ଜାତୀୟ

ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାବାହିନୀ ଉପରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ; ୧୮ ଯବାନ ସହିଦ

ଆଓରି-ନୂଆଦିଲ୍ଲୀ(୧୪/୦୨) : ଆଜି ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାବାହିନୀ ଉପରେ ହୋଇଥିବା ବଡ଼ଧରଣର ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିବା ସୂଚନା ମିଳିଛି । ତେବେ ସିଆରପିଏଫ ପକ୍ଷରୁ ଏପର୍ଯ୍ୟନ୍ତ ଏହି ସଂଖ୍ୟାକୁ ସରକାରୀଭାବେ ସ୍ୱୀକାର କରାଯାଇନାହିଁ । ଏହି ଘଟଣାରେ ପ୍ରାୟ ୪୫ ଯବାନ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଜାମ୍ମୁ ଓ କାଶ୍ମୀରର ଡିଜିପି ସ୍ୱୀକାର କରିଛନ୍ତି । ଜୈସ ଇ ମହମ୍ମଦ ସଂଗଠନର ଏକ ଶାଖା ସଂଗଠନ ଜୈସ ଅଲ ଆଦିଲ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲା ଏହି ଘଟଣାର ନିନ୍ଦା କରିଛନ୍ତି ।ସିଆରପିଏପର ୫୪ ବାଟାଲିୟନର ଏକ ବସ ଯବାନ ମାନଙ୍କୁ ନେଇ ଜାମ୍ମୁରୁ ଶ୍ରୀନଗର ଯାଉଥିଲା । ଗୁରୁବାର ସନ୍ଧ୍ୟାରେ ଅବନ୍ତିପୁରା ଅଞ୍ଚଳରେ ସିଆରପିଏଫ ଯବାନମାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ହାଇଓ୍ୱେରେ ଛିଡ଼ା ହୋଇଥିବା ଏକ କାରରେ ପୂର୍ବରୁ ଆଇଡି ଖଞ୍ଜା ଯାଇଥିଲା । ଏହାକୁ ପ୍ରଥମେ ବ୍ଲାଷ୍ଟ କରାଇବା ସହ ସିଆରପିଏଫ୍‌ ଗାଡ଼ି ଉପରକୁ ସ୍ୱୟଂଚାଳିତ ବନ୍ଧୁକ ଦ୍ୱାରା ଅତର୍କିତ ଆକ୍ରମଣ କରିଚାଲିଥିଲା ଆତଙ୍କବାଦୀ ସଂଗଠନ ।

ଏହି ଆକ୍ରମଣରେ ସିଆରପିଏଫ୍‌ର ଏକ ଗାଡ଼ି ଆଇଡି ବିସ୍ଫୋରଣରେ ଧ୍ୱଂସ ହୋଇଯାଇଥିଲା । ଏଥିରେ ୧୬ ଯବାନ ଗୁରୁତର ହୋଇଥିଲେ । ଏହାପରେ ଆହତ ଯବାନମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । କିନ୍ତୁ ଡାକ୍ତରଖାନା ନେବା ବାଟରେ ୧୮ ଯବାନଙ୍କ ମୃତ୍ୟୁ ହୋଇଥିଲା । ୧୦ରୁ ଅଧିକ ଯବାନଙ୍କ ଅବସ୍ଥା ଏବେ ଗୁରୁତର ରହିଥିବା ସୂଚନା ମିଳିଛି । ଜମ୍ମୁ-ଶ୍ରୀନଗର ଯାଉଥିବା ଏହି ସିଆରପିଏଫ୍‌ କାଫିଲେ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ ।

Related Articles

Leave a Reply

Your email address will not be published. Required fields are marked *

Back to top button