May 19, 2024

ଆଧାର ତଥ୍ୟ ପ୍ରଘଟ ହେଲେ ନିର୍ବାଚନ ପ୍ରଭାବିତ ହେବ : ସୁପ୍ରିମକୋର୍ଟ

1 min read

ଆଓରି(ତା୧୮|୪)-  

ଆଧାର କାର୍ଡ ତଥ୍ୟ ପ୍ରଘଟ (ଲିକ୍‌) ହେଲେ ନିର୍ବାଚନ ପରିମାଣ ପ୍ରଭାବିତ ହେବ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ଆଶଙ୍କା ପ୍ରକାଶ କରିଛନ୍ତି । ଏହାକୁ ନେଇ ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଥିଲା ଯେ ଆଧାର ଜରିଆରେ ଏକାଠି କରାଯାଇଥିବା ତଥ୍ୟ ପରମାଣୁ ବୋମା ନୁହେଁ, ଲୋକଙ୍କ ମଧ୍ୟରେ ଆବେଦନମାନେ ପ୍ରସାର ଓ ପ୍ରଚାର କରୁଥିବା ଭୟକୁ ଦୁରିଭୁତ କରନ୍ତୁ । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଖଣ୍ଡପୀଠର ସଦସ୍ୟ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ ୟୁଆଇଡିଏଆଇର ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀଙ୍କୁ ପଚାରିଥିଲେ ଯେ ଦେଶରେ ତଥ୍ୟ ସୁରକ୍ଷା ପାଇଁ କୌଣସି ଆଇନ ନ ଥିବାବେଳେ, ତଥ୍ୟ ସୁରକ୍ଷିତ ବୋଲି କହିବା କେତେ ସମୁଚିତ । ତେଣୁ ଆଧାର ତଥ୍ୟ ପ୍ରଘଟ ହେଲେ ନିର୍ବାଚନ ପ୍ରଭାବିତ ହେବା ଆଶଙ୍କା ନିରାଧାର ନୁହେଁ । ଆବେଦନକାରୀ କେମ୍ବ୍ରିଜ୍‌ ଆନାଲିଟିକାର ତଥ୍ୟ ଚୋରିକୁ ନେଇ ଯୁକ୍ତି ରଖିଥିଲେ । ସରକାରୀ ଓକିଲ କହିଥିଲେ ଯେ ୟୁଆଇଡିଆଇରେ ଗୁଗଲ କିମ୍ବା ଫେସ୍‌ବୁକ୍‌ ଭଳି ତଥ୍ୟର ବିଶ୍ଲେଷଣ କରିବାର ବ୍ୟବସ୍ଥା ନାହିଁ । ଆଧାର କୌଣସି ପ୍ରକାର ତଥ୍ୟର ବିଶ୍ଲେଷଣ ବା ଅନୁଧ୍ୟାନ ପାଇଁ ଅନୁମତି ଦିଏନାହିଁ । ଆଧାର ପାଇଁ କୌଣସି ଲୋକ ଆବେଦନ କଲେ କେବଳ ହଁ କିମ୍ବା ନାରେ ଉତ୍ତର ଦିଆଯାଇଥାଏ । ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ ଆଧାର ପ୍ରସ୍ତୁତିରେ ଘରୋଇ ସଂସ୍ଥାକୁ ସାମିଲ କରିବାର ଅର୍ଥ କ’ଣ । ସରକାରୀ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ଆଧାର ପ୍ରସ୍ତୁତିର ଅଧିକାର ସମସ୍ତ ତନାଘନା ପରେ ବେସରକାରୀ ସଂସ୍ଥାକୁ ପ୍ରଦାନ କରାଯାଇଥାଏ । ଏହା ସହ ଆଧାର ପ୍ରମାଣ ପାଇଁ ଅନେକ ସୁରକ୍ଷାଗତ ପ୍ରଶ୍ନ ଦେଇ ଯିବାକୁ ପଡିଥାଏ। ତେଣୁ ଏହା ଦ୍ୱାରା ଆଧାର ତଥ୍ୟ ପ୍ରଘଟର ଆଶଙ୍କା ନାହିଁ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.