ଧର୍ମ-ଆଧ୍ୟାତ୍ମ

ଶ୍ରୀମନ୍ଦିର ପରିଚାଳନା ସୁଧାର ଉଦ୍ୟମ: ତିନିଜଣିଆ କମିଟି ଗଠିତ

ଆଓରି-ଭୁବନେଶ୍ଵର(୧୪/୬): ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଧାରରେ ଆଜି ରାଜ୍ୟ ସରକାର ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହି ମର୍ମରେ ଆଜି ଆଇନ୍‍ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିଚାଳନା ବିଭ୍ରାଟର ତଦନ୍ତ ସହିତ ଏଥିରେ ସୁଧାର ପାଇଁ ନିର୍ଦେଶ ଦେଇଛନ୍ତି। ବିଭ୍ରାଟର କାରଣ, ଏଥିପାଇଁ ଦାୟୀ କିଏ, ନିରାକରଣ ପାଇଁ କଣ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ପୁରୀ ଜିଲା ଜଜ୍‍୍‍ଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ଦେଶର ଅନ୍ୟ ପ୍ରସିଦ୍ଧ ମନ୍ଦିରର ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରି ଶ୍ରୀମନ୍ଦିରରେ ସେଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ବିଭ୍ରାଟର କାରଣ ସମ୍ପର୍କରେ ପୁରୀ ଜିଲା ଜଜ୍‍ ତଦନ୍ତ ଆରମ୍ଭ କରିଥିବା ବେଳେ ଦେଶର ଅନ୍ୟାନ୍ୟ ମନ୍ଦିରର ପରିଚାଳନା ବ୍ୟବସ୍ଥା ତଦାରଖ କରିବା ପାଇଁ ରାଜ୍ୟ ସରକାର ଆଜି ବିଶେଷଜ୍ଞ କମିଟି ଗଠନ କରିଛନ୍ତି।
ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଆଇପିଏସ୍‍ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଗବେଷକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହୀମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି। ଉକ୍ତ କମିଟି ଭାରତର ଅନ୍ୟ ବିଖ୍ୟାତ ମନ୍ଦିରଗୁଡ଼ିକର ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିରରେ ସେହି ସବୁ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ କଣ କରାଯାଇପାରି ସେ ସମ୍ପର୍କରେ ରିପୋର୍ଟ ଦେବ। ଆସନ୍ତା ୩୦ ତାରିଖ ସୁଦ୍ଧା କମିଟି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦେବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। ଏଥିସହିତ ଶ୍ରୀମନ୍ଦିରରେ ଭକ୍ତଙ୍କ ଦାନ ଦକ୍ଷିଣା ଉପରେ ସେବାୟତଙ୍କ ଅଧିକାର ଉପରେ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇବା ପରେ ଉପୁଜିଥିବା ବିବାଦର ସମାଧାନର ସୂତ୍ର ବାହାର କରିବାକୁ ମଧ୍ୟ କମିଟି କାମ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button