କଳା ଓ ସଂସ୍କୃତିରାଜ୍ୟ

ଆଜି ଅକ୍ଷୟ ତୃତୀୟା : ଗ୍ରାହକଙ୍କ ଆଗମନ ବଢ଼ିବା ଆଶା ,ଶୋ’ରୁମ୍‌ଗୁଡିକରେ ଲୋଭନୀୟ ଅଫର ,ଭିଡ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଆଓରି(ତା୧୮|୪)- ସୁନା କ୍ରୟ ପାଇଁ ସାଧାରଣତଃ ଅକ୍ଷୟ ତୃତୀୟାକୁ ଶୁଭ ବୋଲି ଗଣାଯାଇଥାଏ। ବର୍ଷକ ମଧ୍ୟରେ ସବୁଠାରୁ ଅଧିକ ସୁନା ଏହି ସମୟରେ ବିକ୍ରି ହୋଇଥାଏ। ଏହି ଦିନ ସୁନା କିମ୍ବା ରୁପା କିଣିଲେ ଘରକୁ ସମୃଦ୍ଧି ଆସିଥାଏ ବୋଲି ସର୍ବସାଧାରଣରେ ବିଶ୍ୱାସ ରହିଛି। ବୁଧବାର ଏହି ପବିତ୍ର ପର୍ବ ପଡୁଥିବାବେଳେ ରାଜଧାନୀର ଗହଣା ଶୋ’ରୁମ୍‌ଗୁଡିକରେ ଏବେ ଚାଲିଛି ଅକ୍ଷୟ ତୃତୀୟା ଅଫର୍‌। ଗହଣାର ଗଢ଼ା ମଜୁରି ତଥା ମୂଲ୍ୟ ଉପରେ ଶୋ’ରୁମ୍‌ଗୁଡିକ ପ୍ରଦାନ କରୁଛନ୍ତି ଲୋଭନୀୟ ଅଫର୍‌ । ଅକ୍ଷୟ ତୃତୀୟା ଅବସରରେ ଶୋ’ରୁମ୍‌ଗୁଡିକରେ ସାଜସଜ୍ଜା ମଧ୍ୟ ଆକର୍ଷକ ରହିଛି। ଚଳିତବର୍ଷ ଏହି ପବିତ୍ର ପର୍ବରେ ଲୋକଙ୍କ ଆଗମନ ବଢ଼ିବା ନେଇ ଗହଣା ବ୍ୟବସାୟୀମାନେ ଆଶା ରଖିଛନ୍ତି। ସମ୍ଭାବ୍ୟ ଭିଡକୁ ଆୟତ୍ତ କରିବା ପାଇଁ ଶୋ’ରୁମ୍‌ଗୁଡିକ ପକ୍ଷରୁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି।
ଗତବର୍ଷ ବିମୁଦ୍ରୀକରଣ ଯୋଗୁ ଅକ୍ଷୟ ତୃତୀୟାରେ ଚମକ ନ ଥିଲା। ଗହଣା ବ୍ୟବସାୟୀଙ୍କ ଆଶା ଅନୁଯାୟୀ ଚାହିଦା ପରିଲକ୍ଷିତ ହୋଇ ନ ଥିଲା। କିନ୍ତୁ ଚଳିତବର୍ଷ ଶୋ’ରୁମ୍‌ଗୁଡିକ ଭଲ ବ୍ୟବସାୟ ଆଶା ରଖିଛନ୍ତି। ଗତବର୍ଷ ଅକ୍ଷୟ ତୃତୀୟାରେ ସୁନା ଦର ପାଖାପାଖି ୨୯,୫୦୦ ଟଙ୍କା ଥିଲା। ବର୍ତ୍ତମାନ ଏହା ପାଖାପାଖି ୩୨,୦୦୦ ଟଙ୍କା ରହିଛି। ଗତବର୍ଷ ଯେଉଁମାନେ ୨୯,୫୦୦ ଟଙ୍କାରେ ସୁନା କିଣିଥିଲେ ସେମାନେ ୨,୫୦୦ ଟଙ୍କାର ଲାଭ ପାଇଛନ୍ତି। ଏସବୁ କ୍ଷେତ୍ରରେ ସୁନା ନିବେଶର ଏକ ପ୍ରମୁଖ ମୋଡ୍‌ ପାଲଟିଛି। ଲୋକମାନେ ଏଥିରେ ନିବେଶ କରିବା ପାଇଁ ପୂର୍ବଭଳି ପସନ୍ଦ କରୁଛନ୍ତି। ଦିନକୁ ଦିନ ସୁନା ଦର ବଢ଼ୁଥିବାବେଳେ ଏଥିରେ ନିବେଶ ଲୋକଙ୍କୁ ମୂଲ୍ୟ ପ୍ରଦାନ କରୁଛି। ତେଣୁ ଦର ବଢ଼ିଲେ ଯେ ସୁନା କ୍ରୟ କମିଯିବ ତାହା ଭୁଲ ଚିନ୍ତାଧାରା ବୋଲି ସେନ୍‌କୋ ଗୋଲ୍‌ଡ ଆଣ୍ଡ୍‌ ଡାଏମଣ୍ଡ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୁଭଙ୍କର ସେନ୍‌ ପ୍ରକାଶ କରିଛନ୍ତି।
ସେହିପରି ରାଜ୍ୟର ପ୍ରମୁଖ ଗହଣା ଶୋ’ରୁମ୍‌ ଖିମ୍‌ଜୀର ଏଜିଏମ୍‌(ଅପରେଶନ ଆଣ୍ଡ୍‌ ଆଡ୍‌ମିନ୍‌ଷ୍ଟ୍ରେଶନ) କିଶୋର ଓ୍ବାଡେର କହିଛନ୍ତି, ଏବେ ଗ୍ରାହକ ନୂଆ ଡିଜାଇନ ପ୍ରତି ଆକୃଷ୍ଠ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଖିମ୍‌ଜୀ ବିସ୍ତୃତ ରେଞ୍ଜ୍‌ର ଡିଜାଇନ ଆଣିଛି। ସୁନାର ମୂଲ୍ୟ ଉପରେ ୫.୪% ରିହାତି ସହିତ ରୁପାର ଗଢା ମଜୁରି ଉପରେ ୫୦% ରିହାତି ଏବଂ ହୀରା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି। ଏହି ଅଫର ଏପ୍ରିଲ ୧୪ରୁ ଆରମ୍ଭ ହୋଇଥିବା ବେଳେ ୨୨ ପର୍ଯ୍ୟନ୍ତ ଚାଲିବ। ସଦ୍ୟଭାବେ ଭୁବନେଶ୍ୱରରେ ଖୋଲିଥିବା ଅରୁନ୍ଧତୀ ଜୁଏଲର୍ସର ବ୍ରାଞ୍ଚ ମୁଖ୍ୟ ନୀରଞ୍ଜନ ବେହେରା କହିଛନ୍ତି, ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଦୁଇଟି ସ୍ବତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରାଯାଇଛି। ଲୟାଲିଟି ପ୍ରୋଗ୍ରାମ ମାଧ୍ୟମରେ ଗ୍ରାହକଙ୍କ ପାଇଁ ଅତିରିକ୍ତ ରିହାତି ବ୍ୟବସ୍ଥା ରହିଛି। ସେହିପରି ପ୍ରତି ୫୦୦୦ ଟଙ୍କାର କ୍ରୟରେ କୁପନ ବ୍ୟବସ୍ଥା ରହିଛି ଯେଉଁଥିରେକି ଗ୍ରାହକ ଆକର୍ଷଣୀୟ ପୁରସ୍କାର ଲାଭ କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button