ମନୋରଞ୍ଜନ

ମହାକାଶଚାରୀ ଭୂମିକାରେ ଅବତୀର୍ଣ୍ଣ ହେବେ ଖିଲାଡି ଅକ୍ଷୟ

ଆଓରି-ନୂଆଦିଲ୍ଲୀ(୧୮/୯) : ବଲିଉଡର ଖିଲାଡି କୁମାର ଭାବେ ଅକ୍ଷୟ କୁମାରଙ୍କ ହାତରେ ଏବେ ପୁଣି ଏକ ଦମ୍‌ଦାର୍‌ ପ୍ରୋଜେକ୍ଟ। ମିଳିଥିବା ଖବର ଅନୁସାରେ, ଆର୍‌.ବାଲକୀଙ୍କ ଆଗାମୀ ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ଦେଖାଦେବେ। ମହାକାଶଚାରୀ ଭୂମିକାରେ ଅକ୍ଷୟ ଅବତୀର୍ଣ୍ଣ ହେବେ ବୋଲି ଶୁଣାଯାଉଛି। ଅନ୍ୟପାଖେ ଆସନ୍ତା ମାସ ଶେଷ ସୁଦ୍ଧା ଅକ୍ଷୟ ଆମେରିକା ମହାକାଶ ସଂସ୍ଥା ‘ନାସା’ରେ ପ୍ରଶିକ୍ଷଣ ନେବେ। ଅକ୍ଷୟ ନାସାରେ ପ୍ରଶିକ୍ଷଣ ନେଉଥିବା ପ୍ରଥମ ଭାରତୀୟ କଳାକାର ନୁହନ୍ତି, ଏହା ପୂର୍ବରୁ ସୁଶାନ୍ତ ସିଂ ରାଜପୁତ୍ ମଧ୍ୟ ନାସାରେ ପ୍ରଶିକ୍ଷଣ ନେଇଛନ୍ତି। ‘ଚନ୍ଦା ମାମା ଦୂର କେ’ରେ ସୁଶାନ୍ତ ଅଭିନୟ କରିବାର ଯୋଜନା ଥିଲା, କିନ୍ତୁ ଚଳଚ୍ଚିତ୍ରର ବଜେଟ୍ ଏତେ ବଢ଼ିଗଲା ଯେ ତାହାର କାମ ଠପ୍ ହୋଇପଡ଼ିଛି। ଗଣମାଧ୍ୟମ ଯେତେବେଳେ ଏ ସଂକ୍ରାନ୍ତରେ ଅକ୍ଷୟଙ୍କ ସହ ବାର୍ତ୍ତାଳାପ କଲା, ସେ କହିଥିଲେ ଏ ଖବର ଶୁଣି ତାଙ୍କ ମା’ ସବୁଠୁ ବେଶୀ ଖୁସି। ପୁଅ ଅଭିନୟରେ ହେଉ ପଛକେ, ଜଣେ ମହାକାଶଚାରୀ ଭୂମିକାରେ ଅବତୀର୍ଣ୍ଣ ହେବ ଓ ନାସାରେ ପ୍ରଶିକ୍ଷଣ ନେବ, ଏହା ହିଁ ଅକ୍ଷୟଙ୍କ ମା’ଙ୍କ ନିମନ୍ତେ ଏକ ବଡ଼ ଖବର ବୋଲି ସେ କହିଛନ୍ତି। ରଜନୀକାନ୍ତ, ଅକ୍ଷୟ କୁମାର, ଆମି ଜ୍ୟାକସନ୍ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ରୋବଟ୍ ୨.୦’ର ଟ୍ରେଲର ମଧ୍ୟ ଇତିମଧ୍ୟରେ ମୁକ୍ତିଲାଭ କରିସାରିଛି। ଏଥିରେ ଅକ୍ଷୟ ଖଳନାୟକ ଭୂମିକାରେ ଦେଖାଦେବେ।

Related Articles

Leave a Reply

Your email address will not be published. Required fields are marked *

Back to top button