୧ କୋଟି ୪୦ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ-ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ
1 min read
ଆଓରି(ତା୨୭|୪)-ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ବାରୋ ଗ୍ରାମ ପଞ୍ଚାୟତ, ଅନୁଗୁଳ ଜିଲ୍ଲାର ସାନତ୍ରିବିଡା, ଝାରସୁଗୁଡା ଜିଲ୍ଲାର କୁଡାଲୋଇ ଓ କନ୍ଧମାଳ ଜିଲ୍ଲାର ଗୁହାରୀ ପଞ୍ଚାୟତ ପାଇଁ ୧ କୋଟି ୪୦ ଲକ୍ଷ ଟଙ୍କାର ୩୦ ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ବାରେ ଗ୍ରାମ ପଞ୍ଚାୟତର ୩୫ ଲକ୍ଷ ଟଙ୍କାରେ ୭ଟି, ଅନୁଗୁଳ ଜିଲ୍ଲାର ସାନତ୍ରିବିଡା ଗ୍ରାମ ପଞ୍ଚାୟତର ୩୫ ଲକ୍ଷ ଟଙ୍କାରେ ୮ଟି, ଝାରସୁଗୁଡା ଜିଲ୍ଲାର କୁଡାଲୋଇ ଗ୍ରାମ ପଞ୍ଚାୟତର ୩୫ ଲକ୍ଷ ଟଙ୍କାରେ ୯ଟି ଏବଂ କନ୍ଧମାଳ ଜିଲ୍ଲାର ଗୁଦାରୀ ଗ୍ରାମ ପଞ୍ଚାୟତର ୩୫ ଲକ୍ଷ ଟଙ୍କାରେ ୬ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।
ଭିଡିଓ କନ୍ଫରେନ୍ସି ଦ୍ଵାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମ ପଞ୍ଚାୟତ ଗୁଡିକର ସରପଞ୍ଚ ମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସଂପର୍କରେ ଉପସ୍ଥାପନା କରିବାପାଇଁ କହିଥିଲେ ଏବଂ ସେମାନଙ୍କ ଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବ ଗୁଡିକୁ ବିଚାର କରି ତୁରନ୍ତ ମଞ୍ଜୁରୀ ପ୍ରଦାନ କରିଥିଲେ। ଗାଁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନବ ପ୍ରୟାସ ପାଇଁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ସୂଚନାଯୋଗ୍ୟ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସପ୍ତାହକୁ ଦୁଇ ଦିନ ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁର ବିକାଶ ସଂପର୍କରେ ଆଲୋଚନା କରୁଛନ୍ତି।
ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।