ରାଜ୍ୟ

ଔଷଧ ପାଇଁ ଟଙ୍କା ଅଛି, ଖର୍ଚ୍ଚ ହୋଇପାରୁନି; କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ୨ବର୍ଷ ହେଲା ଟଙ୍କା ଦେଲାଣି

ଭୁବନେଶ୍ୱର ୧।୯(ଆଜିର ଓଡ଼ିଶା):  ରାଜ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପରିମାଣର ଆୟୁଷ ଔଷଧ ଉପଲବ୍ଧ ହେଉ ନ ଥିବାରୁ କାର୍ଯ୍ୟରତ ଆୟୁଷ ଡାକ୍ତର ରୋଗୀଙ୍କୁ ଚିକିତ୍ସା କରି ପାରି ଏକପ୍ରକାର ହାତ ବାନ୍ଧି ବସିଛନ୍ତି। ଏହି ସମସ୍ୟା କିଛି ମାସର ନୁହେଁ, ବରଂ ଗତ ୨/୩ବର୍ଷ ଧରି ଲାଗି ରହିଛି। ଆୟୁଷ ଔଷଧ କିଣିବା ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଗତ ୨ବର୍ଷ ହେଲା ଟଙ୍କା ଦେଲାଣି। କିନ୍ତୁ ଏଥିପାଇଁ ଟେଣ୍ଡର ହୋଇପାରୁନି କି ଔଷଧ କିଣାଯାଉନାହିଁ। ଯାହାଫଳରେ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

            ଅପରପକ୍ଷରେ ଡାକ୍ତରଙ୍କୁ ଦିଆଯାଉଥିବା ଦରମା ଓ ସ୍ଥାୟୀ ନିଯୁକ୍ତିକୁ ନେଇ ମଧ୍ୟ ଡାକ୍ତରମାନେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ମାତ୍ର ଏଥିପାଇଁ କୌଣସି ପଦକ୍ଷେପ ନିଆ ନ ଯିବା ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି। ରାଜ୍ୟରେ କୌଣସି ପିଏଚ୍‌ସି ଓ ସିଏଚ୍‌ସିରେ ଆୟୁଷ ଔଷଧ ଉପଲବ୍ଧ ହେଉନାହିଁ। ଅଳ୍ପ କେତେକ ସ୍ଥାନରେ ହୋମିଓପ୍ୟାଥି ଔଷଧ ମିଳୁଥିଲେ ହେଁ, କୌଣସି ପ୍ରକାର ଆୟୁର୍ବେଦିକ ଔଷଧ ନାହିଁ। ଏଥିପାଇଁ ଆୟୁଷ ଡାକ୍ତରମାନେ ସ୍ଥାନୀୟ ସିଡିଏମ୍‌ଓ ଓ ମିଶନ ନିର୍ଦେଶିକାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏହି ସମସ୍ୟାର କୌଣସି ସମାଧାନ ହୋଇପାରି ନାହିଁ।

            ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଔଷଧର ଟେଣ୍ଡର ପାଇଁ ଯେତିକି ସର୍ତ୍ତାବଳୀ (ଆୟୁଷ ପ୍ରିମିୟମ ମାର୍କ, ଡବ୍ଲୁଏଚ୍‌ଓ ସାର୍ଟିଫିକେସନ୍‌ ଓ ଜିଏମ୍‌ପି)ରଖିଛନ୍ତି ସେଥିପାଇଁ ଔଷଧ କିଣିବାରେ ସମସ୍ୟା ଉପୁଜୁଛି। ଫଳରେ ୨ଥର ଟେଣ୍ଡର ଆହ୍ଵାନ ପରେ ମଧ୍ୟ କୌଣସି କମ୍ପାନି ଅଂଶଗ୍ରହଣ କରି ନ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button