କଳା ଓ ସଂସ୍କୃତି

ଅନନ୍ତଙ୍କ ଅନ୍ତ ହେଲା, ନାଟ୍ୟ ଜଗତରେ ଅନ୍ଧାର

କେନ୍ଦ୍ରାପଡ଼ା- ୨.୧- ଓଡ଼ିଆ ଅପେରା ଓ ରଙ୍ଗମଞ୍ଚର ନିଷ୍ଠାପର କଳାସାଧକ ତଥା ଯାତ୍ରା କାହାଣୀର କୃତୀ ବିନ୍ଧାଣୀ, ସଫଳ ମଞ୍ଚର ଜଣେ ସଫଳ ସ୍ରଷ୍ଟା ନାଟ୍ୟକାର ଆଉ ଆମ ଗହଣରେ ନାହାନ୍ତି। ବାଙ୍ଗାଲୋରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଝା ରବିବାର ସନ୍ଧ୍ୟାରେ ୬୦ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ|
୧୯୫୭ରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବୀରନୀଳକଣ୍ଠପୁରଠାରେ ଜନ୍ମଗ୍ରହଣ କରିଥିବା ଅନନ୍ତ ଓଝା ଜଣେ ସୁପ୍ରସିଦ୍ଧ କାହାଣୀକାର ଥିଲେ। ତାଙ୍କ ରଚିତ ‘ଖଜୁରି ଗଛର କି ଗୁଣ ଗାଇବି’, ‘ମୋ ପେଁକାଳି ବଜାଇ ଦେ’, ‘ଭଲ ମଣିଷ ଖୋଜା ଚାଲିଛି’, ‘ହରେକୃଷ୍ଣ ହରେରାମ’, ‘ନର୍କରୁ ନିର୍ମାଲ୍ୟ’, ‘ଡିମିରଫୁଲ’, ‘ମୁଇଁ ସମ୍ବଲପୁରୀ ନନୀ’, ‘ଜୀବନ ଯଜ୍ଞ’, ‘ବାଇଶି ପାହାଚେ ଖେଳିବ ମୀନ’ ଭଳି କାହାଣୀ ଯାତ୍ରା ଜଗତରେ ଚହଳ ସୃଷ୍ଟି କରିଥିଲା। ତାଙ୍କ ନାଟକ ରଚନା କାଳରେ ୫୯ ନାଟକ ପ୍ରଦର୍ଶିତ ଓ ପ୍ରକାଶିତ ହୋଇଥିବା ବେଳେ ୫୪ଟି ନାଟକ ଯାତ୍ରାମଞ୍ଚରେ ପ୍ରଦର୍ଶିତ ହୋଇଛି। ଯାତ୍ରା ଓ ନାଟକ ପ୍ରତି ତାଙ୍କର ଏହି ଉତ୍ସର୍ଗୀକୃତ ଅବଦାନ ଲାଗି ଜୀବନକାଳ ମଧ୍ୟରେ ସେ ୩୭ଟି ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଥିଲେ। ତାଙ୍କ ବିୟୋଗରେ କଳା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଥିବା ଅପେରା ଓ ମଞ୍ଚ ଜଗତର ବରିଷ୍ଠ ବ୍ୟକ୍ତିତ୍ୱମାନେ କହିଛନ୍ତି।

ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କେନ୍ଦ୍ରାପଡ଼ା ଜିଲା ସହ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଜିଲା ଓ ବାହାର ଜିଲାର ମଞ୍ଚ କଳାକାର, କଳାପ୍ରେମୀ, ବୁଦ୍ଧିଜୀବୀ ଏବଂ ରାଜନେତାମାନେ ନାଟ୍ୟକାର ଓଝାଙ୍କ ବାସଭବନ ନିକଟରେ ଏକାଠି ହୋଇ ଶେଷ ଦର୍ଶନ କରିଛନ୍ତି। ଓଝାଙ୍କ ବିୟୋଗରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଭୀର ଶୋକପ୍ରକାଶ କରିବା ସହିତ ଓଡ଼ିଆ ଯାତ୍ରା ଓ ନାଟ୍ୟ ଜଗତରେ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବା କହିଛନ୍ତି। ସଂସ୍କୃତି ଓ ସଂସ୍କୃତି ଅନୁଷ୍ଠାନ, ଓଡ଼ିଶା ଯାତ୍ରା କଳାକାର ସଂଘ, ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏଶନ ପକ୍ଷରୁ ମଧ୍ୟ ଶୋକପ୍ରକାଶ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button