୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଭାରତବର୍ଷର ଚାଷୀ, ଯୁବକ, ମହିଳା, ଗରିବ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ବଜେଟ୍ ; ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ନୂଆଦିଲ୍ଲୀ(୦୬/୦୭) : ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଭାରତବର୍ଷର ଚାଷୀ, ଯୁବକ, ମହିଳା, ଗରିବ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ବଜେଟ୍ ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ତଥା ଲୋକସଭାରେ ଉପସ୍ଥାପିତ ହେବା ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହା କହିଛନ୍ତି । ଏହି ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇବା ସହ ଏହି ବଜେଟରୁ ଓଡିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭ ପାଇବ ବୋଲି ସେ କହିଛନ୍ତି ।
ଏହି ବଜେଟ୍ ଭବିଷ୍ୟତର ବଜେଟ୍ । ଆଗାମୀ ୧୦ ବର୍ଷରେ ଭାରତର ପ୍ରଗତି କେଉଁଭଳି ହେବ ଏହି ବଜେଟ ତା’ର ପ୍ରତିଫଳନ । ଗୋଟିଏ ନୂଆ ଭାରତ ଗଢିବାର ଯେଉଁ ପ୍ରତିବଦ୍ଧତା ଦେଶର ସବୁ ଲୋକମାନଙ୍କର ଅଛି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ୧୦ ବର୍ଷିଆ ଖସଡାର ୫ ବର୍ଷର ସ୍ପଷ୍ଟ ଯୋଜନା ଏହି ବଜେଟରେ ଉପସ୍ଥାପିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଦେଶର ସର୍ବାଧିକ ଲୋକମାନଙ୍କର ଆର୍ଥିକ ଉନ୍ନତି, ସମସ୍ତଙ୍କୁ ମୌଳିକ ସୁବିଧା ତଥା ଘର, ବିଜୁଳି, ସ୍ୱଚ୍ଛ ଇନ୍ଧନ ନାଁରେ ଏଲପିଜି ସଂଯୋଗ, ଶୌଚାଳୟ, ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ, ଗ୍ରାମାଂଚଳରେ ଗମନାଗମନ ବ୍ୟବସ୍ଥା, ରୋଜଗାରର ବ୍ୟବସ୍ଥା, କୃଷି ଉତ୍ପାଦିତ ଜିନିଷ ପାଇଁ ବଜାର ବ୍ୟବସ୍ଥା ଏ ସବୁ ଉପରେ ବଡ ନିବେଶ ଏହି ପୂର୍ଣ୍ଣାଙ୍ଗ ବଜେଟରେ ସ୍ପଷ୍ଟ ଚିତ୍ର ରହିଛି । ଏହା ବ୍ୟତିତ ରେଳ, ରାସ୍ତା, ଜଳପଥ, ଗ୍ୟାସଗ୍ରୀଡ୍, ଇଣ୍ଟରନେଟ୍ ପାଇଁ ଆଇୱେ ଏହି ସବୁ ଗୁଡିକରେ ମଧ୍ୟ ଚଳିତ ବର୍ଷ ଓ ଆଗାମୀ ୫ ବର୍ଷରେ କଣ ନିବେଶ କରାଯିବ ଏ ବିଷୟରେ ମଧ୍ୟ ବଜେଟରେ ଉଲ୍ଲେଖ କରାଯାଇଛି।
ସେହିପରି ପାଖାପାଖି ୨ କୋଟି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ। ପିଇବା ପାଣି, ବିଜୁଳି, ଗ୍ୟାସ ସଂଯୋଗ, ଶୌଚାଳୟ କାର୍ଯ୍ୟକ୍ରମ ଓ ମତ୍ସ୍ୟ ସମ୍ପଦକୁ ଗୁରୁତ୍ବ ଦିଆଯିବ। ସାଗରମାଳା ଭାରତମାଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ସେହିଭଳି ଓଡିଶାର ଭିତିଭୂମିରେ ଅଧିକ ନିବେଶ ହେବ, ସ୍ଵତନ୍ତ୍ର ନିବେଶ କରିଡର ହେବ। ସାଢେ ୪୦୦ କିମି ଉପକୂଳ ଥିବା ଓଡିଶା ଏହାର ସବୁଠୁ ଅଧିକ ଲାଭ ପାଇବ। ୫ ଟ୍ରିଲିୟନ ଅର୍ଥନୀତିର ଯେଉଁ ଯୋଜନା ପ୍ରସ୍ତୁତ କରାଯାଉଛି, ଓଡିଶାର ବଡ ଭୂମିକା ଏଥିରେ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସଡକ ନିର୍ମାଣ ହେବ, ତେବେ ଓଡିଶାର ନକ୍ସଲ ପ୍ରଭାବିତ ଅଂଚଳର ସବୁ ଗାଁରେ ରାସ୍ତା ତିଆରି ହେବ । ଅନୁରୂପ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ହେଲେ ନକ୍ସଲ ପ୍ରଭାବିତ ଅଂଚଳ ମଧ୍ୟ ପ୍ରାଥମିକତା ପାଇବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ କୋଟି ଘର ନିର୍ମାଣ ହେଲେ ଓଡିଶା ଏହାର ଲାଭ ପାଇବ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନି ପ୍ରଭାବିତ ଅଞ୍ଚଳ ପାଇଁ ୫ ଲକ୍ଷ ଘର ମାଗିଥିବା ବେଳେ ଓଡିଶା ଏହି ବଜେଟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସିଂହ ଭାଗ ଘର ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ବିଗତ ଦିନ ମାନଙ୍କରେ ଓଡିଶା ଯେଭଳି ପାଖାପାଖି ୧୦ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିଲା ତେବେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମାଗିଥିବା ଘର ବ୍ୟତିତ ଅଧିକ ଘର ଓଡିଶାକୁ ମିଳିବା ନିଶ୍ଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବଜେଟରେ ମଧ୍ୟମ ବର୍ଗର ଲୋକଙ୍କ ଉପରେ କୌଣସି ଅତିରିକ୍ତ କର ବୋଝ ନାହିଁ । ଏହା ଏକ ଯୁଗାନ୍ତକାରୀ ବଜେଟ୍ । ଏହି ବଜେଟରେ ଓଡିଶା ଭଳି ରାଜ୍ୟ ବିଶେଷ ଲାଭବାନ ହେବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟରେ ୧ ଲକ୍ଷ ୨୫ ହଜାର କିମି ରାସ୍ତା ନିର୍ମାଣ ହେବ। ୮୦ ହଜାର କୋଟି ଟଙ୍କା ଏଥିରେ ଖର୍ଚ୍ଚ ହେବ । ଓଡିଶା ଏହାର ଭାଗ ପାଇବ।