୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା
1 min read
ଆଓରି-ଭୁବନେଶ୍ଵର(୧୭/୦୯) : ସତ ହେଉଛି ଅଭିଯୋଗ । ରାଜ୍ୟ ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅଭିଯୋଗ ସତ ହେବାରେ ଲାଗିଛି । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଟଙ୍କା ପାଇଥିବା ୫୧ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୩ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ପୂର୍ବରୁ ୨.୬ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ସରକାର ଚିହ୍ନଟ କରି କାଳିଆ ଟଙ୍କା ଫେରାଇବାକୁ କହିଥିବା ବେଳେ ଆଜି ମୋଟ୍ ୩ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ବର୍ତ୍ତମାନ ଯେଉଁ ଅଯୋଗ୍ୟ ହିତାଧିକାରୀ ତାଲିକା ପ୍ରକାଶ ପାଇଛି ସେଥିରେ ନାବାଳକ, ନାବାଳିକାଙ୍କ ସହ ବଡ଼ ଚାଷୀ, ସରକାରୀ କର୍ମଚାରୀଙ୍କ ସମେତ ପେନ୍ସନ୍ଧାରୀ ମଧ୍ୟ ସାମିଲ ରହିଛନ୍ତି । ସୂଚନା ଅନୁଯାୟୀ ୧୨ହଜାର ବଡ଼ ଚାଷୀ ଏହି ଅଯୋଗ୍ୟ ହିତାଧିକାରୀ କାଳିଆ ତାଲିକାରେ ସାମିଲ ଥିବା ବେଳେ ୯ହଜାର ନାବାଳିକା ନାବାଳକଙ୍କ ନାଁରେ କାଳିଆ ଟଙ୍କା ପାଇଛନ୍ତି । ଏହି ସମସ୍ତଙ୍କୁ ଖୁବ୍ ଶୀଘ୍ର ଟଙ୍କା ଫେରାଇବାକୁ କୁହାଯାଇଛି ।
ଖାଲି ସେତିକି ନୁହେଁ 20 ହଜାର ସରକାରୀ ଚାକିରିଆ ବା ପେନସନ ଭୋଗୀ କାଳିଆ ସହାୟତା ପାଇଛନ୍ତି । ସେମାନଙ୍କୁ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଟଙ୍କା ଫେରସ୍ତ ପାଇଁ ନୋଟିସ କରାଯିବ । ଯଦି ସେମାନେ ଟଙ୍କା ନଫେରାନ୍ତି ତେବେ ତାଙ୍କ ଦରମା କିମ୍ବା ପେନ୍ସନ୍ରୁ ଟଙ୍କା କାଟି ତାହା ଭରଣା କରାଯିବ । ଏହା ସହ ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତି କାଳିଆ ସହାୟତା ପାଇଛନ୍ତି । ସେମାନଙ୍କର ସଂଖ୍ୟା ପ୍ରାୟ 3 ଲକ୍ଷ ବୋଲି ଜଣାପଡ଼ିଛି ।
ତେବେ ଏହି ଅଯୋଗ୍ୟ ହିତାଧିକାରୀ ତାଲିକା ପ୍ରକାଶ ପାଇବା ପରେ ବିରୋଧୀ ଗର୍ଜିବା ଆରମ୍ଭ କରିଛନ୍ତି । କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାର ଯେଉଁ ବାହାସ୍ପଟ ମାରୁଥିଲେ ତାର ପର୍ଦ୍ଦାଫାସ୍ ହୋଇଛି । ଆରମ୍ଭରୁ ରାଜ୍ୟରେ ବିରୋଧୀ ବିଜେପି, କାଳିଆ ଯୋଜନାକୁ ନେଇ ସମାଲୋଚନା କରି ଆସୁଥିଲେ । ଏମିତିକି କଂଗ୍ରେସ ମଧ୍ୟ ନବୀନ ସରକାରଙ୍କ କାଳିଆ ଯୋଜନାକୁ ଏକ ଭୋଟ ବ୍ୟାଙ୍କ ପଲିଟିକ୍ସ ବୋଲି କହି କଡ଼ା ସମାଲୋଚନା କରିଥିଲା । ତେବେ ଆଜି ବିରୋଧୀଙ୍କ ଅଭିଯୋଗ, ସତ ପ୍ରମାଣିତ ହୋଇଛି ।
ରାଜ୍ୟ ସରକାର କାଳିଆକୁ ନେଇ ଏକ ଡ୍ରାମା କରୁଥିବା ଆଜି ପୁଣି ପ୍ରମାଣିତ ହୋଇଛି । କାଳିଆ ଯୋଜନାରେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ସାମିଲ ଥିବା ସରକାର ନିଜେ ସ୍ୱୀକାର କରିଛନ୍ତି । ମୋଟ୍ 51 ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିଲା । ସେମାନଙ୍କ ନିକଟକୁ ଟଙ୍କା ମଧ୍ୟ ପଠାଯାଇଛି ।
ନିର୍ବାଚନ ପୂର୍ବରୁ କେବଳ ଭୋଟ୍ ପାଇଁ କାଳିଆ ଯୋଜନାର ଶୂଭାରମ୍ଭ କରାଯାଇଥିଲା । ଭୋଟ ପରେ ଲୋକଙ୍କଠାରୁ ଟଙ୍କା ଫେରସ୍ତ ମଗାଯାଉଛି । ଯାହାକି ଏକ ନିନ୍ଦନୀୟ ଘଟଣା ବୋଲି ବିରୋଧୀ କହିଛନ୍ତି । ତେବେ ଏହି ଟଙ୍କା ଦେବା ଓ ଫେରସ୍ତ ଆଣିବା ହେଉଛି କେବଳ ସରକାରଙ୍କ ଡ୍ରାମା । ଏହା ଦ୍ୱାରା କିଛି ସୁଫଳ ମିଳିବ ନାହିଁ । ରାଜ୍ୟ ସରକାର କେବଳ ନାଟକ କରୁଛନ୍ତି । ଜାଣିଶୁଣି ସରକାର କୌଣସି ବିଚାର ନକରି, ଚାଷୀଙ୍କୁ ଚିହ୍ନଟ ନକରି କେବଳ ବିଜେଡି କର୍ମୀଙ୍କୁ କାଳିଆ ଯୋଜନା ନାଁରେ ଟଙ୍କା ବାଣ୍ଟିଛନ୍ତି । ଯାହାକି ନିର୍ବାଚନ ପରେ ଏବେ ତା’ର ଗୁମର ଫିଟୁଛି ବୋଲି କହିଛନ୍ତି ବିରୋଧୀ ।