଏକ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଇ ଶୁଣାଣି କରାଯିବ। ଏଠାରେ ଆଶାରାମଙ୍କ ସହ ଅନ୍ୟ ୪ ସହଯୋଗୀ ଅଭିଯୁକ୍ତଙ୍କ ମଧ୍ୟ ଶୁଣାଣି ହେବ। ଏଥିପାଇଁ ସ୍ୱତନ୍ତ୍ର କୋର୍ଟରେ ସମସ୍ତ ବ୍ୟବସ୍ଥା କରାଯାଇଛି।
ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଜାରି ହୋଇଛି ନିର୍ଦ୍ଦେଶନାମା। ରାଜସ୍ଥାନ, ଗୁଜରାଟ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ସୁରକ୍ଷା କଡାକଡି କରିବା ସହ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଶାହାଜାହାନପୁରରେ ପୀଡ଼ିତାଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି।
ଯୋଧପୁରରେ ଆଶାରାମଙ୍କ ଥିବା ଆଶ୍ରମଙ୍କୁ ଖାଲି କରିଛି ପୋଲିସ। ଏହାସହ ସହରରେ ଆଶାରାମଙ୍କ କୌଣସି ଅନୁଗାମୀଙ୍କୁ ହୋଟେଲ କିମ୍ଭା ଅନ୍ୟ କୌଣସି ସ୍ଥାନରେ ନରଖିବାକୁ ନିର୍ଦ୍ଦେଶ ଜାରି କରିଛି। ଯୋଧପୁର ପୋଲିସ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ବିମାନବନ୍ଦର ଉପରେ ନଜର ରଖିଛି। ପୋଲିସ ସହରର ସମସ୍ତ ପ୍ରବେଶ ଦ୍ୱାରକୁ ସିଲ୍ କରିବା ସହ ପଡୋଶୀ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।