ଜାତୀୟ

ପୁଲ୍‌ୱାମାରେ ତୁମୁଳକାଣ୍ଡ ; ଜଣେ ଜବାନ ଶହୀଦ – ୩ ଆତଙ୍କବାଦୀ ୭ ପଥର ଆକ୍ରମଣକାରୀ ନିହତ

ଆଓରି-ନୂଆଦିଲ୍ଲୀ(୧୬/୧୨) : ଜମ୍ମୁ କଶ୍ମୀରର ପୁଲ୍‌ୱାମାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଜୋରଦାର ଗୁଳି ବିନିମୟ ହୋଇଥିବା ବେଳେ ଜଣେ ହିଜବୁଲ୍‌ କମାଣ୍ଡର ସମେତ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇ ଯାଇଛନ୍ତି। ଅପରେସନ୍‌ ଚାଲିଥିବାବେଳେ ସୁରକ୍ଷାବାହିନୀ ଉପରେ ଶତାଧିକ ସ୍ଥାନୀୟ ଯୁବକ ଭୟଙ୍କର ପଥର ମା‌ଡ଼ କରିଥିଲେ। ଫଳରେ ସୁରକ୍ଷାବାହିନୀ ଗୁଳି‌ରେ ୭ ଜଣ ସ୍ଥାନୀୟ ବା‌ସିନ୍ଦା ମଧ୍ୟ ନିହତ ହୋଇଛନ୍ତି।

ଆତଙ୍କବାଦୀ ନିପାତ ଅଭିଯାନ‌ରେ ଆଜି ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଥିବା ବେଳେ ହିଜବୁଲ୍‌ ମୁଜାହିଦ୍ଦିନ୍‌ କମାଣ୍ଡର ଜହୁର ଠୋକର ନିପ‌ାତ ହେବା ସ୍ଥାନୀୟ ପୁଲିସ ପାଇଁ ଆଶ୍ଵସ୍ତିର କାରଣ ହୋଇଛି। ଠୋକର ଏକାଧିକ ପୁଲିସ ଫାଣ୍ଡି ଉପରେ ଆକ୍ରମଣରେ ସାମିଲ ଥିଲା ଏବଂ ଏକେ-୪୭ ବନ୍ଧୁକ ଲୁଟି ନେବାପରେ ତାକୁ ମୋଷ୍ଟ୍‌ ୱାଣ୍ଟେଡ୍‌ ଆତଙ୍କବାଦୀ ତାଲିକାରେ ସାମିଲ କରାଯାଇଥିଲା। ସେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ଔରଙ୍ଗଜେବ୍‌ଙ୍କ ହତ୍ୟାରେ ସାମିଲ ଥିଲା। ଆଜି ସକାଳେ ପୁଲ୍‌ୱାମାର ସିରୁନ୍‌ ଗ୍ରାମରେ ସେ ଲୁଚିଥିବା ଖବର ପାଇ ସୁରକ୍ଷାବାହିନୀ ସମଗ୍ର ଗ୍ରାମକୁ ଘେରି ଯାଇଥିଲେ। ପ୍ରାୟ ୩ ଘଣ୍ଟାର ଗୁଳି ବିନିମୟ ପରେ ଠୋକର୍ ସମେତ ୩ ଆତଙ୍କବାଦୀ ନିପାତ ହୋଇଥିବା ସ୍ପଷ୍ଟ ହୋଇଥିଲା। ତେବେ ଏହାକୁ ବିରୋଧ କରି ସ୍ଥାନୀୟ ବିଚ୍ଛିନତାବାଦୀମାନେ ପଥର ବର୍ଷା କରିବାରୁ ସ୍ଥିତି ଅଣାୟତ୍ତ ହୋଇ ଉଠିଥିଲା।

ପୁଲିସ ଗୁଳିରେ ଘଟଣା ସ୍ଥଳରେ ୨ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫ ଜଣ ଆହତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପୁଲ୍‌ୱାମା ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଉତ୍ତେଜନା ଲାଗି ରହିଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୩୨ ଜଣ ସ୍ଥାନୀୟ ଆତଙ୍କବାଦୀଙ୍କୁ ନିପାତ କରିବାରେ ସୁରକ୍ଷାବାହିନୀକୁ ସଫଳତା ମିଳିଛି। ସୁରକ୍ଷାବାହିନୀ ସହ ମୁହାଁମୁହିଁ ହେବାପରେ ୭ ନାଗରିକଙ୍କ ମୃତ୍ୟୁକୁ ନେଇ ବିଚ୍ଛିନତାବାଦୀମାନେ ଦକ୍ଷିଣ କଶ୍ମୀରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button