ରାଜନୀତି

ସମର୍ଥନ ପାଇଁ ରତନ ଟାଟା, ଲତା ଓ ମାଧୁରୀଙ୍କୁ ଭେଟିବେ ଅମିତ ଶାହ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଧବାର ମୁମ୍ବାଇରେ ‘ସମ୍ପର୍କ ଫର୍‌ ସମର୍ଥନ’ ଅଭିଯାନରେ ଶିଳ୍ପପତି ରତନ ଟାଟା, ବଲିଉଡ଼ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଭାରତ ରତ୍ନ ଗାୟିକା ଲତା ମଙ୍ଗେସକରଙ୍କୁ ଭେଟିବେ। ସ୍ୱତନ୍ତ୍ର ସାକ୍ଷାତକାରେ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାରି ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିବେ। ଏହା ବ୍ୟତୀତ ଜୁନ ୭ରେ ଶାହ ଚଣ୍ଡିଗଡ଼ରେ ପୂର୍ବତନ ଅଲମ୍ପିଅନ ମିଲଖା ସିଂହଙ୍କୁ ଭେଟିବାର କାର୍ଯ୍ୟକ୍ରମ ଅଛି।

ଅମିତ ଶାହ ବିଜେପିି ପ୍ରତି ଅମଙ୍ଗ ଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମଧ୍ୟ ଭେଟିବେ। ନିକଟରେ ପାଳଘର ଉପନିର୍ବାଚନରେ ଶିବସେନା-ବିଜେପି ଜଣେ ଅନ୍ୟର ବିରୋଧରେ ନିର୍ବାଚନ ଲଢ଼ିଥିଲେ। ଏହା ପରେ ଉଭୟ ନେତାଙ୍କ ଏହା ହେବ ପ୍ରଥମ ସାକ୍ଷାତ। ଶିବସେନା କେନ୍ଦ୍ରରେ ‘ଏନ୍‌ଡିଏ’ର ପ୍ରମୁଖ ଅଂଶବିଶେଷ। ଏହା ସତ୍ତ୍ୱେ ବି ବିଜେପି ବିରୋଧରେ ଶିବସେନା ମୋର୍ଚ୍ଚା ଖୋଲିବାକୁ ଯାଉଛି।

ଭାରତୀୟ ଜନତା ପାର୍ଟି ୨୦୧୯ ନିର୍ବାଚନ ପୂର୍ବରୁ ‘ସମ୍ପର୍କ ଫର ସମର୍ଥନ’ ନାମରେ ଏକ ମହାଭିଯାନ ଆରମ୍ଭ କରିଛି। ଏହାରି ବଳରେ ପାର୍ଟି ଅଧ୍ୟକ୍ଷ ଅମିତ ଶାହା ଅଲଗା-ଅଲଗା ଅଞ୍ଚଳକୁ ଯାଇ ୨୫ ଜଣ ନାମକରା ବ୍ୟକ୍ତି ବିଶିଷ୍ଟଙ୍କୁ ଭେଟିବେ। ଏଥି ସହିତ ପାର୍ଟିର ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ, ସାଂସଦ, ବିଧାୟକ ଏକାଠି ହୋଇ ୪୦୦ ବିଜେପି ନେତା ନିଜ-ନିଜ ରାଜ୍ୟରେ ୨୫ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

ଏହି ଅଭିଯାନ ବଳରେ ବିଜେପି ଏକ ଲକ୍ଷ ଲୋକଙ୍କୁ ଭେଟିବାକୁ ଲକ୍ଷ୍ୟ ରଖିଛି। ପାର୍ଟି ନେତା ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ମୋଦି ସରକାରଙ୍କ ଉପଲବ୍ଧି ଉପସ୍ଥାପନ କରିବେ ଓ ୨୦୧୯ ପାଇଁ ଏହି ଲୋକମାନଙ୍କୁ ସମର୍ଥନ କରିବା ପାଇଁ ଅପିଲ କରିବେ। ଅମିତ ଶାହା ପୂର୍ବତନ ସେନାମୁଖ୍ୟ ଦଳବୀର ସୁହାଗ, ଲୋକସଭାର ପୂର୍ବତନ ସାଧାରଣ ସମ୍ପାଦକ ଓ ଆଇନଜୀବୀ ସୁବାଷ କଶ୍ୟପ, ପୂର୍ବତନ କ୍ରିକେଟର କପିଲ ଦେବ, ଯୋଗଗୁରୁ ବାବା ରାମଦେବ ଓ ଜଷ୍ଟିସ ଲହୋଟିଙ୍କୁ ଭେଟିବେ।

Related Articles

Leave a Reply

Your email address will not be published. Required fields are marked *

Back to top button