ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଜାରି ; ବୋମା ଓ ଗୁଳି ମାଡ଼ରେ ୨ ମୃତ
1 min read
ଆଓରି-ନୂଆଦିଲ୍ଲୀ(୨୦/୦୬) : ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସକାଣ୍ଡ ଜାରି ରହିଛି। ଏହି କ୍ରମରେ ଉତ୍ତର ୨୪ ପର୍ଗଣାରେ ଗୁରୁବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ସଂଘର୍ଷ ବେଳେ ଗୁଳିକାଣ୍ଡ ଓ ବୋମା ମାଡ଼ ହୋଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଲାଠି ଚାର୍ଜ ଓ ଲୁହ ବୁହା ଗ୍ୟାସ ମାଡ଼ କରିଛି। ଏପର୍ଯ୍ୟନ୍ତ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଘଟଣାସ୍ଥଳରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦେଶ ଅନୁସାରେ ଜିଲାପାଳ ସ୍ଥିତି ଉପରେ ନଜର ରଖିଛନ୍ତି।
ସୂଚନାଯୋଗ୍ୟ ଯେ ଭାଟପାରା ଟିଏମସି ବିଧାୟକ ଅର୍ଜୁନ ସିଂହ ଦଳ ତ୍ୟାଗ କରି ବିଜେପିରେ ଯୋଗଦେବା ପରେ ବାରକପୁର ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି। କୁହାଯାଉଛି ହିଂସା ଘଟିଥିବା ସ୍ଥାନରେ ପଶ୍ଚିମବଙ୍ଗ ଡିଜିପି ବୀରେନ୍ଦ୍ରଙ୍କ ଦ୍ୱାରା ଭାଟପାରା ପୁଲିସ୍ ଥାନାର ଉଦ୍ଘାଟନ ହେବାର ଥିଲା। ମଙ୍ଗଳବାର କୁଚବିହାର ଜିଲାରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଏହାପରଠାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ପ୍ରକାଶ ଯେ ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଜାରି ରହିଛି। ପୁଲିସ୍ ସୂଚନା ଅନୁସାରେ ଉତ୍ତର ୨୪ ପର୍ଗଣା ଜିଲା ବାରାକପୁର ଲୋକସଭା ଅଞ୍ଚଳ ଅନ୍ତର୍ଗତ ଭାଟପାରା ଥାନା ଅଧୀନ କାଙ୍କିନାରା ବଜାରରେ କେତେକ ଦୁର୍ବୃତ୍ତ ବୋମା ଓ ଗୁଳି ମାଡ଼ କରିଥିଲେ। ଏଥିରେ ଜଣେ ନାବାଳକ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗୁଳି ମାଡ଼ରେ ମୃତ ନାବଳକର ନାମ ରାମ ବାବୁ ଶା’ ଓ ତାର ବୟସ ୧୭ ବର୍ଷ ବୋଲି ଜାଣିବାକୁ ମିଳିଛି। ଆହତଙ୍କୁ ବାରାକପୁରର ବିଏନ୍ ବୋଷ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।