ନନ୍ଦନକାନନର ୫୮ତମ ପ୍ରତିଷ୍ଠା ଦିବସ ପାଳିତ
1 min read
ଓଡିଶାର ଗର୍ବ ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୫୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ଲୋକାର୍ପିତ ହୋଇଯାଇଛି ବହୁ ପ୍ରତୀକ୍ଷିତ ହିମାଳୟ କଳାଭାଲୁ ଏନ୍କ୍ଲୋଜର ଏବଂ ଏହା ପ୍ରତିଷ୍ଠା ଦିବସର ପ୍ରମୁଖ ଆକର୍ଷଣ ସାଜିଥିଲା। ବିଭିନ୍ନ ରଙ୍ଗବେରଙ୍ଗ ଫୁଲରେ ସଜ୍ଜାଯାଇଥିବାରୁ ପର୍ଯ୍ୟଟକ ବେଶ୍ ଉତ୍ସାହର ସହ ଏହା ନିକଟରେ ଛିଡ଼ା ହୋଇ ଭାଲୁଙ୍କ ଗତିବିଧି ଦେଖିଥିଲେ। ଖୋଲାରେ ବିଚରଣ କରୁଥିବା ୨ ଭାଲୁ ‘କରିସ୍ମା’ ଓ ‘ମୋତିଆ’ ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲେ।
ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଉକ୍ତ ଏନ୍କ୍ଲୋଜରକୁ ଆନୁଷ୍ଠାନିକଭାବେ ଲୋକାର୍ପଣ କରିଥିଲେ। ବିଧାୟକ ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ବସ୍ଷ୍ଟାଣ୍ଡର ପୁନଃରୁଦ୍ଧାର ସାଙ୍ଗକୁ ବଟାନିକାଲ୍ ଗାର୍ଡେନ ବା ଉଦ୍ଭିଦ ଉଦ୍ୟାନରେ ନୂଆ କରି ବୋଟିଂ ବ୍ୟବସ୍ଥା ହେବ। ଅଳ୍ପଦିନ ମଧ୍ୟରେ ଓଟିଡିସିର ନୂଆ ରେଷ୍ଟୁରାଣ୍ଟ ଖୋଲିବ। ଟ୍ରାଫିକ୍ ସମସ୍ୟା ଦୂର ପାଇଁ ବହୁତଳ ପାର୍କିଂ ବ୍ୟବସ୍ଥା ହେବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଧାନ ମୁଖ୍ୟ ବନସଂରକ୍ଷକ(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱବଧାରକ ଡ. ସନ୍ଦୀପ ତ୍ରିପାଠୀ, ଖୋର୍ଦ୍ଧା ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ନନ୍ଦନକାନନ ନିର୍ଦ୍ଦେଶକ ଶିଶିର କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଅତିଥିମାନେ ନନ୍ଦନକାନନର ବାର୍ଷିକ ପୁସ୍ତିକା ଉନ୍ମୋଚନ କରିଥିଲେ। ବର୍ଷତମାମ ନିଷ୍ଠାର ସହିତ କାର୍ଯ୍ୟ କରିଥିବା ୩ଜଣ ଗାର୍ଡ, ଜଣେ ଫରେଷ୍ଟର, ୩ଜଣ ପ୍ରାଣୀ ରକ୍ଷକ ଏବଂ ସିକ୍ୟୁରିଟି ବିଭାଗର ୨ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।