ୟୁଏଇରେ ବସ୍ ଦୁର୍ଘଟଣା ; ୮ ଭାରତୀୟଙ୍କ ସମେତ ୧୭ ମୃତ
1 min read
ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୦୭/୦୬) : ସଂଯୁକ୍ତ ଆରବ ଏମିରେଟ୍ସରେ ଏକ ବସ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଭାରତୀୟ ରହିଛନ୍ତି। ଦୁବାଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।
ଓମାନରେ ଥିବା ମୱାସଲଟ ନାମକ ସରକାରୀ ବସ୍ କମ୍ପାନୀର ଏକ ବସ୍ ମସ୍କାଟରୁ ଦୁବାଇ ଯାଉଥିବାବେଳେ ଗୁରୁବାର ସକାଳ ପ୍ରାୟ ୬ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଆହତଙ୍କ ମଧ୍ୟରେ ୪ ଜଣ ଭାରତୀୟ ରହିଛନ୍ତି। ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଅନ୍ୟ ୩ ଭାରତୀୟ ରଶିଦ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଭାରତୀୟ ଦୂତାବାସ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଛି।
ଦୁବାଇ ପୁଲିସ ପକ୍ଷରୁ ମଧ୍ୟ ଶୁକ୍ରବାର ସକାଳେ ଦୁର୍ଘଟଣା ସମ୍ପର୍କରେ ଟ୍ବିଟ୍ କରାଯାଇଛି। ମସ୍କାଟ-ଦୁବାଇ ରୁଟ୍ର ଶେଖ୍ ମହମ୍ମଦ ବିନ୍ ଜାୟଦ ରୋଡ୍ରେ ଥିବା ଏକ ସାଇନବୋର୍ଡକୁ ବସଟି ଧକ୍କା ଦେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକଙ୍କ ମଧ୍ୟରେ ଭାରତ ସମେତ ଅନ୍ୟାନ୍ୟ ଦେଶର ନାଗରିକ ରହିଛନ୍ତି।