ଅପରାଧ

ଓଡିଶାରେ ନେଲା ମୋମୋ ଚ୍ୟାଲେଞ୍ଜ ଆଉ ଏକ ଜୀବନ

ଆଓରି-ଭୁବନେଶ୍ଵର(୫/୯) : ‘ମୋମୋ ଚ୍ୟାଲେଞ୍ଜ’ ନାମକ ଆଉ ଏକ ଅନଲାଇନ ଗେମ୍‍ ଏବେ ହ୍ୱାଟସ୍‍ଆପ ସମେତ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ବ୍ୟାପିବାରେ ଲାଗିଥିବା ବେଳେ ଏହି ଗେମ୍‍ ପାଇଁ ରାଜ୍ୟରେ ଆଉ ଜଣେ ଯୁବକ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। କଟକ ଜିଲା ମାହାଙ୍ଗା ବ୍ଲକ ଉମର ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଉମାକାନ୍ତ ବେହେରା (୨୫)। କିଛି ବର୍ଷ ହେବ ସେ ଚେନ୍ନାଇରେ କାମ କରୁଥିଲେ ଓ ଦୁଇ ମାସ ହେବ ନିଜ ଗ୍ରାମକୁ ଆସିଥିଲେ। ମାତ୍ର ବହୁ ସମୟ ଧରି ନିଜ ମୋବାଇଲରେ ଗେମ୍‍ ଖେଳୁଥିବାର ତାଙ୍କ ପରିବାର ଲୋକେ କହିଛନ୍ତି। ଆଜି ସକାଳେ ତାଙ୍କ ଝୁଲନ୍ତା ମୃତ ଦେହ ଗ୍ରାମର ଏକ କ୍ଲବ୍‍ ଘରୁ ଉଦ୍ଧାର କରାଯାଇଛି। ଉମାକାନ୍ତଙ୍କ ମୋବାଇଲରେ ମୋମୋ ଗେମ୍‍ ଥିବାର ସୂଚନା ମିଳିଛି। ଏହି ଗେମ୍‍କୁ ଖେଳି ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ରାଜ୍ୟର ଜଣେ ଇଞ୍ଜିନିୟରିଂ ଛାତ୍ର ‘ମୋମୋ ଚ୍ୟାଲେଞ୍ଜ’ ଗେମ୍‍ର ଶିକାର ହୋଇ ଶନିବାର ଆତ୍ମହତ୍ୟା କରିଥିଲେ।

ଅନ୍ୟ ପକ୍ଷରେ ଏହି ବିଜ୍ଜନକ ଖେଳ ନଖେଳିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚ ପୁଲିସ୍‍ ପକ୍ଷରୁ ନିର୍ଦେଶନାମା ଜାରି କରାଯିବା ସହିତ ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଏ ସଂକ୍ରାନ୍ତରେ ପରାମର୍ଶ ଦିଆଯାଇଛି। ଓଡ଼ିଶାର ଜଣେ ଇଞ୍ଜିନିୟରିଂ ଛାତ୍ର ‘ମୋମୋ ଚ୍ୟାଲେଞ୍ଜ’ ଗେମ୍‍ର ଶିକାର ହୋଇ ଆତ୍ମହତ୍ୟା କରିବା ପରେ ଶନିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଥିଲା

ଅନଲାଇନ୍‍ରେ ‘ମୋମୋ ଚ୍ୟାଲେଞ୍ଜ’ ଖେଳିବା ଦ୍ୱାରା ଖେଳାଳିଙ୍କ ଉପରେ ଏହା ମାନସିକ ଚାପ ପକାଇଥାଏ। ସେମାନେ ବିଭିନ୍ନ ଉପାୟରେ ନିଜ ଶରୀରକୁ ଆଘାତ ଦେଇଥା’ନ୍ତି କିମ୍ବା ଆତ୍ମହତ୍ୟା ଉଦ୍ୟମ କରିଥା’ନ୍ତି। ବିଶେଷକରି ଛୋଟ ପିଲା ଓ ଛାତ୍ରଛାତ୍ରୀଙ୍କୁ ଏହି ଗେମ୍‍ ଟାର୍ଗେଟ କରିଥାଏ। ଏହି ଗେମ୍‍କୁ ଖେଳୁଥିବା ପିଲାମାନେ ହଠାତ୍‍ ପରିବାର ଓ ବନ୍ଧୁମାନଙ୍କଠାରୁ ଦୁରତ୍ୱ ରକ୍ଷା କରିଥାନ୍ତି। ସେମାନେ ଏକାକୀ ରହିବାକୁ ପସନ୍ଦ କରିବା ସହ ବିଷର୍ଣ୍ଣ ଅବସ୍ଥାରେ ରହିଥାନ୍ତି। କୌଣସି କାର୍ଯ୍ୟରେ ମନ ନ ଦେବା ସହ ଚିଡିଚିଡା ପ୍ରବୃତ୍ତିର ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ଏପରିକି ବିଭିନ୍ନ ସମୟରେ ନିଜ ଶରୀରକୁ ଆଘାତ ଦେଇ ହିଂସାତ୍ମକ କାର୍ଯ୍ୟକୁ ଆପଣେଇନେଇଥାନ୍ତି।

ଯେଉଁମାନେ ହ୍ୱାଟସ୍‍ଆପ୍‍ରେ ସକ୍ରିୟ ଅଛନ୍ତି ସେମାନଙ୍କ କଣ୍ଟାକ୍ଟ ଲିଷ୍ଟରେ ସଂଯୋଗ କରିବା ପାଇଁ ଏକ ଅଜଣା ନମ୍ବର ଆସିଥାଏ। ସମ୍ପୃକ୍ତ ହ୍ୱାଟସ୍‍ଆପ୍‍ ବ୍ୟବହାରକାରୀ ଏହି ଅଜଣା ନମ୍ବରକୁ ନିଜ ଫୋନର କଣ୍ଟାକ୍ଟ ଲିଷ୍ଟରେ ଯୋଡ଼ିବା ପରେ ଉକ୍ତ ନମ୍ବରରୁ ‘ମୋମୋ ଚ୍ୟାଲେଞ୍ଚ’ ନାମରେ ଏକ ବାର୍ତ୍ତା ଆସିଥାଏ। ପ୍ରତ୍ୟୁତ୍ତର ଦେଲେ ମୋମୋ ଚ୍ୟାଲେଞ୍ଜ ଗେମ୍‍ରେ ଭାଗନେବାକୁ ନିର୍ଦେଶ ଆସିଥାଏ। ଏହି ନମ୍ବରକୁ ସଂଯୋଗ କଲେ ବଡ଼ବଡ଼ ଆଖି ଥିବା ଏକ ବାଳିକାର ଚିତ୍ର ଆସିଥାଏ। ଏହି ଚିତ୍ରକୁ ଜାପାନୀ ‘ମୋମୋ ଡଲ’ ବୋଲି କୁହାଯାଏ। ଅଜଣା ନମ୍ବରକୁ ସଂଯୋଗ କରି ଏହି ଖେଳ ଖେଳିବାଦ୍ୱାରା ଗେମ୍‍ ଆଡମିନ୍‍ ତରଫରୁ ବିଭିନ୍ନ ସ୍ତରରେ ନିର୍ଦେଶନାମା ଆସିଥାଏ। ଅନଲାଇନ୍‍ରେ ଆସୁଥିବା ନିର୍ଦେଶନାମା ଅନୁଯାୟୀ ହ୍ୱାଟସ୍‍ଆପ୍‍ ବ୍ୟବହାରକାରୀ ଏହି ଖେଳ ଖେଳିଲେ ସମ୍ପୂର୍ଣ୍ଣ ଭାବେ ଏହାର ଶିକାର ହୋଇଥା’ନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button