March 18, 2023

ଆସନ୍ତା ୧୭ କିମ୍ବା ୧୮ ତାରିଖରେ ପ୍ରକାଶ ପାଇପାରେ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

1 min read

ଆଓରି-ଭୁବନେଶ୍ଵର(୧୨/୦୬) : ରଜ ପରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ। ଗତ ୩ ତାରିଖରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ବାଣିଜ୍ୟ ଏବଂ କଳା ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ରଜ ପରେ ଅର୍ଥାତ ଆସନ୍ତା ୧୭ କିମ୍ବା ୧୮ ତାରିଖ ବେଳକୁ ଏହି ଦୁଇଟି ବିଭାଗର ଫଳାଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ସୂଚନା ଦେଇଛନ୍ତି।

ଚଳିତ ବର୍ଷ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୦ ହଜାର ୭୦୬ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଚଳିତ ବର୍ଷ ପାସ୍‌ ହାର ୭୨.୩୩ ପ୍ରତିଶତ ରହିଛି । ଯାହା ଗତବର୍ଷ ତୁଳନାରେ ୪.୬୫% କମ୍ । ଆଗକୁ ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ହେବାକୁ ଥିବାରୁ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟ୍‌ ଆବଶ୍ୟକତା ଅଧିକ ରହିଛି । ତେଣୁ ଜୁନ୍‌ ୧୭ ସୁଦ୍ଧା ବିଦ୍ୟାଳୟ ଗୁଡ଼ିକରେ ସାର୍ଟିଫିକେଟ୍‌ ପହଞ୍ଚାଯିବ ।

ସୂଚନାଯୋଗ୍ୟ, ଚଳିତବର୍ଷ ବାତ୍ୟା ଫନି ଯୋଗୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି। ମେ ମାସର ୨ କିମ୍ବା ୩ ସପ୍ତାହ ବେଳକୁ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ କରାଯିବା ନେଇ ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଥିଲା। କିନ୍ତୁ ଏହା ପୂର୍ବରୁ ବାତ୍ୟା ହୋଇଯିବାରୁ ଖାତାଦେଖା ଏବଂ ଅନ୍ୟାନ୍ୟ କାର୍ଯ୍ୟ ବିଳମ୍ବିତ ହୋଇଥିଲା। ବାତ୍ୟା ପରେ ପ୍ରଥମେ ଜୁନ ୩ରେ ବିଜ୍ଞାନ ବିଭାଗର ଫଳାଫଳ ପ୍ରକାଶ ପାଇଥିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.