୧୨୦ ମିଶନକୁ ସଫଳ କରିବା ପାଇଁ ରାଜ୍ୟ ବିଜେପିର ଜୋରଦାର ପ୍ରୟାସ
1 min read
ଆଓରି-ଭୁବନେଶ୍ଵର(୦୫/୦୨) : ରାଜନୀତିର ଚାଣକ୍ୟ କୁହାଯାଉଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ୧୨୦ ମିଶନକୁ ସଫଳ କରିବା ପାଇଁ ରାଜ୍ୟ ବିଜେପିର ଜୋରଦାର ପ୍ରୟାସ । ମୋଦି-ଶାହଙ୍କ ଘନଘନ ଗସ୍ତ ଏକଥାକୁ ସତ ପ୍ରମାଣିତ କରୁଛି । ଗତ ୪୦ ଦିନ ଭିତରେ ପ୍ରଧାନମନ୍ତ୍ରୀଙ୍କ ୩ ଏବଂ ଶାହଙ୍କ ୨ ସମାବେଶ ରାଜ୍ୟ ବିଜେପି କର୍ମୀଙ୍କୁ ଯେତିକି ଉତ୍ସାହିତ କରିଛି ବିରୋଧୀଙ୍କ ମହଲରେ ସେତିକି ଭୟର ବାତାବରଣ ଖେଳାଇଛି ।
ଏକଥା ଆମେ କହୁନୁ, ଜଗନ୍ନାଥ ଧାମରୁ ଶାହଙ୍କ ଅଭିଭାଷଣ ପରେ ସବୁବେଳେ ପଲିଟିକାଲ କଣ୍ଟ୍ରୋଭର୍ସିଠୁ ଦୂରେଇ ରହୁଥିବା ନବୀନଙ୍କ କାଉଣ୍ଟର ଆଟାକ୍ ହିଁ କହୁଛି । ପ୍ରଧାନମନ୍ତ୍ରୀଙ୍କ ଗତ ୩ ଗସ୍ତ ସମୟରେ ଓଡ଼ିଶାକୁ ପାଖାପାଖି ୨୦ ହଜାର କୋଟି ଟଙ୍କାର ଉପହାର ଶାସକ ଦଳର ନିଦ ହଜାଇ ଦେଲା ଭଳି ମନେ ହେଉଛି । ଯାହାକୁ କାଉଣ୍ଟର କରିବା ପାଇଁ ଅନେକ ଗୁଡ଼ିଏ ମନଲୋଭା ଯୋଜନା ଭେଟି ଦେଇଛନ୍ତି ରାଜ୍ୟବାସୀଙ୍କୁ ସରକାର । ମାତ୍ର ସେପଟେ ୧୨୦ ମିଶନର ଦୃଢ ସଫଳତା ପାଇବାକୁ କୌଣସ ବି ଗୋଟିଏ ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନାହିଁ ରାଜ୍ୟ ବିଜେପି ।
ପୂର୍ବ, ପଶ୍ଚିମ ଏବଂ ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ବଡ ସମାବେଶ ପରେ ଏବେ ଦକ୍ଷିଣ ତଥା ଖୋଦ ଶାସକ ଦଳର ସୁପ୍ରିମୋଙ୍କ ଗଡ଼ ଉପରେ ବିଜେପିର ନଜର । ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ଶେଷ ସପ୍ତାହ ବେଳକୁ ପୁଣିଥରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେଡି ଗଡ଼ କୁହାଯାଉଥିବା ଗଞ୍ଜାମରେ ବିରାଟ ଜନ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଅନେକ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିପାରନ୍ତି ପ୍ରଧାନମନ୍ତ୍ରୀ ।
କେବଳ ସେତିକି ନୁହେଁ ଦୀର୍ଘ ୧୮ ବର୍ଷର ଶାସନ ଗାଦିରେ ବସିଥିବା ବିଜେଡିକୁ ପରାଜୟର ସ୍ୱାଦ ଚଖାଇବାକୁ ଜଣେ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ସମେତ ବିଜେପିର ଷ୍ଟାର କ୍ୟାମ୍ପେନର କୁହାଯାଉଥିବା ଯୋଗୀ ଆଦିତ୍ୟ ନାଥଙ୍କୁ ଓଡ଼ିଶାର ନିର୍ବାଚନୀ ମୈଦାନରେ ଓହ୍ଲାଇବାକୁ ଯୋଜନା କରିଛି ଦଳ । ହୁଏତ ଚଳିତ ମାସ ମଧ୍ୟଭାଗ ସୁଦ୍ଧା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି । ଅନ୍ୟପଟେ ପୂର୍ବ ଓଡ଼ିଶା ପରେ ପଶ୍ଚିମ ଓଡ଼ିଶାରୁ ସରକାରଙ୍କୁ ଟାର୍ଗେଟ କରିବାକୁ ଆସନ୍ତା ୧୫ ତାରିଖରେ ପୁଣି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।
ତେବେ ନମୋ ଓ ଶାହଙ୍କ ଘନଘନ ଗସ୍ତ ଓ ବିଭିନ୍ନ ଦିଗରୁ ସରକାରଙ୍କୁ ସମାଲୋଚନା, ଯାହା ହୁଏତ ଶାସକ ଦଳକୁ ଜନତାଙ୍କ ପାଖକୁ ଯିବାକୁ ବାଧ୍ୟ କରିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଯେଉଁଥିପାଇଁ ବିଭିନ୍ନ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଘନଘନ ଗସ୍ତ ଏବଂ ମିଶନ ଶକ୍ତି, ଯୁବ ସମାବେଶ ଓ କୃଷକ ସମାବେଶ ପରି ଗୋଟିଏ ପରେ ଗୋଟିଏ ସରକାରୀ ସମାବେଶ କରି ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ନବୀନ ।