ଜାତୀୟ

୮୫୦ରୁ ଊର୍ଦ୍ଧ୍ଵ ଚାଷୀଙ୍କ ଋଣ ପରିଷୋଧ କରିବେ ସୁପରଷ୍ଟାର ଅମିତାଭ ବଚ୍ଚନ

ଆଓରି-ନୂଆଦିଲ୍ଲୀ(୨୧/୧୦) : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ପୁନର୍ବାର କୃଷକଙ୍କ ସ୍ଵାର୍ଥରକ୍ଷା ପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି। ସେ ଉତ୍ତରପ୍ରଦେଶର ୮୫୦ରୁ ଊର୍ଦ୍ଧ୍ଵ ଚାଷୀଙ୍କ ଋଣ ପରିଷୋଧ କରିବେ ବୋଲି ଶନିବାର ଘୋଷଣା କରିଛନ୍ତି। ଏ ବାବଦରେ ପ୍ରାୟ ସାଢ଼େ ୫କୋଟି ଟଙ୍କା ଖଚ୍ଚ କରିବା ଯୋଜନା ସେ ରଖିଛନ୍ତି। ପୂର୍ବରୁ ସେ ମହାରାଷ୍ଟ୍ରର ୩୫୦ରୁ ଊର୍ଦ୍ଧ୍ଵ ଚାଷୀଙ୍କୁ ଋଣ ସୁଝିବାରେ ସହାୟତା କରିଥିଲେ। ନୂଆ ନିଷ୍ପତ୍ତି ସମ୍ପର୍କରେ ଅମିତାଭ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ପ୍ରାୟ ୩୫୦ ଚାଷୀଙ୍କୁ ଋଣ ସୁଝିବା କଷ୍ଟକର ହେଉଥିଲା। ଋଣ ବୋଝ ବଢିବା ଦ୍ୱାରା ସେମାନେ ଆତ୍ମହତ୍ୟାର ବାଟ ଆପଣାଇବାକୁ ବାଧ୍ୟ ହେଉଥିଲେ। ଏଥିରୁ ନିବୃତ୍ତ କରିବା ପାଇଁ ସେମାନଙ୍କ ଋଣ ପରିଷୋଧ କରାଯାଇଛି। ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ବିଦର୍ଭର ଚାଷୀଙ୍କ ଋଣ ପରିଷୋଧ କରାଯାଇଥିଲା। ଏବେ ଉତ୍ତରପ୍ରଦେଶର ୮୫୦ ଚାଷୀଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ଋଣ ବୋଝ ତଳେ ଚାପି ହୋଇ ରହିଛନ୍ତି। ସେମାନଙ୍କ ୫.୫ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଋଣ ପରିଷୋଧ କରିବାରେ ସାହାଯ୍ୟ କରାଯିବ’। ସେ ପୁନର୍ବାର ଲେଖିଛନ୍ତି, ‘କେବିସିର କର୍ମବୀର ଏପିସୋଡ଼୍‍ରେ ଆସିଥିବା ଅଜିତ ସିଂହଙ୍କୁ ମଧ୍ୟ ସାହାଯ୍ୟ କରାଯାଉଛି। ଗରିବ ଓ ସହାୟଙ୍କୁ ସାହାଯ୍ୟ କରିବା ଦ୍ୱାରା ସନ୍ତୋଷ ମିଳିଥାଏ’ ବୋଲି ସେ କହିଛନ୍ତି। କିଛି ଦିନ ପୂର୍ବରୁ ଅମିତାଭ ମହାରାଷ୍ଟ୍ରର ୪୪ ସହିଦ ପରିବାରଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button