March 16, 2023

ନର୍ସିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣା : ୮ ଗିରଫ,

1 min read

ଆଓରି-ଭୁବନେଶ୍ଵର(୨୬/୦୯):ଜୁନାଗଡ଼/ଭବାନୀପାଟଣା : ଜଣେ ନର୍ସିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୫ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନାବାଳକକୁ ଜୁଭେନାଇଲକୁ କୋର୍ଟକୁ ପଠାଯାଇଛି। ସେହିପରି ଭିଡିଓ ଭାଇରାଲ କରିବା ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର ପ୍ରକାଶ କରିଛନ୍ତି।

ଗତ ୧୪ ତାରିଖ ଦିନ ଜଣେ ନର୍ସିଂ ଛାତ୍ରୀ ଭବାନୀପାଟଣା ସହରକୁ ମେଡିକାଲ କାମରେ ଆସିଥିଲେ। ତେବେ ଫେରିଲାବେଳେ ବସ୍‌ ଫେଲ ହୋଇ ଯିବାରୁ ବସଷ୍ଟାଣ୍ଡରେ ଘରକୁ ଯିବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ବସ୍‌ ଡ୍ରାଇଭର ପର୍ଲା ଗ୍ରାମର ଲଳିନ୍ଦ୍ର ଶବର ନିଜ ଗାଁକୁ ବାଇକ୍‌ରେ ଫେରୁଥିଲେ। ଚିହ୍ନା ପରିଚୟ ଥିବାରୁ ଛାତ୍ରୀ ଜଣଙ୍କ ତାଙ୍କ ସହ ବାଇକ୍‌ରେ ଆସିଥିଲେ। ଅପରାହ୍ନ ୧ଟା ୪୫ ମିନିଟରେ ଦୁହେଁ ବାଇକ୍‌ରେ ଜୁନାଗଡ଼ ଅଭିମୁଖେ ଆସୁଥିବାବେଳେ ଜାତୀୟ ରାଜପଥ-୨୬ର ବନମାଳୀପୁର ଛକ ନିକଟରେ ବକ୍ସିତୁଲସୀପାଲି ଗ୍ରାମର ଅମିତ ନାଏକ(୩୦), ପ୍ରକାଶ ନାଏକ(୨୨), ସନ୍ତ ନାଏକ(୨୪), ଲାବଣ୍ୟ ଛତ୍ରିଆ(୨୧), ତରଙ୍ଗ ଛତ୍ରିଆ(୨୧) ଓ ଜଣେ ନାବାଳକ ବାଇକ୍‌ରେ ଆସି ଛୁରି ଦେଖାଇ ସେମାନଙ୍କୁ ଅଟକାଇ ଥିଲେ। ବାଇକ୍‌ ଅଟକିବା ପରେ ଛାତ୍ରୀ ଜଣଙ୍କୁ ମୁହଁରେ କପଡ଼ା ଦେଇ ସେମାନେ ବକ୍ସିତୁଲସୀପାଲି ରାସ୍ତାରେ ବାଇକ୍‌ରେ ନିକଟସ୍ଥ ଘନା ସଂରକ୍ଷିତ ଜଙ୍ଗଲକୁ ନେଇଥିଲେ। ଅନ୍ୟପକ୍ଷରେ ଛାତ୍ରୀଙ୍କୁ ବାଇକ୍‌ରେ ବସାଇ ଆଣିଥିବା ଡ୍ରାଇଭର ସେମାନଙ୍କ ପିଛା କରିଥିଲେ। ଜଙ୍ଗଲରେ ଏହି ଯୁବକମାନଙ୍କ ସହ ଡ୍ରାଇଭର ଲଳିନ୍ଦ୍ର ଛାତ୍ରୀଙ୍କୁ ଛୁରି ଦେଖାଇ ଭୟଭୀତ କରି ଜଣକ ପରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହିତ ମୋବାଇଲରେ ସୁଟିଂ କରିଥିଲେ।

ଲୋକଲଜ୍ଜା ଭୟରେ ଛାତ୍ରୀ ଜଣକ ଏ ବିଷୟରେ ପୁଲିସକୁ ଜଣାଇ ନ ଥିବାବେଳେ ଘଟଣାର ୭ ଦିନ ପରେ ଗତ ୨୨ ତାରିଖରେ ଦୁଷ୍କର୍ମକାରୀମାନେ ଏହି ଘଟଣାର ଭିଡିଓ ଭାଇରାଲ କରି ଦେଇଥିଲେ। ତେଣୁ ୨୩ ତାରିଖରେ ପୀଡ଼ିତା ଛାତ୍ରୀ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ତଦନ୍ତ ପାଇଁ ୩ଟି ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲେ। ବୁଧବାର ପୁଲିସ ଦୁଷ୍କର୍ମରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ଜୁଭେନାଇଲ ଜଷ୍ଟିସ୍‌ ବୋଡ଼ରେ ହାଜର କରାଇଥିଲା। ସେହିଭଳି ଭିଡିଓ ଭାଇରାଲ ଘଟଣାରେ ଜୁନାଗଡ ଥାନା ଅନ୍ତର୍ଗତ ବକ୍ସିତୁଲସୀପାଲି ଗ୍ରାମର ବି‌ନୋଦ ନାଏକ(୩୨), ବ୍ରାହ୍ମଣୀଗୁଡା ଗ୍ରାମର ସ୍ବୟମ୍ବର ବାଗ(୩୦) ଏବଂ କୋକସରା ଥାନା ଅର୍ନ୍ତଗତ ତେନ୍ତୁଳିପଡ଼‌ା ଗ୍ରାମର ଟିକମଣି ପୋଢ଼(୩୨)ଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କଠାରୁ ବିଭିନ୍ନ ସାମଗ୍ରୀ ସହିତ ମୋବାଇଲ ଫୋନ ଜବତ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.