ରାଜ୍ୟ

ଏଣିକି ଥାନାର ସବୁ କାମ ହେବ ଅନଲାଇନ : ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା

ଭୁବନେଶ୍ୱର-ରାଜ୍ୟର ୬୧୨ ଥାନାରୁ ୫୮୯ ଥାନାକୁ ସିସିଟିଏନଏସ୍‌ (କ୍ରାଇମ୍‌ ଆଣ୍ଡ କ୍ରିମିନାଲ ଟ୍ରାର୍କିଂ ନେଟଓ୍ବର୍କ ଆଣ୍ଡ ସିଷ୍ଟମ୍‌ସ)ରେ ସଂଯୋଗ କରାଯାଇଛି। ପୋଲିସର କାର୍ଯ୍ୟ ଅଧିକ ଆଧୁନିକ ଶୈଳୀରେ କରିବା ପାଇଁ କୋର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଭଳି ସମସ୍ତ ଥାନକୁ ସମ୍ପୂର୍ଣ୍ଣ ଅନଲାଇନ କରାଯିବ ଏବଂ ନୂଆବର୍ଷରୁ ଥାନାରେ ବ୍ୟବହୃତ ରେଜିଷ୍ଟରକୁ ହଟାଇ ଦିଆଯିବ। ଥାନାର ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ କରାଯିବ ତତସହିତ ହାତରେ ଲେଖାଯାଉଥିବା ଏଫଆଇଆର, ସିଡି (କେସ୍‌ ଡାଏରୀ) ଓ ଫାଇନାଲ ଚାର୍ଜଶିଟ ଇତ୍ୟାଦି କମ୍ପ୍ୟୁଟରରେ ପ୍ରସ୍ତୁତ ହେବ। ତଦନ୍ତକାରୀ ଅଧିକାରୀମାନଙ୍କ କାମକୁ ସହଜ କରିବା ପାଇଁ ଲ୍ୟାପଟପ୍‌ ଯୋଗାଇ ଦିଆଯିବ ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଡିଜି ଶର୍ମା କହିଛନ୍ତି ଥାନାରେ ମାମଲା ରୁଜୁ କରିବା, ଏତଲା କପି ନେବା ଭଳି ଅନେକ ସେବା ସହଜରେ ଉପଲବ୍ଧ ହେବ।
ଭୁବନେଶ୍ୱର କ୍ୟାମ୍ପ ଅଫିସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଡିଜି ଶର୍ମାଙ୍କ ସମେତ କ୍ରାଇମ୍‌ବ୍ରାଞ୍ଚ ଅତିରିକ୍ତ ଡିଜିପି ସନ୍ତୋଷ କୁମାର ଉପାଧ୍ୟାୟ, ଏସ୍‌ସିଆରବି ନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀ, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବରାଳ, ଏନ୍‌ସିଆରବି ସହକାରୀ ନିର୍ଦ୍ଦେଶକ ଜେ. ଚନ୍ଦ୍ରନ, ଆଇଜି(ଆଧୁନିକୀକରଣ) ଅରୁଣ ବୋଥ୍ରା, ବିଏସ୍‌ଏନ୍‌ଏଲ୍‌ ଡିଜିଏମ ଆର. ସି. ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଡିଜି କହିଲେ ଜାତୀୟ ଇ-ଗଭର୍ନାନ୍ସ ଅଧୀନରେ ୬୧ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସିସିଟିଏନଏସ୍‌ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା କୌଣସି ଅପରାଧରେ ସଂଶ୍ଳିଷ୍ଟ ଅପରାଧୀଙ୍କୁ ଟ୍ରାର୍କିଂ କରି ଧରିବା ସହଜ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button