ଖେଳ

ମୁମ୍ବଇର ୨ୟ ବିଜୟ; ଚେନ୍ନଇର ୨ୟ ପରାଜୟ

ଆଓରି(ତା୨୯|୪)-ଆଇପିଏଲ୍‌-୧୧ରେ ‘କର ବା ମର’ ମ୍ୟାଚ୍‌ରେ ଶନିବାର ବିଜୟୀ ହୋଇଛି ମୁମ୍ବଇ ଇଣ୍ଡିଆନ୍‌ସ। ଅଧିନାୟକ ରୋହିତ ଶର୍ମା ଓ ଏଭିନ୍‌ ଲୁଇସ୍‌ଙ୍କ ଲଢ଼ୁଆ ଇନିଂସ ବଳରେ ଚେନ୍ନଇ ସୁପର କିଙ୍ଗ୍‌ସକୁ ୮ ୱିକେଟରେ ମୁମ୍ବଇ ଇଣ୍ଡିଆନ୍‌ସ ପରାସ୍ତ କରିଛି। ସୁରେଶ ରୈନାଙ୍କ ଅପରାଜିତ ୭୫ ଓ ଅମ୍ବତି ରାୟୁଡୁଙ୍କ ୪୬ ରନ୍‌ର ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଚେନ୍ନଇ ସୁପର କିଙ୍ଗ୍‌ସ ୫ ୱିକେଟରେ ୧୬୯ ରନ୍‌ କରି ପାରିଥିଲା। ପରେ ରୋହିତଙ୍କ ଅପରାଜିତ ଅର୍ଦ୍ଧଶତକ ଓ ଏଭିନ୍‌ ଲୁଇସ୍‌ଙ୍କ ୪୭ ରନ୍‌ ବଳରେ ୨ଟି ବଲ୍‌ ବାକିଥାଇ ୨ ୱିକେଟ ହରାଇ ମୁମ୍ବଇ ଇଣ୍ଡିଆନ୍‌ସ ଜିତିଥିଲା। ୭ମ ମ୍ୟାଚ୍‌ରେ ଏହା ମୁମ୍ବଇର ୨ୟ ବିଜୟ। ଅନ୍ୟପକ୍ଷରେ ଚେନ୍ନଇ ତା’ର ୭ମ ମ୍ୟାଚ୍‌ରେ ୨ୟ ପରାଜୟ ଭୋଗିଛି।
୧୭୦ ରନ୍‌ ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ୬ ଓଭରର ପାୱରପ୍ଲେରେ ୫୦ ରନ୍‌ କରିଥିଲା। ଏହାପରେ ମୁମ୍ବଇର ରନ୍‌ଗତି ଧିମେଇ ଯାଇଥିଲା ଏବଂ ଆବଶ୍ୟକ ରନ୍‌ହାର ବଢ଼ି ଚାଲିଥିଲା। ସୂର୍ଯ୍ୟକୁମାର ଯାଦବ ଓ ଏଭିନ୍‌ ଲୁଇସ୍‌ ବହୁତ ସମୟ ବ୍ୟାଟିଂ କରିଥିଲେ ହେଁ ଦ୍ରୁତ ରନ୍‌ସଂଗ୍ରହ କରି ପାରିନଥିଲେ। ୧୦ମ ଓଭରରେ ସ୍କୋର୍‌ ୬୯ ଥିବା ବେଳେ ସୂର୍ଯ୍ୟକୁମାର ୩୪ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୪ ରନ୍‌କରି ଆଉଟ ହୋଇ ଯାଇଥିଲେ। ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ବାମହାତି ଲୁଇସ ୧୦ମ ଓଭର ଶେଷରେ ମାତ୍ର ୨୧ ରନ୍‌ କରିଥିଲେ। ୧୧ଶ ଓଭରରେ ୨ଟି ଛକାମାରି ଲୁଇସ୍‌ ରନ୍‌ଗତି ବଢ଼ାଇଥିଲେ। ରୋହିତ ଶର୍ମା କ୍ରିଜ୍‌କୁ ଆସିବା ମାତ୍ରେ ରନ୍‌ଗତି ବଢ଼ିଥିଲା। ୧୭ଶ ଓଭରରେ ଆଉଟ ହୋଇଥିବା ଲୁଇସ୍‌ ୪୩ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୭ ରନ୍‌ କରିଥିଲେ। ଶେଷ ୨ ଓଭରରୁ ୨୨ ରନ୍‌ ଆବଶ୍ୟକ ଥିବା ବେଳେ ରୋହିତ ଶର୍ମାଙ୍କ ପ୍ରହାର ଯୋଗୁଁ ୨ଟି ବଲ୍‌ ବାକିଥାଇ ମୁମ୍ବଇ ଜିତି ନେଇଥିଲା। ରୋହିତ ଶର୍ମା ୩୩ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୫୬ ରନ୍‌କରି ଅପରାଜିତ ଥିଲେ। ପାଣ୍ଡ୍ୟା ୧୩ ରନ୍‌କରି ଅପରାଜିତ ଥିଲେ। ରୋହିତ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ଗତଥରର ଚମ୍ପିଆନ୍‌ ମୁମ୍ବଇ ଇଣ୍ଡିଆନ୍‌ସ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ଚେନ୍ନଇ ଓପ୍‌ନର ସେନ୍‌ ୱାଟ୍‌ସନ ୧୨ ରନ୍‌କରି ଆଉଟ ହୋଇ ଯାଇଥିଲେ। ତେବେ ୨ୟ ୱିକେଟ ପାଇଁ ଅମ୍ବତି ରାୟୁଡୁ ଓ ସୁରେଶ ରୈନାଙ୍କ ମଧ୍ୟରେ ଚମତ୍କାର ଭାଗିଦାରୀ ହୋଇଥିଲା। ଦୁହେଁ ୭ ଓଭର କ୍ରିଜ୍‌ରେ ରହି ବିସ୍ଫୋରକ ବ୍ୟାଟିଂକରିବା ସହ ଦ୍ରୁତ ୭୧ ରନ୍‌ର ଭାଗିଦାରୀ କରିଥିଲେ। ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର୍‌ ହୋଇ ଅରେଞ୍ଜ୍‌ କ୍ୟାପ୍‌ର ଅଧିକାରୀ ହୋଇଥିବା ଅମ୍ବତି ରାୟୁଡୁ କ୍ରମାଗତ ୨ୟ ମ୍ୟାଚ୍‌ରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ୩୫ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ରାୟୁଡୁ ୪୬ ରନ୍‌ କରିଥିଲେ। ପ୍ରଥମ ୧୦ ଓଭରରେ ଚେନ୍ନଇ ୯୧ ରନ୍‌ କରିଥିବା ବେଳେ ଶେଷ ୧୦ ଓଭରରେ ମାତ୍ର ୭୮ ରନ୍‌ କରି ପାରିଥିଲା। ବାମହାତି ସୁରେଶ ରୈନା ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୩ୟ ୱିକେଟ ପାଇଁ ୪୬ ରନ୍‌ ଯୋଡ଼ିଥିଲେ। ଧୋନି କିନ୍ତୁ ଏହି ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରି ପାରିନଥିଲେ। ଧୋନି ୨୧ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୬ ରନ୍‌ କରିଥିଲେ। ଡ୍ୱେନ୍‌ ବ୍ରାଭୋ ୦ ଓ ସାମ୍‌ ବିଲିଙ୍ଗ୍‌ସ ୩ ରନ୍‌ କରିଥିଲେ। ରୈନା ୪୭ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୭୫ ରନ୍‌କରି ଅପରାଜିତ ଥିଲେ। ମିଚେଲ ମ୍ୟାକ୍‌କ୍ଲିନାଘାନ୍‌ ଓ କ୍ରୁନାଲ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button