ଆନ୍ତର୍ଜାତୀୟ

ବିମାନ ଦୁର୍ଘଟଣା: ୨୫୭ ଯାତ୍ରୀ ମୃତ

ଆଓରି(ତା୧୨|୪)- ଉତ୍ତର ଆଫ୍ରିକୀୟ ଦେଶ ଆଲଜେରିଆରେ ବୁଧବାର ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ବୋଉଫରିକ୍‌ ବାୟୁସେନା ଘାଟିରୁ ସାମରିକ ବିମାନଟି ଉଡାଣ କରିବାର କିଛି ସମୟ ପରେ ତଳକୁ ଖସିପଡ଼ି ଜଳିଯାଇଛି। ଏଥିରେ ୨୫୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ସୈନ୍ୟ ଓ ସେମାନଙ୍କ ପରିବାର ଲୋକ ଥିବା ଆଲଜେରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏହାକୁ ଦେଶର ସବୁଠୁ ବଡ଼ ବିମାନ ଦୁର୍ଘଟଣା ବୋଲି କୁହାଯାଉଛି। ଆଲଜେରିଆର ରାଜଧାନୀ ଆଲଜିୟର୍ସର ୨୫ କି.ମି ଦକ୍ଷିଣ-ପଶ୍ଚିମରେ ବୋଉଫରିକ୍‌ ବାୟୁସେନା ଘାଟି ଅବସ୍ଥିତ। ଏହି ଘାଟିକୁ ଦେଶର ବାୟୁସେନା ବିମାନବନ୍ଦର ଭାବେ ବ୍ୟବହାର କରିଥାଏ। ଏଠାରୁ ରୁଷିଆ ନିର୍ମିତ ମିଡିୟମ୍‌ ରେଞ୍ଜ ପରିବହନ ବିମାନ ଇଲ୍ୟୁଶିନ୍‌ ଆଇଏଲ-୭୬ ପଶ୍ଚିମ ସୀମାନ୍ତ ସହର ତିଣ୍ଡୁଫ୍‌ ଅଭିମୁଖେ ଉଡାଣ କରିଥିଲା। ଉଡାଣର ମାତ୍ର କିଛି ସମୟ ପରେ ବିମାନଟି ବାୟୁସେନା ଘାଟି ନିକଟସ୍ଥ ଏକ ପଡ଼ିଆରେ ଖସିପଡ଼ିଥିଲା। ଭୂମିରେ ଖୁବ୍‌ ଜୋରରେ ଧକ୍କା ହେବା ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ଏହାର ଖଣ୍ଡବିଖଣ୍ଡିତ ଭଗ୍ନାବଶେଷ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା। ଦୁର୍ଘଟଣାର ଖବର ପାଇ ଉଦ୍ଧାରକାରୀ ଦଳ ଶତାଧିକ ଆମ୍ବୁଲାନ୍ସ ନେଇ ସେଠାରେ ପହଞ୍ଚତ୍ଥିଲେ। ସମଗ୍ର ଅଞ୍ଚଳରେ ଧୂଆଁର ବଳୟ ସୃଷ୍ଟି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ବିମାନରୁ ୨୫୭ଟି ମୃତଦେହ ବାହାର କରିବାରେ ସକ୍ଷମ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୦ ବିମାନ କର୍ମଚାରୀ ଥିବାବେଳେ ଅଧିକାଂଶ ସୈନ୍ୟ ଓ ସେମାନଙ୍କ ପରିବାର ସଦସ୍ୟ ବୋଲି ଜଣାପଡ଼ିଛି। ପଡ଼ୋଶୀ ପଶ୍ଚିମ ସାହାରାକୁ ମୁକ୍ତକରିବା ପାଇଁ ଚାଲିଥିବା ଯୁଦ୍ଧରେ ସାମିଲ ପୋଲିସାରିଓର ୨୬ ସୈନ୍ୟ ମଧ୍ୟ ଏଥିରେ ପ୍ରାଣ ହରାଇଛନ୍ତି। ଉପ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ଅହମ୍ମଦ ଗୈଦ ସଲାହ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। କେଉଁ ପରିସ୍ଥିତିରେ ଏତେବଡ଼ ଅଘଟଣ ଘଟିଲା ତା’ର କାରଣ ଖୋଜିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button