ରାଜନୀତିରାଜ୍ୟ

ଅମିତ ଶାହଙ୍କ ଓଡିଶା ଗସ୍ତ ସେପ୍ଟେମ୍ବର ୭ ରୁ ୯

ଭୁବନେଶ୍ୱର ୧।୯(ଆଜିର ଓଡ଼ିଶା): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୭ ତାରିଖରେ ଓଡ଼ିଶା ଆସିବେ। ୭-୮-୯ ତିନି ଦିନ ଧରି ସେ ଓଡ଼ିଶାରେ ରହି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହିତ ଏହି ଗସ୍ତ ଅବସରରେ ବିଜେପି ତା’ର ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛି। ସିଧାସଳଖ ଜନସମାବେଶ ନ କରି ବୁଥ୍‌ ସ୍ତରୀୟ କର୍ମକର୍ତ୍ତାମାନଙ୍କର ଏକ ବିଶାଳ ସମାବେଶ ଭୁବନେଶ୍ୱରରେ ଆୟୋଜନ କରାଯିବ। ୮ ତାରିଖରେ ଜନତା ମଇଦାନରେ ହେବାକୁ ଥିବା ଏହି ସମାବେଶରେ ୩୬ ହଜାର ବୁଥ୍‌ରୁ ପାଖାପାଖି ଏକ ଲକ୍ଷ କର୍ମକର୍ତ୍ତାଙ୍କୁ ଦଳ ଏକାଠି କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛି। ସବୁ ବୁଥ୍‌ରେ ଦଳର କର୍ମକର୍ତ୍ତା ଅଛନ୍ତି, ତାହା ଦେଖାଇବାକୁ ‘ବୁଥ୍‌ ସ୍ତରୀୟ କାର୍ଯ୍ୟକର୍ତ୍ତା ସମାବେଶ’ ନାମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସାମ୍ନାରେ ରାଜ୍ୟର ସଂଗଠନ ଯେ ମଜବୁତ୍‌ ହେଲାଣି, ତାହା ଦେଖାଇବାକୁ ଦଳର ରାଜ୍ୟ କର୍ମକର୍ତ୍ତାମାନେ ଜୋର୍‌ଦାର୍‌ ଲାଗି ପଡ଼ିଛନ୍ତି।

            ଏହି ସମାବେଶ ମାଧ୍ୟମରେ ବିଜେପି ଦୁଇଟି ଲକ୍ଷ୍ୟ ରଖିଛି। ପ୍ରଥମତଃ ସଦ୍ୟ ହୋଇଥିବା ବିଜେଡି ଶକ୍ତି ପ୍ରଦର୍ଶନର ଜବାବ୍‌ ଦିଆଯିବ। ଦ୍ୱିତୀୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜେ ବୁଥ୍‌ ସ୍ତରୀୟ କର୍ମକର୍ତ୍ତାମାନଙ୍କୁ ସିଧାସଳଖ ଉଦ୍‌ବୋଧନ ଦେଇ ସେମାନଙ୍କୁ ସକ୍ରିୟ କରାଇବେ ଓ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ବୋଲି ବାର୍ତ୍ତା ଦିଆଯିବ।

             ଜୁଲାଇରେ ଶ୍ରୀ ସାହା ଓଡିଶା ଆସିଥିଲେଦୁଇ ମାସ ବ୍ୟବଧାନ ପରେ ଶ୍ରୀ ଶାହ ପୁଣି ଓଡ଼ିଶା ଆସୁଥିବାରୁ ଏହି ଗସ୍ତକୁ ରାଜନୈତିକ ମହଲରେ ଗୁରୁତ୍ୱ ଦିଆଯାଉଛି। ଏହି ଦୁଇ ମାସ ମଧ୍ୟରେ ବିଜେଡି-ବିଜେପିର ସମ୍ପର୍କ ବଢ଼ୁଥିବା ନେଇ ଅନେକ ଆଲୋଚନା ବିଭିନ୍ନ ଗଣମାଧ୍ୟମରେ ହୋଇସାରିଲାଣି। ବିହାର ଘଟଣା ପରେ ବିଜେଡି ଓ ବିଜେପି ନିକଟତର ହେଉଛନ୍ତି ବୋଲି  ଓଡ଼ିଶା ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରପତି ନିର୍ବାଚନ ଠାରୁ ଆରମ୍ଭ କରି ନବୀନ-ଧର୍ମେନ୍ଦ୍ର ଭେଟ ପର୍ଯ୍ୟନ୍ତ ଘଟଣା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଉଛି। ତେଣୁ ଏହି ସ୍ଥିତିରେ ପ୍ରସ୍ତାବିତ କାର୍ଯ୍ୟକର୍ତ୍ତା ସମାବେଶରେ ଅମିତ ଶାହଙ୍କ ଉଦ୍‌ବୋଧନ ଉପରେ ସମସ୍ତଙ୍କ ନଜର ରହିବ।

 

Related Articles

Leave a Reply

Your email address will not be published. Required fields are marked *

Back to top button