ଗଗନାୟନ ପାଇଁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ମନୋନୟନ ପ୍ରକ୍ରିୟା ଶେଷ
1 min read
ଆଓରି-ନୂଆଦିଲ୍ଲୀ(୦୭/୦୯) : ଭାରତର ଅନ୍ୟତମ ମହାକାଶ ଅଭିଯାନ ‘ଗଗନାୟନ’ ନିମନ୍ତେ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ମନୋନୟନ ପ୍ରକ୍ରିୟା ସମାପ୍ତ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ବେଙ୍ଗାଲୁରୁସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଏରୋସ୍ପେସ୍ ମେଡିସିନଠାରେ ପାଇଲଟମାନଙ୍କର ଶାରୀରିକ, ରେଡିଓଲୋଜିକାଲ, କ୍ଲିନିକାଲ ପରୀକ୍ଷା ପ୍ରଭୃତି ପ୍ରକ୍ରିୟା ସମ୍ପାଦିତ ହୋଇଛି। ଏଥିସହ ସେମାନଙ୍କ ମାନସିକ ସ୍ଥିତି ମଧ୍ୟ ଯାଞ୍ଚ କରାଯାଇଛି। ମଙ୍ଗଳାୟନ ଅଭିଯାନ କ୍ରମେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ୨୦୨୨ ସୁଦ୍ଧା ମାନବବାହୀ ଭାରତୀୟ ମହାକାଶ ଯାନ ପଠାଇବାର ଯୋଜନା ରଖିଛି। ଧାର୍ଯ୍ୟ ସମୟରେ ଏହି ଅଭିଯାନ ଆରମ୍ଭ କରିବା ନେଇ ଇସ୍ରୋ ସକ୍ଷମ ବୋଲି ଏହାର ଅଧ୍ୟକ୍ଷ କେ. ଶିବନ କହିଛନ୍ତି। ଏହା ଏକ ବୃହତ୍ ଦାୟିତ୍ବ ତଥା ଆହ୍ବାନ ହୋଇଥିଲେ ମଧ୍ୟ ଏହାର ସଫଳତା ନେଇ ସେ ଦୃଢ଼ ବିଶ୍ବାସ ପ୍ରକାଶ କରିଛନ୍ତି।
୨୦୧୮ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଗନାୟନ ସମ୍ବନ୍ଧରେ ଘୋଷଣା କରିଥିଲେ। ଏହି ଅଭିଯାନରେ ତିନି ଜଣ ମହାକାଶଚାରୀଙ୍କୁ ୭ ଦିନ ପାଇଁ ମହାକାଶକୁ ପଠାଯିବ। ମହାକାଶଯାନକୁ କକ୍ଷପଥର ତଳ ଭାଗରେ ୩୦୦ରୁ ୪୦୦ କିଲୋମିଟର ଦୂରରେ ରଖିବାର ଯୋଜନା ରହିଛି। ଗଗନାୟନ ଅଭିଯାନ ଅଧୀନରେ ୨ଟି ମାନବବିହୀନ ଏବଂ ଗୋଟିଏ ମାନବବାହୀ ମହାକାଶଯାନ ପଠାଯିବାର କାର୍ଯ୍ୟକ୍ରମ ରହିଛି।