ରାଜ୍ୟ

ଓଡିଶା ଚିଲିକା ହ୍ରଦରେ ପାଣି ଉପରେ ପ୍ରତିଷ୍ଠା ହେବ ବିମାନବନ୍ଦର

ଆଓରି-ନୂଆଦିଲ୍ଲୀ(୧୩/୮) : ପାଣି ଉପରେ ପ୍ରତିଷ୍ଠା ହେବ ବିମାନବନ୍ଦର। ପ୍ରଥମ ପର୍ଯ୍ୟାୟରେ ଦେଶର ତିନୋଟି ସ୍ଥାନରେ ଏହି ଅତ୍ୟାଧୁନିକ ବିମାନ ବନ୍ଦର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ସେଥିମଧ୍ୟରୁ ଓଡିଶାର ଚିଲିକା ହ୍ରଦକୁ ଏକ ପ୍ରମୁଖ ସ୍ଥଳ ଭାବେ ବଛାଯାଇଛି। ଅନ୍ୟ ଦୁଇଟି ସ୍ଥାନ ମଧ୍ୟରେ ଗୁଜରାଟର ସର୍ଦ୍ଦାର ସରୋବର ଡ୍ୟାମ୍‌ ଏବଂ ସାବରମତୀ ରିଭର ଫ୍ରଣ୍ଟ୍‌ର ନାମ ରହିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ଏ ସମ୍ପର୍କରେ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି। ଖବର ଅନୁସାରେ ଜଳାଶୟ ଉପରେ ଏଭଳି ଅତ୍ୟାଧୁନିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଲାଇସେନ୍ସ ପ୍ରକ୍ରିୟା ଏବଂ ଏହାର ପଦ୍ଧତି ଆଦି ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଚଳିତବର୍ଷ ଜୁନ୍‌ରେ ନିୟାମକ ଜାରି କରିଥିଲା। ମନ୍ତ୍ରଣାଳୟର ସୂଚନା ଅନୁସାରେ ଏଭଳି ବ୍ୟବସ୍ଥା ସମ୍ପର୍କରେ ପୂର୍ବରୁ କୌଣସି ତଥ୍ୟ ନାହିଁ କି କୌଣସି ବିମାନସେବା ପ୍ରଦାନକାରୀ ସଂସ୍ଥା ମଧ୍ୟ ଏଥିପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି। ତେଣୁ ଏହାକୁ ଏକ ପରୀକ୍ଷାମୂଳକ ଭିତ୍ତିରେ କାର୍ଯ୍ୟକାରୀ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଅନ୍ୟପକ୍ଷରେ ଏହା ସଫଳ ହେଲେ ଆକାଶପଥରେ ଗମନାଗମନ ବ୍ୟବସ୍ଥା ଆହୁରି ବ୍ୟାପକ ହୋଇପାରିବ। ପ୍ରସ୍ତାବ ମୁତାବକ ପାଣି ଉପରେ ହେବାକୁ ଥିବା ବିମାନବନ୍ଦରଗୁଡିକ ବିଶେଷତଃ ପର୍ଯ୍ୟଟନ ଓ ଧାର୍ମିକସ୍ଥଳଗୁଡ଼ିକୁ ଦୃଷ୍ଟିରେ ରଖି ସ୍ଥାପନ କରାଯିବ। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ଏଥିପାଇଁ ଓଡିଶା, ଗୁଜରାଟ, ଆସାମ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଉପଯୁକ୍ତ ସ୍ଥାନ ଚୟନ କରିଛି। ଉକ୍ତ ସ୍ଥାନଗୁଡିକରେ ହିଁ ପାଣି ଉପରେ ବିମାନବନ୍ଦର ପ୍ରତିଷ୍ଠା କରାଯିିବ। ଯେଉଁ ସଂସ୍ଥା ଏହି ପ୍ରସ୍ତାବକୁ ବାସ୍ତବ ରୂପ ଦେବା ପାଇଁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଜାହଜ ଚଳାଚଳ ମନ୍ତ୍ରଣାଳୟ ସମେତ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟଠାରୁ ଅନୁମତି ଆଣିବାକୁ ପଡିବ ବୋଲି ଅଧିକାରୀ ଜଣକ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button