ପ୍ରଶ୍ନପତ୍ର ପ୍ରଘଟର ସୂଚନା ଦେଇଥିଲେ ପଞ୍ଜାବର ଜଣେ ଗୃହିଣୀ
1 min read
ଆଜିର ଓଡିଶା (ତା୯|୪)-
ପଞ୍ଜାବର ଜଣେ ଗୃହିଣୀ କିପରି ସିବିଏସ୍ଇ ପଶ୍ନପତ୍ର ପ୍ରଘଟର ତିନି ଅଭିଯୁକ୍ତଙ୍କୁ ଧରାଇଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶନିବାର ପୁଲିସ ହିମାଚଳ ପ୍ରଦେଶରୁ ଜଣେ ଶିକ୍ଷକଙ୍କ ସହ ତିନି ଜଣଙ୍କୁ ଗିରଫ କରିବା ପରେ ଦ୍ୱାଦଶ ଶ୍ରେଣୀ ଅର୍ଥଶାସ୍ତ୍ର ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ତଥ୍ୟ ମିଳିଛି। ଜଣେ ମହିଳାଙ୍କ ସୂଚନା ଆଧାରରେ ପୁଲିସ ୪୦ଟି ହ୍ୱାଟ୍ସଆପ୍ ବାର୍ତ୍ତାକୁ ଅନୁସରଣ କରି ଏହାର ମୂଳରେ ପହଞ୍ଚଥିଲା ଓ ଅଭିଯୁକ୍ତମାନଙ୍କୁ ଠାବ କରିବା ସହ ଧରିବାରେ ସଫଳ ହୋଇଥିଲା ବୋଲି ଜଣାପଡ଼ିଛି। ଏହି ହ୍ୱାଟ୍ସଆପ୍ ଗୋଷ୍ଠୀରେ ୩୭ଜଣ ଛାତ୍ର, ୫ଜଣ ଶିକ୍ଷକ, ତିନି ଜଣ ଘରୋଇ ଟ୍ୟୁସନ୍ ଶିକ୍ଷକ ଓ ଦୁଇ ଜଣ ଗୃହିଣୀ ଥିଲେ। ପଞ୍ଜାବର ସମ୍ପୃକ୍ତ ଗୃହଣୀ ଓ ଦିଲ୍ଲୀରେ ଥିବା ତାଙ୍କ ଭଣଜା ହିଁ ଏହି ହ୍ୱାଟ୍ସଆପ୍ ବାର୍ତ୍ତାର ଦିଗ ଧରାଇଥିଲେ ଓ ଅନୁସନ୍ଧାନର ଦିଗ ନିର୍ଣ୍ଣୟ କରିଥିଲେ ବୋଲି ପୁଲିସ କହିଛି।
ସୂଚନାନୁଯାୟୀ, ସିବିଏସ୍ଇ କାର୍ଯ୍ୟାଳୟର ଜଣେ କର୍ମଚାରୀ ପୁଲିସକୁ ଗୋଟିଏ ହ୍ୱାଟ୍ସଆପ୍ ବାର୍ତ୍ତା ଦେଇଥିଲେ ଓ ଏହି ଗୋଷ୍ଠୀରେ ଥିବା ଜଣେ ଛାତ୍ରଙ୍କ ସୂଚନା ଦେଇଥିଲେ। ସମ୍ପୃକ୍ତ ଛାତ୍ରଙ୍କର ଜଣେ ସମ୍ପର୍କୀୟା ମାଇଁ ପଞ୍ଜାବରେ ଥିଲେ। ସମ୍ପୃକ୍ତ ମହିଳା ଜଣ ପ୍ରଶ୍ନପତ୍ରର ନକଲ ଥିବା ହ୍ୱାଟ୍ସଆପ୍ ବାର୍ତ୍ତା ଦିଲ୍ଲୀରେ ଥିବା ତାଙ୍କ ଭଣଜାଙ୍କୁ ପଠାଇଥିଲେ। ଏହାକୁ ପାଇବା ପରେ ଛାତ୍ରଜଣକ ବାର୍ତ୍ତାର ଜବାବ ଦେଇଥିଲେ। ଭଣଜାଠାରୁ ବାର୍ତ୍ତାଟି ସମ୍ପର୍କରେ ସୂଚନା ପାଇ ପୁଲିସ ଏହାକୁ ଅନୁସରଣ କରି ସମ୍ପୃକ୍ତ ମହିଳାଙ୍କ ପାଖରେ ପହଞ୍ଚିଥିଲା ଓ ଖୋଳତାଡ଼ କରି ହ୍ୱାଟ୍ସଆପ୍ ଗୋଷ୍ଠୀ ସମ୍ପର୍କରେ ଅଧିକ ସୂଚନା ପାଇଥିଲା। ପୁଲିସ ମହିଳାଙ୍କ ପାଖରେ ପହଞ୍ଚି ଜେରା କରିବା ପରେ ସେ ହାତଲେଖା ପ୍ରଶ୍ନପତ୍ରର ନକଲ କିପରି ଅନ୍ୟମାନଙ୍କ ସହ ବାଣ୍ଟିବାରେ ସାମିଲ ହୋଇଥିଲେ ତାହା ବର୍ଣ୍ଣନା କରିଥିଲେ। ଏହାକୁ ଖିଅ ଭାବେ ଧରି ପୁଲିସ ଉପରୋକ୍ତ ତିନି ଜଣଙ୍କୁ ଧରିଥିଲା।