ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ଵତୀ ପରମହଂସ ଦେବଙ୍କ ୬୮ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଉଦଯାପିତ
1 min read
ଆଓରି-ଭୁବନେଶ୍ଵର(୨୧/୦୨) : ବିଶ୍ଵରେ ଭାତୃତ୍ଵ ତଥା ଅସାମ୍ପ୍ରଦାୟିକ ଭାବର ପ୍ରତିଷ୍ଠା ଲାଗି ସଦଗୁରୁ ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ଵତୀ ପରମହଂସ ଦେବ ଭକ୍ତ ସମ୍ମିଳନୀର ପ୍ରତିଷ୍ଠା କରିଥିଲେ । ଏହି ଭକ୍ତ ସମ୍ମିଳନୀର ୬୮ତମ ସଂସ୍କରଣ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ, ନୀଳାଚଳ ସାରସ୍ଵତ ସଂଘ , ପୁରୀ ଦ୍ଵାରା ଢେଙ୍କାନାଳର ମହିଷାପାଟ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଆଧ୍ୟାତ୍ମିକ ମହାକୁମ୍ଭର ପ୍ରସ୍ତୁତି ଗତ ୧ମାସ ପୂର୍ବରୁ ଆରମ୍ଭ ହୋଇଯାଇଥିଲା । ସମ୍ମିଳନୀ ମୁଖ୍ୟତଃ ଗତ ଫେବୃଆରି ୧୭-୧୮-୧୯-୨୦, ୪ଦିନ ଧରି ୧୦,୦୦୦ରୁ ଊର୍ଦ୍ଧ୍ଵ ଭକ୍ତମାନଙ୍କ ଉପସ୍ଥିତିରେ ସୂଚାରୁ ରୂପେ ଆୟୋଜିତ ହୋଇଯାଇଛି । ୧୭ତାରିଖ ଦିନ ଅଧିବାସ ଉପଲକ୍ଷେ ଶ୍ରୀ ଶ୍ରୀ ଠାକୁର ମହାରାଜ ସମ୍ମିଳନୀ କ୍ଷେତ୍ର ପରିଦର୍ଶନ କରିଥିଲେ । ଉକ୍ତ ସନ୍ଧ୍ୟାରେ ତିନିଦିନ ବ୍ୟାପି ହେବାକୁ ଥିବା ସମ୍ମିଳନୀର କାର୍ଯ୍ୟପନ୍ଥା ଭକ୍ତମାନଙ୍କୁ ଅବଗତ କରଯାଇଥିଲା ।
ସମ୍ମିଳନୀର ପ୍ରଥମ ଦିନ ଶ୍ରୀ ଶ୍ରୀ ଠାକୁର ମହରାଜଙ୍କ ଷୋଡଶ ପ୍ରଚାର ପୂଜା , ମଙ୍ଗଳ ଆରତୀ ଅର୍ପଣ ସହିତ ଆରମ୍ଭ ହୋଇଥିଲା । ନୀଳାଚଳ ସାରସ୍ଵତ ସଂଘର ସଭାପତି ଶ୍ରୀ ସଂଗ୍ରାମ କେଶରୀ ସିଂହ, ପରିଚାଳକ ଶ୍ରୀ ଶରତ ଚନ୍ଦ୍ର ସିଂହଦେଓ ଓ ସମ୍ପାଦକ ଗଗନ କୁମାର ଦାସଙ୍କ ନେତୃତ୍ଵରେ ସଭା ପରିଚାଳନା ହୋଇଥିଲା । ସମ୍ମିଳନୀର ପରିଚାଳନା ମଣ୍ଡଳୀ ସଦସ୍ୟ ଶ୍ରୀ ସନ୍ତୋଷ କୁମାର ମହାନ୍ତି ଏହି ସମ୍ମିଳନୀ ଉପଲକ୍ଷେ ଭକ୍ତମାନଙ୍କୁ ଉଦବୋଧନୀ ଭାଷଣ ପ୍ରଦାନ କରିଥିଲେ । ଢେଙ୍କାନାଳର ମାନ୍ୟବର ବିଧାୟକ ତଥା ସମ୍ମିଳନୀର ଅଭ୍ୟର୍ଥନା ସମିତି ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ସାମଲ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଭକ୍ତମାନେ ଆଦର୍ଶ ଗୃହସ୍ଥ ଜୀବନ ଗଠନ ଉପରେ ନିଜ ନିଜର ଭାବ ବ୍ୟକ୍ତ କରିଥିଲେ ।
ସମ୍ମିଳନୀର ଦ୍ଵିତୀୟ ଦିବସରେ ପ୍ରାତଃ ସମୟରୁ ଶ୍ରୀ ଶ୍ରୀ ଠାକୁରଙ୍କୁ ଆରତି ଅର୍ପଣ କରାଯାଇ ବନ୍ଦନା ଓ ବୈଦିକ ପ୍ରାର୍ଥନା ସହିତ ଦ୍ଵିତୀୟ ଦିନର ଅଧିବେଶନ ଆରମ୍ଭ ହୋଇଥିଲା । ଆଜି ସଂଘ ଶକ୍ତିର ପ୍ରତିଷ୍ଠା ସମ୍ପର୍କରେ ନୀଳାଚଳ ସାରସ୍ଵତ ସଂଘର ବହୁ ଗୁଣୀ ଭକ୍ତମାନେ ନିଜର ମତ ରଖିଥିଲେ । ଏହା ସହିତ ଆସାମ ବଙ୍ଗୀୟ ସାରସ୍ଵତ ମଠର ସନ୍ୟାସୀ ସଦାନନ୍ଦ ମହାରାଜ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ସଂଘ ଶକ୍ତିର ଆବଶ୍ୟକତା ବିଷୟରେ ପୁଙ୍ଖାନୁପୁଙ୍ଖ ଅବଗତ କରାଇଥିଲେ । ଶିବ ଜ୍ଞାନରେ ଜୀବ ଥିବା ଲକ୍ଷ ନେଇ ନୀଳାଚଳ ସାରସ୍ଵତ ସଂଘ ତରଫରୁ ବିଶାଳ ରକ୍ତଦାନ ଶିବିର ଇଣ୍ଡିଆନ ରେଡକ୍ରସର ସହାୟତାରେ ଆୟୋଜିତ ହୋଇଥିଲା । ଏହି ରକ୍ତ ଦାନ ଶିବିରରେ ୩୦୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହିଦିନ ସନ୍ଧ୍ୟାରେ ଶ୍ରୀ ଶ୍ରୀ ଠାକୁର ଏବଂ ଭକ୍ତମାନଙ୍କୁ ଆନନ୍ଦ ଦେବା ନିମନ୍ତେ ଆନନ୍ଦା ସଭାର ମଧ୍ୟ ଆୟୋଜନ କରାଯାଇଥିଲା ।
ସମ୍ମିଳନୀର ଉଦଯାପନ ଦିବସର ସାଧାରଣ ସଭାରେ ନୀଳାଚଳ ସାରସ୍ଵତ ସଂଘ ପୁରୀର ସମ୍ପାଦକ ଗଗନ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏକାମ୍ର ସଂଘର ସଭ୍ୟ ଅତନୁ ସାବ୍ୟସାଚୀ ନାୟକ ଭକ୍ତ ସମ୍ମିଳନୀରେ ସାଧାରଣ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀ ନାୟକ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ଓ ଢେଙ୍କାନାଳ ଅଧିଷ୍ଠାତା ଦେବ ଶ୍ରୀ ବଳରାମଙ୍କର ମହିମା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଆସାମ ବଙ୍ଗୀୟ ସାରସ୍ଵତ ମଠ କୋକିଳାମୁଖର ମହାନ୍ତ ମହାରାଜ ଶ୍ରୀମଦ ସ୍ଵାମୀ ଦିବ୍ୟନନ୍ଦ ସରସ୍ଵତୀଙ୍କ ପ୍ରତିନିଧି ପୁରୁଷୋତ୍ତମାନନ୍ଦ ସରସ୍ଵତୀ ଉଦବୋଧନୀ ଅଭିଭାଷଣ ପ୍ରଦାନ କରିଥିଲେ ।ମନୁଷ୍ୟ ଜୀବନରେ ଥିବା ଚାରୋଟି ଆଶ୍ରମର ଗୁରୁତ୍ଵକୁ ବର୍ଣନା କରିଥିଲେ । ବ୍ରହ୍ମଚର୍ଯ୍ୟ ବ୍ରତ ଗୃହସ୍ଥ ଆଶ୍ରମ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ । ବ୍ରହ୍ମଚର୍ଯ୍ୟରୁ ଜଗତ ସୃଷ୍ଟି ହୋଇଛି । ଆମ୍ଭେ ସମସ୍ତେ ବ୍ରହ୍ମର ସ୍ୱରୂପ । ଏହା ଜାଣିବା ପାଇଁ ଗୁରୁଙ୍କର ସାହାଯ୍ୟ ଅତ୍ୟନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଝାରସୁଗୁଡା ଶାଖା ସଂଘର ସଭ୍ୟ ପ୍ରଭୂପଦ ଆଚାର୍ଯ୍ୟ ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନୀ ଓ ବୈଶିଷ୍ଠ୍ୟ ସମ୍ପର୍କରେ ଆଲୋକପାତ କରି ନଳିନୀକାନ୍ତରୁ ନିଗମାନନ୍ଦ ହେବାର ବିଷୟ ଉପରେ ଆଲୋକପାତ କରିଥିଲେ । ଠାକୁର ନିଗମାନନ୍ଦଙ୍କର ପତ୍ନୀ ସୂଧାଂଶୁବାଳାଙ୍କ ପରଲୋକ ପରେ ତାଙ୍କୁ ଖୋଜିବାକୁ ଯାଇ ସେ ଭଗବାନଙ୍କର ସନ୍ଧାନ ପାଇଥିଲେ । ତାଙ୍କର ଭକ୍ତମାନଙ୍କୁ ସହଜ, ସରଳ, ସାଧନାର ଉପାୟ ବତାଇ ଯାଇଛନ୍ତି ବୋଲି କହିଥିଲେ ।
ଭାଗବତ ଆଶ୍ରମ ପୁରୀର ଅଧ୍ୟକ୍ଷ ଶ୍ରୀମଦ ବାବା ବଜ୍ରବନ୍ଧୁ ଦାସ ଯୋଗଦେଇ ୮୪ ଯୋନୀ ଭ୍ରମଣ କଲା ପରେ ମନୁଷ୍ୟ ଜନ୍ମ ମିଳିଥାଏ । ଏହା କ୍ଷୀଣସ୍ଥାୟୀ ହେଲେ ମଧ୍ୟ ଦୁର୍ଲଭ ଜୀବନ । କେବଳ ଗୁରୁକୃପା ହେଲେ ଭଗବାନ ପ୍ରାପ୍ତି ହୋଇଥାଏ । ଭକ୍ତ ସମ୍ମିଳନୀ ହେଲେ ଭଗବାନଙ୍କ କୀର୍ତ୍ତନ ଓ ଶ୍ରବଣ ହୋଇଥାଏ । ଭଗବାନଙ୍କ କୃପା ଓ ଆଶୀର୍ବାଦ ମିଳିଥାଏ ବୋଲି କହିଥିଲେ । ପୁରୀ ଝାଞ୍ଜପିଟା ମଠର ଅଧ୍ୟକ୍ଷ ଶ୍ରୀମଦ ସ୍ଵାମୀ ସଚ୍ଚିଦାନନ୍ଦ ଦାସ ମହାରାଜ ଯୋଗଦେଇ ଗୁରୁଙ୍କୁ ଚିହ୍ନିପାରିଲେ ଶିଷ୍ୟର କଲ୍ୟାଣ ହୋଇଥାଏ । କଳ୍ପତରୁକୁ ଯେପରି ଯେଉଁ ଫଳ ମାଗିଲେ ସେ ପ୍ରଦାନ କରିଥାଏ, ଠିକ ସେହିପରି ଠାକୁର ନିଗମାନନ୍ଦ ତାଙ୍କ ଭକ୍ତ ମାନଙ୍କୁ ଫଳ ପ୍ରଦାନ କରିଥାନ୍ତି । ଠାକୁର ନିଗମାନନ୍ଦ ହେଉଛନ୍ତି ସେହିପରି କଳ୍ପତରୁ । କାରଣ ତାଙ୍କ ପାଖରୁ ଭକ୍ତମାନେ ଜ୍ଞାନ, ଯୋଗ, ଭକ୍ତି, ପ୍ରେମ ସବୁକିଛି ପାଇପାରିବେ । ପ୍ରତ୍ୟେକ ଗୁରୁ ଗୋଟିଏ ଗୋଟିଏ ତତ୍ତ୍ଵରେ ସିଦ୍ଧି ଲାଭ କରିଥିବା ବେଳେ ଠାକୁର ନିଗମାନନ୍ଦ ସବୁଥିରେ ସିଦ୍ଧି ଲାଭ କରିଛନ୍ତି । ସେହିଭଳି ଗୁରୁଙ୍କୁ ପାଇ ଆମେ ଧନ୍ୟ ବୋଲି କହିଥିଲେ । ଢେଙ୍କାନାଳ ଚିନ୍ମୟ ମିଶନ ଅଧ୍ୟକ୍ଷ ସ୍ଵାମୀ ସର୍ବପ୍ରିୟାନନ୍ଦ ସରସ୍ଵତୀ ଯୋଗଦେଇ ଗୁରୁକୃପା ଏବଂ ମନୁଷ୍ୟ ମଧ୍ୟରେ ଦିବ୍ୟଜ୍ଞାନ ସମ୍ପର୍କରେ ଆଲୋକପାତ କରିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଯୋଗଦେଇ ସନାତନ ଧର୍ମରେ ବ୍ୟକ୍ତି ଚରିତ୍ରର ସଂଶୋଧନ ଏବଂ ଭଗବତ ଧର୍ମଧାରାରେ ଭକ୍ତମାନଙ୍କର ଜୀବନ ଗଠନ ସମ୍ପର୍କରେ ଆଲୋକପାତ କରିଥିଲେ । ନୀଳାଚଳ ସାରସ୍ଵତ ସଂଘ ପୁରୀର ଉପସଭାପତି ଓ ପରିଚାଳକ ଶରତ ଚନ୍ଦ୍ର ସିଂହଦେଓ ନିମନ୍ତ୍ରିତ ଅତିଥି ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଦୀର୍ଘ ତିନିଦିନ ଧରି ଆୟୋଜିତ ହୋଇଥିବା ଏହି ଭକ୍ତ ସମ୍ମିଳନୀରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ବିଭିନ୍ନ ଦେଶ , ବିଦେଶ ଏବଂ ରାଜ୍ୟ ବାହାରୁ ଆସିଥିଲେ ।
ସମ୍ମିଳନୀର ବିଦାୟ ସଭାରେ ନୀଳାଚଳ ସାରସ୍ଵତ ସଂଘର ସମସ୍ତ ବିଭାଗର ମୁଖ୍ୟ ସଦସ୍ୟ ମାନେ ତାଙ୍କ ସେବାରେ ହୋଇଥିବା ତୃଟି ବିଚ୍ୟୁତି ପାଇଁ କ୍ଷମା ପ୍ରାର୍ଥନା କରିବା ପରେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କ ଠାରୁ ଆଶୀର୍ବାଦ କୃପା ଭିକ୍ଷା କରିଥିଲେ । ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ୬୯ତମ ଅଧିବେଶନ ଆସନ୍ତା ବର୍ଷ ମାଘ ପୂର୍ଣ୍ଣିମା ସମୟକୁ କୋରାପୁଟ ଜିଲ୍ଲାର ଦାମନଯୋଡିକୁ ଶ୍ରୀ ଶ୍ରୀ ଠାକୁରଙ୍କୁ ନିମନ୍ତ୍ରିତ କରଯାଇ ଭକ୍ତ ମାନଙ୍କୁ ସୂଚନା ଦିଆଯାଇଥିଲା ।
ସଦଗୁରୁ ଶ୍ରୀ ଶ୍ରୀ ନିଗମନନ୍ଦ ସରସ୍ଵତୀ ପରମହଂସ ଦେବ କହିଥିଲେ ଯେ “ମୁଁ ଯଦି ଜଗତରେ କିଛି କରିନଥାନ୍ତି ତେବେ ଏହି ସମ୍ମିଳନୀ ହିଁ ମୋର ସ୍ମୃତି ରକ୍ଷା କରିଥାନ୍ତା ।“