ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଲା ଭାରତ ; ୧୦ ପାକିସ୍ତାନୀ ସୈନିକ ଏବଂ ୩ ଆତଙ୍କବାଦୀ ନିହତ
1 min read
ଆଓରି-ନୂଆଦିଲ୍ଲୀ(୩୧/୦୭) : ପାକିସ୍ତାନ ଲଗାତାର ୩ୟ ଦିନ ପାଇଁ ମଙ୍ଗଳବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିୟନ୍ତ୍ରଣ ରେଖାରେ ପାକ୍ ପକ୍ଷରୁ ଯୁଦ୍ଧବିରତି ଉଲ୍ଲଂଘନ କରାଯାଇଛି। ଜାମ୍ମୁର ପଲାମ୍ବାଲା ସେକ୍ଟର, ରାଜୌରୀର ନୌସେରା ଏବଂ ଉତ୍ତର କାଶ୍ମୀରର ଟଙ୍ଗଧାର ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଭାରତୀୟ ସେନା ଶିବିର ଏବଂ ଅଞ୍ଚଳବାସୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଛି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ୪ ଯବାନ ଏବଂ ଦୁଇଜଣ ନାଗରିକ ଆହତ ହୋଇଛନ୍ତି।
ତେବେ ପାକ୍ ସେନାର ଏହି ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନା ପକ୍ଷରୁ ପାଲଟା ଜବାବ ଦିଆଯାଇଥିବାବେଳେ ଏଥିରେ ୧୦ ପାକିସ୍ତାନୀ ସୈନିକ ଏବଂ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହା ସହିତ ପାକିସ୍ତାନର ଅନେକ ପୋଷ୍ଟ ଧ୍ଵସ୍ତବିଧ୍ଵସ୍ତ ହୋଇଥିବା ଖବର ମିଳିଛି। ସେନାର ଜଣେ ମୁଖପାତ୍ର କହିଛନ୍ତି, ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ଶିବିର ଏବଂ ସୈନିକଙ୍କର ବହୁମାତ୍ରାରେ କ୍ଷୟକ୍ଷତି ହୋଇଛି। ତେବେ କେତେ ସଂଖ୍ୟାରେ ପାକ୍ ସୈନିକ ନିହତ ହୋଇଛନ୍ତି ସେ ନେଇ କିଛି କୁହାଯାଇ ନାହିଁ।