ଜାତୀୟରାଜ୍ୟ

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଦେଶର ମହିଳାମାନେ ବିକାଶ ଆଡ଼କୁ ଅଗ୍ରସର ହେଉଛନ୍ତି ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ନୂଆଦିଲ୍ଲୀ(୦୫/୦୨) : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଦେଶର ମହିଳାମାନେ ବିକାଶ ଆଡ଼କୁ ଅଗ୍ରସର ହେଉଛନ୍ତି । ଉଜ୍ଜଳା ମହିଳାଙ୍କୁ ସ୍ୱାସ୍ଥ୍ୟ ଓ ଆତ୍ମସମ୍ମାନ ଦେଇଛି  । ୨୦୧୯ ସୁଦ୍ଧା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୬ କୋଟି ଛୁଇଁଛି । ଗରିବ ପରିବାରରୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଗରିବଙ୍କ ବିକାଶକୁ ଧ୍ୟାନରେ ରଖି ବହୁ ଯୋଜନା କରିଛନ୍ତି । ଚଳିତବର୍ଷର ବଜେଟରେ ସବୁବର୍ଗର ଲୋକଙ୍କୁ ସୁହାଇଲା ଭଳି ଘୋଷଣା ମଧ୍ୟ କରିଛନ୍ତି କେନ୍ଦ୍ର ସରକାର । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ମହିଳାମାନଙ୍କ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତର ଏଲପିଜି ବିଭାଗ ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ପହଲ-ଡାଇରେକ୍ଟ, ଟ୍ରାନ୍ସଫର ଏବଂ ଗିଭ୍ ଇଟ୍ ଅପ୍ ଉଲ୍ଲେଖନୀୟ ସଫଳତାକୁ ଆଦୃତ କରିବା ପାଇଁ ଏହି ସମ୍ମିଟ ଏକ ବଡ ପ୍ଲାଟଫର୍ମ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୱାର୍ଲ୍ଡ ଏଲପିଜି ଆସୋସିଏସନ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ, ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ମିଳିତ ଭାବା ଭାରତରେ ଏସିଆ ଏଲପିଜି ସମ୍ମିଟ୍ ଆୟୋଜନ କରିଥିବାକୁ ଧନ୍ୟବାଦ ଜଣାଇଥିଲେ ।

ବିକଶିତ ଦେଶ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାକୁ ଏକ ଉଦାହରଣ ଭାବେ ଗ୍ରହଣ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି । ଗତ ୫ ବର୍ଷରେ ଏହା ଉଲ୍ଲେଖନୀୟ ସଫଳତା ହାସଲ କରିଛି ।  ଅଧିକ ଏଲପିଜି ଆମଦାନୀ କରିବା ଦିଗରେ ଭାରତ ଚୀନ ପରେ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ ଠାରେ ଆୟୋଜିତ ଏସିଆ ଏଲ୍‌ପିଜି ସମ୍ମିଟ୍ ୨୦୧୯ରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୬ ମେ ମାସରେ ଆମେ ୫ କୋଟି ଗରିବ ମହିଳାଙ୍କୁ ତିନି ବର୍ଷ ମଧ୍ୟରେ ମାଗଣାରେ ଏଲପିଜି ସଂଯୋଗ ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଶୁଭାରମ୍ଭ କରିଥିଲୁ । କିନ୍ତୁ ବର୍ତମାନ ସୁଦ୍ଧା ଏହା ୬ କୋଟିରେ ପହଁଚିଛି । ଏହି ଅଭିଜ୍ଞତା ଆମକୁ ଆତ୍ମବିଶ୍ୱାସୀ କରିଛି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱ ଅର୍ଥନୀତିରେ ପରିଚିତ ହୋଇପାରିଛି । ଭାରତ ବିଶ୍ୱରେ ଦ୍ରୁତ ବିକାଶଶୀଳ ଅର୍ଥନୀତି ହୋଇଛି ।  ଆମ ସରକାର ସୁଦୃଢ ଅର୍ଥନୀତି ଏବଂ ସାମାଜିକ କଲ୍ୟାଣକାରୀ ନୀତି ନେଇ ଆଗକୁ ବଢୁଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

୨୦୧୪ ମସିହାରେ ଆମେ ଦାୟିତ୍ୱକୁ ଆସିବା ପରେ “ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍” ଏବଂ ‘ଇଜ୍ ଅଫ୍ ଲିଭିଙ୍ଗ୍’ଙ୍କୁ ଗୁରୁତ୍ୱ ଦେଇଥିଲୁ । ଲୋକଙ୍କ ଜୀବନଯାପନ ମାନକୁ ଆହୁରି ସହଜ ସରଳ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ କରାଯାଇଛି । ୨୦୨୨ ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କୁ ଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଯାଇଛି  ଏବଂ ପ୍ରତି ଘରେ ଘରେ  ଶୌଚାଳୟର ବ୍ୟବସ୍ଥା କରାଯାଉଛି । ସୌଭାଗ୍ୟ ଯୋଜନାରେ ପ୍ରତି ଘରେ ବିଜୁଳି ସଂଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଏଲପିଜି ସଂଯୋଗ ଦିଆଯାଉଛି । ଘରକୁ ସ୍ୱଚ୍ଛ ପାଣି ଯୋଗାଯାଇଛି । ଜନଧନ ଯୋଜନାରେ ବ୍ୟାଙ୍କ୍ ଆକାଉଂଟ ଖୋଲାଯାଇଛି । କ୍ଷମତାକୁ ଆସିବାର ଗତ ୫୪ ମାସରେ ଆମେ ଏହି ସବୁ ଲୋକାଭିମୁଖୀ ଯୋଜନା କରିଛୁ । ୩୩  କୋଟିରୁ ଉର୍ଦ୍ଧ୍ୱ ଜନଧନ ଆକାଉଂଟ ଖୋଲାଯାଇଛି ।  ୧୮ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟୁତ ନଥିବା ଗାଁରେ ଆମେ ବିଜୁଳି ପହଂଚାଇଛୁ ଏବଂ ସବୁ ଘରେ ବିଜୁଳି ପହଂଚାଇବା ପାଇଁ କାମ କରୁଛୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ  ବିଶେଷ କରି ମହିଳାଙ୍କୁ ସଶକ୍ତ କରିବା ସହ ତାଙ୍କର ଏବଂ ପରିବାରର ସୁରକ୍ଷାକୁ ନଜରରେ ରଖି ବିଭିନ୍ନ ଯୋଜନା କରାଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି । ଉଜ୍ଜଳା ମହିଳାଙ୍କୁ ସ୍ୱାସ୍ଥ୍ୟ ଓ ସମ୍ମାନ ଏବଂ ମହତ୍ୱ ଦେଇଛି । ଏଲପିଜି ସଂଯୋଗ ହେବା ଦ୍ୱାରା ମହିଳାଙ୍କ ସମୟ ବଂଚୁଛି । ସେହି ସମୟରେ ସେମାନେ ଅନ୍ୟ କିଛି କାର୍ଯ୍ୟ କରି ରୋଜଗାର ମଧ୍ୟ କରିପାରୁଛନ୍ତି ।  ଶ୍ରୀ ପ୍ରଧାନ କହିଛନ୍ତି ତଳସ୍ତରରେ ଥିବା ଏଲପିଜି ଲାଭାର୍ଥୀମାନେ ଏଲପିଜି ଆସିବା ପରେ ଯେଉଁ ଅଭିଜ୍ଞତା ରହିଛି ତାକୁ ଜାଣିବା ପାଇଁ ଏଲପିଜି ପଂଚାୟତ ମଧ୍ୟ ଆୟୋଜନ କରାଯାଉଛି  । ପଂଚାୟତ ମାନଙ୍କରେ ଏକାଠି ୧୦୦ରୁ ଅଧିକ ଏଲପିଜି ଲାଭାର୍ଥୀମାନଙ୍କୁ ନେଇ ଉଜ୍ଜଳା ପଂଚାୟତ କରାଯାଉଛି । ଗତ ୧୩ ମାସରେ ୧ କୋଟିରୁ ଅଧିକ ଏଲପିଜି ଗ୍ରାହକ ୬୫ ହଜାର ୬୩୬ ଏଲପିଜି ପଂଚାୟତରେ ସାମିଲ ହୋଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ ମସିହାରେ ୧୨.୫ କୋଟି ଘରେ ଏଲପିଜି ସଂଯୋଗ ଥିଲା । ଏବେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୬ କୋଟି ନୂଆ ଏଲପିଜି ସଂଯୋଗ ହୋଇଛିା ସରକାର ଡିଜିଟାଲ ଗଭରନାନ୍ସ ଦିଗରେ ପହଲ ଯୋଜନାରେ ଏଲପିଜି ଗ୍ରାହକଙ୍କ ପାଇଁ ସବସିଡି ପଦ୍ଧତି କରିଛନ୍ତି । ୨୦୧୮ ଡିସେମ୍ବର ସୁଦ୍ଧା ପହଲ ଯୋଜନାରେ ୨୩ କୋଟି ଏଲପିଜି ଗ୍ରାହକ ସାମିଲ ହୋଇଛନ୍ତି । ଡିବିଟି(ଡାରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍)ରେ ପହଲ ଗିନିଜ୍ ବୁକ୍ ଅଫ୍ ୱାର୍ଲଡରେ ପ୍ରବେଶ କରିଛି । ଏହି ଯୋଜନା ଦ୍ୱାରା ଭାରତ ସରକାର ପ୍ରାୟ ୫୦ ହଜାର କୋଟି ଟଙ୍କା ସଂଚୟ କରିପାରୁଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ୨୦୧୫ ମାର୍ଚ୍ଚରେ  ଗିଭ୍ ଇଟ୍ ଅପ୍ ଅଭିଯାନ ଆରମ୍ଭ ହୋଇଛି । ଗରିବ ଲୋକଙ୍କ ଘରେ ଗ୍ୟାସ ପହଂଚାଇବା ପାଇଁ ଦେଶର ଅନେକ ଲୋକ ନିଜେ ପାଇଥିବା ରିହାତିକୁ ଛାଡିବା ପାଇଁ ଆଗେଇ ଆସିଥିଲେ  ।

 

Related Articles

Leave a Reply

Your email address will not be published. Required fields are marked *

Back to top button