ଆଇପିଏଲ୍ ସବୁଠୁ ମହଙ୍ଗା
1 min read
ମୁମ୍ବାଇ,୫-୧୦(ଆଜିର ଓଡିଶା) : ଆଇପିଏଲ୍ ଏବେ ଅନ୍ତର୍ଜାତୀୟ କ୍ରିକେଟ୍ଠାରୁ ବି ମହଙ୍ଗା ହୋଇଯାଇଛି। ଅନ୍ତର୍ଜାତୀୟ କ୍ରିକେଟ୍ର ପ୍ରସାରଣ ଅଧିକାର ଯେତିକି ଦରରେ ବିକ୍ରି ହେଉଛି ତା’ଠାରୁ ବହୁଗୁଣ ଦେଇ କଂପାନିମାନେ ଆଇପିଏଲର ପ୍ରସାରଣ ଅଧିକାର କିଣି ନେଉଛନ୍ତି। ଗତକାଲି ମୁମ୍ବାଇରେ ହୋଇଥିବା ନିଲାମରେ ତେରଟି ବଡ଼ କଂପାନିକୁ ପଛରେ ପକାଇ ଷ୍ଟାର ଇଣ୍ଡିଆ ୨୦୧୮ରୁ ୨୦୨୨ର ୫ ବର୍ଷୀୟ ଅବଧି ଲାଗି ଏହି ବିପୁଳ ଅର୍ଥରେ ଆଇପିଏଲ୍ର ପ୍ରସାରଣ ଅଧିକାର କିଣିଛି। କୌଣସି କ୍ରିକେଟ୍ ଲିଗ୍ର ପ୍ରସାରଣ ଅଧିକାର ଏତେ ଟଙ୍କାରେ ବିକ୍ରି ହେବାର ମଧ୍ୟ ଏହା ପ୍ରଥମ ଘଟଣା।
ଏହି ଚର୍ଚ୍ଚିତ କ୍ରିକେଟ୍ ଲିଗ୍ର ୫ ବର୍ଷୀୟ ପ୍ରସାରଣ ଏବଂ ଡିଜିଟାଲ ଅଧିକାର ଅବିଶ୍ୱସନୀୟ ଭାବେ ୧୬ ହଜାର ୩୪୭ କୋଟି ଟଙ୍କାରେ ବିକ୍ରି ହୋଇଛି। ଆଶ୍ଚର୍ଯ୍ୟଜନକ ଭାବେ ଆଇପିଏଲ୍ ମ୍ୟାଚ୍ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ଅନ୍ତର୍ଜାତୀୟ ମ୍ୟାଚଠାରୁ ମହଙ୍ଗା ହୋଇ ଯାଇଛି। ଷ୍ଟାର ଇଣ୍ଡିଆ ଆଇପିଏଲ୍ର ପରବର୍ତ୍ତୀ ୫ ବର୍ଷ ପ୍ରସାରଣ ଏବଂ ଡିଜିଟାଲ ଅଧିକାରକୁ ୨.୫୫ ବିଲିୟନ୍ ଆମେରିକୀୟ ଡଲାର ବା ପାଖାପାଖି ୧୬୩୪୭.୫୦ କୋଟି ଟଙ୍କା ଦେଇ କିଣିଛି।