ରାଜ୍ୟ

୩ୟ ଦିନରେ ବରାଦି ଅବଢ଼ା ବନ୍ଦ, -ଜିଦ୍‍ରେ ଅଟଳ ସୁଆର ସେବକ

ଆଓରି(ତା୧୯|୪)-  

ସ୍ୱାଭାବିକ ହେଲା ଶ୍ରୀଜୀଉଙ୍କ ନୀତିକାନ୍ତି। କୋଠଭୋଗରେ ମହାପ୍ରଭୁଙ୍କୁ ଅନ୍ନବ୍ୟଞ୍ଜନ ସମେତ ଫଳମୂଳ ଓ ପିଠାଭୋଗ କରାଗଲା; ହେଲେ ଉପାସରେ ଫେରିଲେ ଭକ୍ତ। ସୁଆର ସେବକଙ୍କ ଅସହଯୋଗ ଯୋଗୁଁ ଭୋଗମଣ୍ଡପ ହୋଇପାରିଲା ନାହିଁ। ୩ୟ ଦିନରେ ମଧ୍ୟ ବରାଦି ଅବଢ଼ା ପ୍ରସ୍ତୁତ ବନ୍ଦ ରହିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ଜିଦ୍‍ରେ ଅଟଳ ଥିବାରୁ ସମାଧାନର ବାଟ ଫିଟିଲା ନାହିଁ। ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡ଼ିତ ଶ୍ରୀଜଗନ୍ନାଥ ମନ୍ଦିରରେ ଏଭଳି ବିଶୃଙ୍ଖଳା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ତିକ୍ତ
ଅନୁଭୂତି ନେଇ ଫେରୁଛନ୍ତି ଶ୍ରଦ୍ଧାଳୁ ଭକ୍ତ। ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ବିଶୃଙ୍ଖଳିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନଥିବା କୁହାଯାଉଛି।
ମଙ୍ଗଳବାର ରାତି ୧ଟା ୫ରେ ଶ୍ରୀଜୀଉଙ୍କ ସକାଳଧୂପ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୩୮ଘଣ୍ଟା ଉପବାସ ରଖାଯିବା ପରେ ପ୍ରଭୁଙ୍କୁ ଭୋଗଲାଗି କରାଯାଇଥିଲା। ପୁଣିଥରେ ମହାପ୍ରଭୁ ରାତି ଅନିଦ୍ରା ରହିଲେ। ବୁଧବାର ଶ୍ରୀଜୀଉଙ୍କ ସେବାପୂଜା ସ୍ୱାଭାବିକ ହୋଇଥିଲେ ମଧ୍ୟ ନୀତିରେ ପ୍ରାୟ ୩ଘଣ୍ଟା ବିଳମ୍ବ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ମଙ୍ଗଳଆଳତି, ବେଶ, ଗୋପାଳବଲ୍ଲଭ, ସକାଳଧୂପ, ଖଇକୋରା ଭୋଗ, ଦକ୍ଷିଣିଘର ଭୋଗ, ଯାତଭୋଗ, ମଧ୍ୟାହ୍ନଧୂପ, ସନ୍ଧ୍ୟାଆଳତି, ସନ୍ଧ୍ୟାଧୂପ, ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ଅନୁଷ୍ଠିତ ହୋଇଛି। ତେବେ ପ୍ରଥମ କିମ୍ବା ଦ୍ୱିତୀୟ ଭୋଗମଣ୍ଡପ ହୋଇପାରି ନାହିଁ। ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ସାର୍ଥକ କୁମାର ଷଡ଼ଙ୍ଗୀ ଏବଂ ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ ଶ୍ରୀମନ୍ଦିରରେ ଉପସ୍ଥିତ ରହି ଶ୍ରୀଜୀଉଙ୍କ ନୀତି ସମ୍ପାଦନ ଅନୁଧ୍ୟାନ କରିଛନ୍ତି।
ତିନିଦିନ ହେଲା ଶ୍ରୀଜୀଉଙ୍କ ଆନନ୍ଦବଜାର ଖାଁ ଖାଁ ପଡ଼ିଛି। ମହାପ୍ରସାଦ ସେବା ଦୂର କଥା ମୁଣ୍ଡରେ ଲଗାଇବାକୁ କାଣିଚାଏ ଅବଢ଼ା ମିଳୁନାହିଁ। ଭୋଗମଣ୍ଡପ ପାଇଁ ସୁଆର ମହାସୁଆରମାନେ ପ୍ରସ୍ତୁତ ଓ ବିକ୍ରି କରୁଥିବା ବରାଦି ଅବଢ଼ା ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଅଛି କି ନାହିଁ ସେଥିନେଇ ନୂଆ ବିବାଦ ମୁଣ୍ଡ ଟେକିଛି। କୋଠଭୋଗରେ ଯେତିକି ମହାପ୍ରସାଦ ବାହାରେ ତାହା ଭକ୍ତଙ୍କ ଚାହିଦା ପୂରଣ ପାଇଁ ସମୁଦ୍ରକୁ ଶଙ୍ଖେପରି। ତେଣୁ ବିବାହ, ବ୍ରତ, ନିର୍ବନ୍ଧ, ଜନ୍ମଦିନ, ଶୁଦ୍ଧିକ୍ରିୟା, ଘର ପ୍ରତିଷ୍ଠା ଏବଂ ଉପାସବ୍ରତ ପାଇଁ ସହରବାସୀଙ୍କ ସମେତ ଆଖପାଖ ଗ୍ରାମଲୋକେ ଭୋଗମଣ୍ଡପ ବରାଦି ଅବଢ଼ା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଆନ୍ତି। ଅଧିକାଂଶ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ ପରେ ମହାପ୍ରସାଦ କିଣି ଖାଇଥାଆନ୍ତି। ସକାଳୁ ରାତିଯାଏଁ ମହାପ୍ରସାଦ ଉପଲବ୍ଧ ହୋଇଥାଏ। ୩ଦିନ ଧରି ଭୋଗମଣ୍ଡପ ବନ୍ଦ ହୋଇଥିବା ଯୋଗୁଁ ଭକ୍ତଙ୍କୁ ଅବଢ଼ା ମିଳୁନାହିଁ। ସେପଟେ ବିଧାନସଭାରେ ଆଇନମନ୍ତ୍ରୀଙ୍କ ଉତ୍ତର କଟା ଘା’ରେ ଚୂନ ଲଗାଇବା ପରି ହୋଇଛି। ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରନ୍ତୁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
ନଷ୍ଟ ହୋଇଥିବା ଅମୁଣିଆ ମହାପ୍ରସାଦ ପାଇଁ କ୍ଷତିପୂରଣ ଦେବା ନିମନ୍ତେ ପ୍ରଶାସନ ପ୍ରତିଶ୍ରୁତି ନଦେଲାଯାଏଁ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button