ମହାନଦୀ ଡଙ୍ଗାବୁଡ଼ି ଘଟଣା: ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଲା
1 min read
ଆଓରି-ଭୁବନେଶ୍ଵର(୦୪/୦୧) : ହୁକିଟୋଲା ଡଙ୍ଗାବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ହୋଇଛି । ୪୦ ଘଣ୍ଟା ପରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳ ନିକଟସ୍ଥ ନିପାଣିଆରୁ ୬ ବର୍ଷ ଶିଶୁର ମୃତଦେହ ମିଳିଛି । ହୁକିଟୋଲା ଡଙ୍ଗାବୁଡିର ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ନିଖୋଜ ଥିଲା । ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଥିବା ବେଳେ ଆଜି ମୃତଦେହ ମିଳିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ବୁଧବାର ରାତିରେ ମହାକାଳପଡା ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିଲା । ଡଙ୍ଗା ବୁଡି ୯ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ସେହି ଦିନ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୭ଟାରେ ମହାକାଳପଡ଼ାର ହୁକିଟୋଲା ଦ୍ୱୀପରୁ ବଣଭୋଜି ସାରି ୧୯ ଟି ପରିବାରର ପ୍ରାୟ ୫୦ ଜଣ ଯାତ୍ରୀ ଗୋଟିଏ ଡଙ୍ଗାରେ ଫେରୁଥିଲେ । ବତୀଘର ନିକଟ ସାନନିପାଣିଆ ଭାନୁଗିରିଘାଟରେ ଜଣେ ମହିଳା ଶୌଚ ପାଇଁ କହିବାରୁ ସେହି ସ୍ଥାନରେ ଡଙ୍ଗାଚାଳକ କୂଳକୁ ଡଙ୍ଗା ନେଉଥିଲେ । ଅଚାନକ ଏକ ମାଛ ଧରା ବୋଟ୍ ଦ୍ରୁତ ଗତିରେ ଡଙ୍ଗା ଆଡ଼କୁ ଆସିଯିବାରୁ ଭୟରେ ଡଙ୍ଗାରେ ଥିବା ଯାତ୍ରୀମାନେ ଗୋଟିଏ ପଟକୁ ଆଉଜି ଯାଇଥିଲେ । ଫଳରେ ଡଙ୍ଗାଟି ସେଠାରେ ଭାରସାମ୍ୟ ହରାଇ ଲେଉଟି ପଡ଼ିଥିଲା । ସନ୍ଧ୍ୟା ସମୟରେ ଜୁଆର ଥିବାରୁ ଯାତ୍ରୀମାନେ ପାଣି ଭିତରକୁ ଟାଣି ହୋଇଯାଇଥିଲେ । ଜୁଆର ସ୍ରୋତରେ କେତେକ ପହଁରି ପହଁରି କୂଳକୁ ଆସିଥିଲେ ।