ରାଜ୍ୟ

୮ ମାସରେ ଦବିଲା ସମ୍ବଲପୁର ବିଜୁ ସେତୁ

ସମ୍ବଲପୁରରେ ଦବିଲା ବିଜୁ ସେତୁ ।  ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାଁରେ ବିଭିନ୍ନ ଅନୁଷ୍ଠାନକୁ ନାମିତ କରି ବାହାବାହା ନେଉଥିବା ରାଜ୍ୟ ସରକାର ଆଜି ସେହି ବିଜୁ ବାବୁଙ୍କ ନାଁକୁ ମାଟିରେ ମିଶାଇଛନ୍ତି । ବିଜୁଙ୍କ ନାଁରେ ସମ୍ବଲପୁରରେ ନୂଆ କରି ନିର୍ମାଣ କରାଯାଇଥିବା ବିଜୁ ସେତୁ ଆଜି ଦବି ଯାଇଛି । ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକ ଏବେ ଆତଙ୍କିତ ଅଛନ୍ତି । ସେହି ସେତୁ ଦେଇ ଯିବାକୁ ଲୋକେ ଏବେ ଭୟ କରୁଛନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଲା ଏହି ସେତୁ ଏବେ ନୂଆ କରି ନିର୍ମାଣ କରାଯାଇଥିଲା । ଏହାକୁ ଉଦ୍‌ଘାଟନ କରିଥିଲେ ଖୋଦ୍‌ ରାଜ୍ୟର ୫ଥର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଏବଂ ବିଜୁଙ୍କ ଦାୟାଦ ନବୀନ ପଟ୍ଟନାୟକ । ଗତ ଫେବ୍ରୁଆରୀ ୧ରେ ନବୀନ ନିଜେ ସେଠାରେ ଉପସ୍ଥିତ ରହି ବହୁ ଆଡମ୍ବରପୂର୍ଣ୍ଣ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରାୟ ୧୧୮କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୧୫୦୦ମିଟର ଲମ୍ବ ବିଶିଷ୍ଟ ସେତୁକୁ ୮ମାସ ନପୁରୁଣୁ ତାହା ଦବିଯାଇଛି । ଏହାର ଚଉଡ଼ା ପ୍ରାୟ ୧୪,୮୦୦ମିଟର ରହିଛି । ସମ୍ବଲପୁର ନେଲସନ୍‌ ମାଣ୍ଡେଲା ଛକଠାରୁ ଚୌରଳପୁରକୁ ଏହି ସେତୁ ସଂଯୋଗ କରୁଛି ।

ସ୍ଥାନୀୟ ଲୋକଙ୍କ ପାଇଁ ଏହା ଅନେକ ସହାୟକ ହେବ ବୋଲି ନବୀନ ନିଜେ କହିଥିଲେ । ହେଲେ ଆଜିର ଏହି ଘଟଣା ପରେ ସେହି ସେତୁ ଦେଇ ଲୋକେ ଯିବାକୁ ଡରୁଛନ୍ତି । ତେବେ ଓଡ଼ିଶା ଭଳି ରାଜ୍ୟରେ ଏତେ ପରିମାଣର ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିବା ସେତୁ କାହିଁକି ଦବିଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । କେହି କେହି ଏହା ପିସିର କମାଲ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ରାଜ୍ୟ ସରକାରଙ୍କୁ ପିସି ସରକାର ବୋଲି ବାରମ୍ବାର ସମାଲୋଚନା କରୁଥିବା ବିରୋଧୀ ଆଜି ଗର୍ଜିବା ଆରମ୍ଭ କରିଛନ୍ତି । ପିସି କାରବାର ଯୋଗୁଁ ସେତୁ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବିରୋଧୀ ଓ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button