ବିଶେଷ

ସୁନା ପାହାଡ଼ ଉପରେ ଆନ୍ଧ୍ରର ଚୋରା ଆଖି

କୋରାପୁଟ : କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ କୋରାପୁଟ ଜିଲ୍ଲା କୋଟିଆ ଅଞ୍ଚଳରେ ଥିବା ପାହାଡ଼ଗୁଡ଼ିକରେ ସୀସା, ଲୁହା ପଥର, ବକ୍ସାଇଟ ଓ ଅଭ୍ର ରହିଛି, ଏସବୁର ମୂଲ୍ୟ ହଜାର ହଜାର କୋଟି ଟଙ୍କା ହେବ | ଏହି ଖବର ପରେ ଓଡ଼ିଶା ଭିତରେ ଧସେଇ ପଶି କୋଟିଆକୁ ଅକ୍ତିଆର କରିବାକୁ ଷଡ୍‌ଯନ୍ତ୍ର କରିଛି ଆନ୍ଧ୍ର। ବିଭିନ୍ନ ବାଗରେ ଲୋକଙ୍କୁ ପ୍ରଲୋଭିତ କରି ଆନ୍ଧ୍ରରେ ମିଶାଇବାକୁ ବି ଚାଲିଛି ଜୋରଦାର ଉଦ୍ୟମ। ଟଙ୍କା ଓ କମ୍ବଳ ବାଣ୍ଟିବା ସହ ଜନଶୁଣାଣି କରି ବିବାଦୀୟ କୋଟିଆରେ ନିଜ କର୍ତ୍ତୃତ୍ୱ ଜାହିର କରିଛି। ଆନ୍ଧ୍ରର ଏମିତି ଦାଦାଗିରି ଯେତିକି ମାରାତ୍ମକ ଏହା ପଛରେ ଥିବା କାରଣ ସେତିକି ସାଂଘାତିକ। କୋଟିଆ ପଞ୍ଚାୟତ ଖଣିଜ ସଂପଦରେ ଭରପୂର ଥିବାରୁ ଏହା ଉପରେ ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇଛି। ବିଶେଷକରି ସେମ୍ଭି ଗାଁ ନିକଟରେ ଥିବା ସୁନା ପାହାଡ଼ ଦଖଲ କରିବାକୁ ଆନ୍ଧ୍ର ଏହି ଖେଳ ଆରମ୍ଭ କରି ଦେଇଛି।
ଦେଓମାଳି ପର୍ବତ ନିକଟରେ ଥିବା ଏହି ଗ୍ରାମଗୁଡିକରେ ଅନେକ ପାହାଡ଼ ପର୍ବତ ହୋଇ ରହିଛି। ଆଉ ସବୁ ପାହାଡରେ ରହିଛି ପ୍ରଚୁର ଖଣିଜ ସଂପଦ। ଲୋକଙ୍କ କହିବାନୁଯାୟୀ, ଏହି ପାହାଡ଼ରେ ସୁନା ଖଣି ରହିଛି। ଏବେ ବି ଖରା ପଡିଲେ ଏହି ପାହାଡ଼ ଚକ୍‌ଚକ ଦିଶେ। ଏହି ପାହାଡ଼କୁ ନିଜ ଅକ୍ତିଆରକୁ ନେବା ପାଇଁ ଯେନତେନ ଉପାୟରେ ଚେଷ୍ଟା କରୁଛି ଆନ୍ଧ୍ର।
ପୂର୍ବତନ ସାଂସଦ ତଥା କୋଟିଆ ପଞ୍ଚାୟତର ବାସିନ୍ଦା ଜୟରାମ ପାଙ୍ଗୀ ଏ ନେଇ କହନ୍ତି, ଓଡ଼ିଶା ସରକାର ଚୁପ୍‌ ବସିଥିବାରୁ ଏହି ଖଣିଜଭରା ଅଞ୍ଚଳକୁ ନିଜ ଦଖଲକୁ ନେବା ପାଇଁ ଆନ୍ଧ୍ରର ଅଧିକାରୀମାନେ ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି। କେବଳ ମଝିରେ ମଝିରେ ସେମାନେ ଆସି କିଛି ସାମଗ୍ରୀ ଓ ଟଙ୍କା ବାଣ୍ଟି ଚାଲି ଯାଉଛନ୍ତି। ଲୋକଙ୍କୁ ପ୍ରଲୋଭିତ କରି ଏହି ଅଂଚଳରେ ଥିବା ମୂଲ୍ୟବାନ ସାମଗ୍ରୀକୁ ଲୁଟିବାକୁ ଚାଲ ଚଳାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button