କଳା ଓ ସଂସ୍କୃତି

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ବିନା କ୍ୟାମେରା ଏବଂ ଇଣ୍ଟରନେଟ୍‌ ସୁବିଧା ମୋବାଇଲ ଫୋନ ବ୍ୟବସ୍ଥା

ପୁରୀ,୨୪।୧୨: ସେବାୟତଙ୍କ ପାଇଁ ସ୍ବତନ୍ତ୍ର ମୋବାଇଲ ଫୋନ ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଉଠିଥିବା ବିବାଦ ଏବେ ଜଟିଳ ହେବାରେ ଲାଗିଛି। ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ମୋବାଇଲ ଫୋନ (କ୍ୟାମେରା ଏବଂ ଇଣ୍ଟରନେଟ୍‌ ସୁବିଧା ନ ଥିବା) ଗ୍ରହଣ ନ କରିବା ଲାଗି ପୋଷ୍ଟର ମାଧ୍ୟମରେ ସେବାୟତଙ୍କୁ ଅନୁରୋଧ କରାଯାଇଛି। ସେବାୟତଙ୍କ ମଧ୍ୟରେ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। କେତେଜଣ ନିଜସ୍ବ ଅର୍ଥରେ କ୍ୟାମେରା ନ ଥିବା ମୋବାଇଲ ଫୋନ କିଣିବାକୁ କହୁଥିବାବେଳେ ଆଉ କେତେଜଣ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣ ବନ୍ଦ ଲାଗି ସ୍ବର ଉଠାଇଛନ୍ତି। ତେବେ ଏହିଭଳି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଦଇତାପତି ନିଯୋଗ ମଧ୍ୟ ସ୍ବତନ୍ତ୍ର ମୋବାଇଲ ବ୍ୟବସ୍ଥାକୁ ବିରୋଧ କରିଛି।

ନିଯୋଗ ସଭାପତି ଦାସମହାପାତ୍ର କହିଛନ୍ତି, ଶ୍ରୀମନ୍ଦିରକୁ ନେଇ ଆମେ ଗର୍ବ କରୁଛେ। ତେଣୁ ଶ୍ରୀମନ୍ଦିରର ସୁରକ୍ଷା ଆଗ। ସ୍ବତନ୍ତ୍ର ମୋବାଇଲ ଫୋନ ଯୋଗାଣକୁ ଆମ ନିଯୋଗ ବିରୋଧ କରୁଛି। ସେବାୟତ ହୁଅନ୍ତୁ ବା ପୋଲିସ କେହି ବି ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେଇ ଭିତରକୁ ନ ଯିବା ଦରକାର। ବେଢା ଭିତରେ ସେବାୟତଙ୍କ ଲାଗି ପର୍ଯ୍ୟାପ୍ତ ଲ୍ୟାଣ୍ଡଫୋନ ବ୍ୟବସ୍ଥା କରାଯାଉ। ସେହିପରି ଭକ୍ତଙ୍କ ସୁବିଧା ପାଇଁ ମଧ୍ୟ ପିସିଓ ଖୋଲିବାକୁ ମୁଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛି। ମୋବାଇଲକୁ ନେଇ ଯେଉଁ ପ୍ରକାର ବାଦବିବାଦ ଚାଲିଛି ଲ୍ୟାଣ୍ଡ୍‌ଫୋନ ଦ୍ୱାରା ଏ ସବୁର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଥିବା ଗୋଇନ୍ଦା ବିଭାଗ ରିପୋର୍ଟ ଦେଇସାରିଛି। ଏହାକୁ ନଜରରେ ରଖି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡା କରାଯାଇଛି। ପ୍ରତି ଦ୍ୱାରରେ ମେଟାଲ ଡିଟେକ୍ଟର ସାଙ୍ଗକୁ ପୋଲିସ କର୍ମଚାରୀ ମୁତୟନ ରହୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button