ରାଜ୍ୟ

ସମସ୍ୟା ସମାଧାନ ନ କରି ବିକ୍ଷୋଭ କରିବା ମୁଖ୍ୟମନ୍ତ୍ରୀଙ୍କର ନୀତିଗତ ଅଭ୍ୟାସ ; ଅରୁଣ ସିଂହ

ଚାଷୀ ପ୍ରସଙ୍ଗରେ ବିଜେଡିର ପାର୍ଲାମେଣ୍ଟ ଘେରିବା ପ୍ରସଙ୍ଗ ନେଇ ବିଜେଡ଼ି ସରକାରଙ୍କୁ ନିନ୍ଦା କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂହ। ଆସନ୍ତା ୮ରେ ବିଜେଡି ଚାଷୀ ସମସ୍ୟାକୁ ନେଇ ଆନ୍ଦୋଳନ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ସମସ୍ୟା ସମାଧାନ ନ କରି ବିକ୍ଷୋଭ କରିବା ମୁଖ୍ୟମନ୍ତ୍ରୀଙ୍କର ନୀତିଗତ ଅଭ୍ୟାସ। ନିଜ ଅପାରଗତାକୁ ଲୁଚାଇବାକୁ ଯାଇ ସେ ବାହାନା ଖୋଜୁଛନ୍ତି। ୧୯ ବର୍ଷ ଶାସନ କରୁଥିବା ଶାସକ ବିଜେଡି କାହିଁକି ଚାଷୀଙ୍କ ସମସ୍ୟା ଦୂରକରିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପଡୋଶୀ ଛତିଶଗଡ ସରକାର ଯଦି ୨୫୫୦ଟଙ୍କା ଏମ୍‌ଏସ୍‌ପି ଦେଇପାରୁଛି ତେବେ ଓଡିଶା ସରକାର ଦେବାରେ କ’ଣ ଅସୁବିଧା ରହିଛି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି।

ଆସନ୍ତା ୫ରେ ବାରିପଦାଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଲୋକାପର୍ଣ କରିବେ । ତେବେ ମୋଦିଙ୍କ ଗସ୍ତପରେ ଜାନୁୟାରୀ ୧୮ରେ ଶାହ ଓଡିଶା ଆସିବେ। ରାଜ୍ୟରେ ଥିବା ବିଭିନ୍ନ ଶକ୍ତି କେନ୍ଦ୍ରଗୁଡିକରେ ଯୋଗଦେବା ସହ ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିବେ ବୋଲି ସେ କହିଛନ୍ତି।

ଅରୁଣ କହିଛନ୍ତି ଯେ, ରାଜ୍ୟ ଭାଜପାର ମିଶନ ୧୨୦+ ଲକ୍ଷ୍ୟ ଆଗେଇ ଚାଲିଛି। ପୂର୍ବ ଭାରତର ବିକାଶ ତଥା ନୂଆ ଓଡିଶା ଗଠନ ପାଇଁ ଦଳ ପ୍ରାଧାନ୍ୟ ଦେଇ ଆସୁଛି ବୋଲି ସେ କହିଛନ୍ତି। ରାଜ୍ୟରେ ପିସି କାରବାର, ନିଯୁକ୍ତି ସୃଷ୍ଟି ନ କରିବା, କେନ୍ଦ୍ର ଯୋଜନାକୁ ଲାଗୁ ନ କରିବା ଆଦି ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇପାରିଲେ ନାହିଁ ବୋଲି ଅରୁଣ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button